ନବ ଦାସ ହତ୍ଯା ମାମଲା; ବିଧାନସଭାରେ ବିବୄତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହରେ ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଛନ୍ତି ବିରୋଧି ଦଳ। ଅନ୍ୟପଟେ ନବକିଶୋର ଦାସ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି ଆମେ ଆମର ଜଣେ ସହଯୋଗୀଙ୍କୁ ହରାଇଲୁ। ଓଡ଼ିଶା ଜଣେ ବିଚକ୍ଷଣ ନେତାଙ୍କୁ ହରାଇଛି। ନବ ଦାସଙ୍କ ହତ୍ୟା ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟ ସରକାର ଘଟଣାର ଗମ୍ଭୀରତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ସରକାର ଅନୁରୋଧ କରିଥିଲେ। ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଆଇନ ଅନୁଯାୟୀ କରାଯାଉଛି ।

ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ ନବକିଶୋର। ଜାନୁଆରୀ ୨୯ତାରିଖରେ ନବକିଶୋର ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ। ସମ୍ବେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।  ଦେଶର ସର୍ବୋକୃଷ୍ଟ ଫରେନସିକ ଏକ୍ସପର୍ଟ ଏଥିରେ ନିୟୋଜିତ ହୋଇଛନ୍ତି। ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତିର ଯାଞ୍ଚ କରାଯାଉଛି।

ସେହିପରି ଅଭିଯୁକ୍ତ ସତ କହୁଛି କି ନାହିଁ, ସେନେଇ ପରୀକ୍ଷା କରିବାକୁ ଲେୟାର୍ଡ ଭଏସ ଆନାସଲିସିସ କରାଯାଇଛି। ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ହେଉଥିବା ରାଜନୀତି ତାଙ୍କୁ ସ୍ତବ୍ଧ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ବାଧୀନ ନ୍ୟାୟପାଳିକା ଗଣତନ୍ତ୍ରର ସବୁଠୁ ଶକ୍ତିଶାଳୀ ସ୍ତମ୍ଭ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ତଦାରଖ କରିବାକୁ ନିଯୁକ୍ତ କରାଯାଇଛି। ସମସ୍ତେ ନ୍ୟାୟପାଳିକା ଉପରେ ବିଶ୍ବାସ ରଖିବା ଉଚିତ। ତେଣୁ ଏହାକୁ ନେଇ ରାଜନୀତିକରଣ କରାନଯାଉ। ଅଭିଯୁକ୍ତ ASIକୁ ତୁରନ୍ତ ବହିଷ୍କାର କରାଯାଇଛି।

ତେବେ ବିଜେପି ନେତା ଜଣଙ୍କ ପାଇଁ ପୂରା ପୋଲିସ ଫୋର୍ସକୁ ଦାୟୀ କରିବା ତାଙ୍କୁ ବିଚଳିତ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ୯୦ହଜାର ପୋଲିସ ଓ ହୋମଗାର୍ଡଙ୍କର ଏହା ଅପମାନ। ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସବୁବେଳେ ମହିଳାଙ୍କୁ ସମ୍ମାନ ଦିଏ । ଜୟନାରାୟଣଙ୍କ ବ୍ୟବହାର ପାଇଁ କ୍ଷମା ଦେବେନି ରାଜ୍ୟବାସୀ। ସାମ୍ବିଧାନିକ ପଦରେ ଥାଇ ମହିଳା IICଙ୍କୁ ଆକ୍ରମଣ ନିନ୍ଦନୀୟ। ବିଭିନ୍ନ ପ୍ରସଙ୍ଗରେ ବିତର୍କ ଓ ଯୁକ୍ତି କରିପାରିବା, ତେବେ ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବା ଠିକ୍ ନୁହେଁ। ଅପରାଧ ପଛର ଷଡ଼ଯନ୍ତ୍ରକାରୀ ସାମ୍ନାକୁ ଆସିବା ମୂଳ ଲକ୍ଷ୍ୟ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ନବକିଶୋରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।