spot_img
Home Blog Page 3631

ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ପଶିବନି ମୋବାଇଲ୍, ସେବାୟତ ଓ କର୍ମଚାରୀ ନେଇପାରିବେନି ଫୋନ୍

ପୁରୀ: ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ପଶିବନି ମୋବାଇଲ୍ । ସେବାୟତ ଓ କର୍ମଚାରୀ ବି ନେଇପାରିବେନି ଫୋନ୍ । ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପାଇଁ ମୋବାଇଲ ଫୋନ୍ କଟକଣା ଥିବା ବେଳେ ଏବେ ପୋଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି । ନିୟମ ଭାଙ୍ଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।

ସେବାୟତ ଓ କର୍ମଚାରୀଙ୍କ ମୋବାଇଲ ରଖିବାକୁ ବ୍ୟବସ୍ଥା କରାଯିବ । ସିଂହଦ୍ବାର ଓ ଦକ୍ଷିଣ ଦ୍ବାରରେ ମୋବାଇଲ ରଖିବା ନେଇ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା । ନୀତିକାନ୍ତି ଅପଡେଟ ପାଇଁ ମନ୍ଦିରରେ ଗୋଟିଏ ମୋବାଇଲ୍ ରହିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଗତ ଦିନରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଭକ୍ତ ।

ସେତବେଳେ କେବଳ ପୋଲିସ କର୍ମଚାରୀ ଓ ସେବାୟତଙ୍କୁ ମୋବାଇଲ ନେବା ପାଇଁ ଅନୁମତି ଥିଲା । ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ମୋବାଇଲ୍ ବ୍ୟାନ୍ ନିଷ୍ପତ୍ତି ନେଇଛି । ଯଦି କେହି ମୋବାଇଲ୍ ନେଇଥିବାର ଜଣାପଡ଼େ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ବ୍ରିଟେନ ସୁପ୍ରିମକୋର୍ଟରେ ପଳାତକ ନୀରବ ମୋଦିର ଶେଷ ଯାଚିକା ଖାରଜ, ଭାରତ ପ୍ରତ୍ୟର୍ପଣ ରାସ୍ତା ସଫା

ନନ୍ଦିଘୋଷ ବ୍ୟୁରୋ: ଭାରତରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିର ପ୍ରତ୍ୟର୍ପଣର ରାସ୍ତା ସଫା ହୋଇଯାଇଛି । ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବାର ନିଷ୍ପତ୍ତି ବିରୋଧରେ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରୁ ଝଟକା ଲାଗିଛି । ବ୍ରିଟେନର ଶୀର୍ଷ ଅଦାଲତ ତାଙ୍କ ଅପିଲକୁ ଖାରଜ କରିଦେଇଛନ୍ତି । ନୀରବ ମୋଦି ପାଖରେ ପ୍ରତ୍ୟର୍ପଣକୁ ଟାଳିବା ପାଇଁ ଏହା ଶେଷ ବିକଳ୍ପ ଥିଲା । ଏବେ ଏହାପରେ ବ୍ରିଟେନରେ କୌଣସି ବିକଳ୍ପ ରହିଯାଇନି ଏବଂ ତାଙ୍କୁ ଭାରତ ଆସିବାକୁ ପଡ଼ିବ ।

ପ୍ରକାଶଯୋଗ୍ୟ, ଗତ ବର୍ଷ ଫେବ୍ରୁଆରୀରେ ୱେଷ୍ଟମିନିଷ୍ଟର ଜଜ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାର ଆଦେଶ ଶୁଣାଇଥିଲେ । ଅବଶ୍ୟ ପରେ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବା ପାଇଁ ମଞ୍ଜୁରୀ ଦିଆଯାଇଥିଲା । ଭାରତ ଦୀର୍ଘ ବର୍ଷ ହେବ ନୀରବ ମୋଦିଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ କରିଆସୁଛି । କିନ୍ତୁ ବ୍ରିଟେନର ଜେଲରେ ବନ୍ଦ ନୀରବ ମୋଦି ନିଜ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଭିନ୍ନ ଭିନ୍ନ ଦଲିଲ ଦେଉଛି । ପୂର୍ବରୁ ବ୍ରିଟେନରେ ତାଙ୍କ ଓକିଲ ଦଲିଲ ଦେଇଥିଲେ ଯେ ପଳାତକ ଆର୍ଥିକ ଅପରାଧୀ ଡିପ୍ରେସନର ଶିକାର ଅଛନ୍ତି ।

ସେ ଭାରତର ଜେଲରେ ଆତ୍ମହତ୍ୟା କରିପାରନ୍ତି । ଏହି ତର୍କ ଦେଇ ସେ ନୀରବ ମୋଦିକୁ ଭାରତ ପଠାଇବାର ନିଷ୍ପତ୍ତିକୁ ବିରୋଧ କରିଥିଲେ । ଅବଶ୍ୟ, ବ୍ରିଟେନର କୋର୍ଟ ସମ୍ପୂର୍ଣ୍ଣ ଶୁଣାଣି ପରେ ତାଙ୍କ ଯାଚିକା ଖାରଜ କରିଦେଇଥିଲେ । ସୂଚନାଯୋଗ୍ୟ, ସ୍ୱତନ୍ତ୍ର ପିଏମଏଲଏ କୋର୍ଟଙ୍କ ଦ୍ୱାରା ୨୦୧୯ରେ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ, ୨୦୧୯ ଅନୁସାରେ ନୀରବ ମୋଦିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଥିଲା ।

ଏହାପରେ ସେ ଲଣ୍ଡନ ପଳାୟନ କରିଥିଲେ । ତିନି ବର୍ଷ ପୂର୍ବେ ନୀରବ ମୋଦିକୁ ବ୍ରିଟେନର ସ୍କଟଲ୍ୟାଣ୍ଡ ୟାର୍ଡ ପୋଲିସ ୧୩ ମାର୍ଚ୍ଚ ୨୦୧୯ରେ ଲଣ୍ଡନରୁ ଗିରଫ କରିଥିଲା, ଯାହାପରେ ସେ ସାଉଥ୍ ୱେଷ୍ଟ ଲଣ୍ଡନର ୱାଡ୍ସୱର୍ଥ ଜେଲରେ ବନ୍ଦ ରହିଛି । ପ୍ରକାଶଥାଉକି , ନୀରବ ମୋଦି ପିଏନବିରୁ ପ୍ରାୟ ୭ହଜାର କୋଟି ଟଙ୍କାର ଦୁର୍ନୀତି କରିଥିଲେ । ଯାହାପରେ ସେ ବିଦେଶ ପଳାୟନ କରିତିଲେ ।

ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ

ଭୁବନେଶ୍ୱର: ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ । ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଦିଲ୍ଲୀରୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତ ଗିରଫ । ତା ନିକଟରୁ ୧୬ଡେବିଟ କାର୍ଡ ସହିତ ୧୨ଟି ମୋବାଇଲ, ୨୨ପାସବୁକ୍, ୧୦ଟି ଚେକ୍ ବହି, ୨୦ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି ।

ତା ନାଁରେ ଥିବା ଆଧାର କାର୍ଡ ଓ ପ୍ୟାନ କାର୍ଡ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ସିଆଇଡି । ଦିଲ୍ଲୀ କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଉଛି । ସୋସିଆଲ ମିଡିଆ ଜରିଆରେ ସଂପର୍କରେ ଆସି ଠକେଇ କରୁଥିଲେ ଅଭିଯୁକ୍ତ । କଟକର ଜଣେ ମହିଳାଙ୍କଠାରୁ ୨୮ ଲକ୍ଷ ୬୭ ହଜାର ଟଙ୍କା ଠକି ନେଇଥିଲେ ନାଇଜେରିଆ ଠକ ।

ଗୋଧ୍ରା ଗଣହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ୨୦୦୨ ଗୋଧ୍ରା ଟ୍ରେନ୍ କୋଚ୍ ଜଳାଇବା ଘଟଣାର ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ଫାରୁକ ଭାନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିହ୍ମାଙ୍କ ନେତୃତ୍ବରେ ଗଠିଥ ଖଣ୍ଡପୀଠ ଫାରୁକ ଭାନାଙ୍କୁ ଜାମିନ ଦେଇଛନ୍ତି । ଅଯୋଧ୍ୟାରୁ ସାବରମତୀ ଏକ୍ସପ୍ରେସରେ କରସେବକମାନେ ଫେରୁଥିବାବେଳେ ଗତ ୨୦୦୨ ଫେବ୍ରୁଆରୀ ୨୭ରେ ସେମାନଙ୍କ ଉପରେ ହୋଇଥିଲା ଆକ୍ରମଣ । ଟ୍ରେନରେ ନିଆଁ ଲଗାଇଦିଆଯିବା ଯୋଗୁ ପ୍ରାଣ ହରାଇଥିଲେ ୫୯ କରସେବକ ।

ଏହାପରେ ସାରା ରାଜ୍ୟରେ ଦଙ୍ଗା ସୃଷ୍ଟି ହୋଇଥିଲା । ଫାରୁକଙ୍କୁ ଜାମିନ ନେଇ ସିଜେଆଇ କହିଛନ୍ତି- ଫାରକୁ ୧୭ ବର୍ଷ ଧରି ଜେଲଦଣ୍ଡ ଭୋଗିଲେଣି । ତେଣୁ ତାଙ୍କୁ ଜାମିନ ଦିଆଗଲା । ଫାରୁକଙ୍କ ଜାମିନକୁ ତୀବ୍ର ବିରୋଧ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହତା । ଗତ ୨୦୧୮ରେ ଫାରୁକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଗୋଧ୍ରା ଟ୍ରେନର ଏସ-୬ କୋଚରେ ନିଆଁ ଲଗାଇବା ଲାଗି ଫାରୁକ ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଥିଲା । ଫାରୁକ ସମେତ ଅନେକ ଲୋକଙ୍କୁ ସାବରମତୀ ଏକ୍ସପ୍ରେସର କୋଚ୍ ଉପରେ ପଥର ଫୋପାଡ଼ିବାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ଗୁଜୁରାଟ ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ, ଏହା ସବୁଠୁ ଜଘନ୍ୟ ଅପରାଧ ଥିଲା । ଯେଉଁଥିରେ ମହିଳା ଓ ଶିଶୁମାନଙ୍କ ସମେତ ୫୯ ଜଣଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଥିଲା ଏବଂ ଦୋଷୀଙ୍କମାନଙ୍କ ଆବେଦନ ଉପରେ ଶୀଘ୍ରରୁ ଅତିଶୀଘ୍ର ଶୁଣାଣି କରିବାର ଆବଶ୍ୟକତା ରହିଛି । ଫାରୁକ ସମେତ ଅନେକ ଲୋକଙ୍କୁ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସର କୋଚ ଉପରକୁ ପଥରମାଡ଼ କରିବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମେହତା କହିଥିଲେ ଯେ, ସାଧାରଣତଃ ପଥରମାଡ଼ କରିବା ସାଧାରଣ ଧରଣର ଅପରାଧ ଜଣାଯାଇଥାଏ କିନ୍ତୁ ଉକ୍ତ ମାମଲାରେ ଟ୍ରେନର କୋଚକୁ ଅଲଗା କରାଯାଇଥିଲା ।

ଏହା ସୁନିଶ୍ଚିତ ସୁନିଶ୍ଚିତ କରିବା ପାଇଁ ତା ଉପରେ ପଥରମାଡ଼ କରାଯାଇଥିଲା ଯେ ଯାତ୍ରୀମାନେ କିପରି ବାହାରକୁ ନଆସିପାରିବେ । ଗତ ଶୁଣାଣିରେ ମଧ୍ୟ ଗୁଜୁରାଟ ସରକାର ସୁପ୍ରିମକୋର୍ଟରେ ଦୋଷୀଙ୍କ ଜାମିନକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟ ଶୁଣାଣିରେ କହିଥିଲେ ଯେ, ଏହି ଜଘନ୍ୟ କାଣ୍ଡରେ ସାମିଲ ସମସ୍ତ ଦୋଷୀମାନଙ୍କ ମଧ୍ୟରେ ଅନେକ ପଥର ଫେକାଳି ମଧ୍ୟ ଥିଲେ । ସେମାନେ ଦୀର୍ଘ ସମୟ ଜେଲରେ କାଟି ସାରିଛନ୍ତି । ଏହି କାରଣରୁ କିଛିଙ୍କୁ ଜାମିନରେ ଛଡ଼ାଯିବାରେ କୌଣସି ଅସୁବିଧା ନାହିଁ ।

ପଦମପୁର ଉପନିର୍ବାଚନ ଫଳାଫଳର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପଦମପୁରର ଉପନିର୍ବାଚନ ଫଳାଫଳର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେମିତି ପୂରଣ ହେବ, ତା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି, ସେ ସବୁ ପାଳନ କରାଯିବ । ପଦ୍ମପୁର ଓ ସେଠାକାର ଲୋକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପଦ୍ମପୁର ନିଶ୍ଚୟ ଯିବେ କିନ୍ତୁ ତାରିଖ ସ୍ଥିର ହୋଇନି । ପଦମପୁର ବିକାଶକୁ ସେ ନିଜେ ତଦାରଖ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ସେବା କରିବାକୁ କହିଆସୁଛନ୍ତି । ଦଳ ଆହୁରି ଲୋକଙ୍କ ସେବା କରି ଆଶୀର୍ବାଦ ନେବ । ଆହୁରି ଭରସା ଜିତିବାକୁ ଦଳ ଉଦ୍ୟମ କରିବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ କରିବାକୁ ସମସ୍ତ ଚେଷ୍ଟା କରାଯିବ । ବିଜେଡି ବଡ଼ ଦଳ । ତେଣୁ ୨୦୨୪ ପାଇଁ ବଡ଼ ପ୍ରସ୍ତୁତି କରିବ ଦଳ ବୋଲି ସମୀକ୍ଷା ବୈଠକ ପରେ ନେତା ପ୍ରତିକ୍ରିୟାରେ କହିଛନ୍ତି ।

ଜଗତସିଂହପୁରରେ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଜଗତସିଂହପୁର ଜିଲ୍ଲାରେ ୨ଶହ ୧୩ କୋଟି ୮୪ ଲକ୍ଷ ଟଙ୍କାର ୪୮ଟି ଉନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲାର ବିକାଶ କଥା ସବୁବେଳେ ଚିନ୍ତା କରି ଆସିଛନ୍ତି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ୪ ଟି ମିଶନ୍ ଶକ୍ତି ଭବନ ରହିଥିବା ବେଳେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି । ଆଉ ଦୁଇଟି ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ରହିଛି। ଜଗତସିଂହପୁର ଆଳିପିଙ୍ଗଳ ଠାରେ ଦେବୀ ନଦୀ ଉପରେ ହାଇଲେବଲ ସେତୁ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର କରାଯିବ।

ଖାଲି ଏତିକି ନୁହେଁ ଶିକ୍ଷାର ଭିତ୍ତିଭୂମିର ବିକାଶ ନିମନ୍ତେ ଆଠଟି ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ନିବାସ ନିର୍ମାଣ କରାଯିବ। ବୈଷୟିକ ଶିକ୍ଷାର ଭିତ୍ତିଭୂମି ବିକାଶ, ଜିଲ୍ଲା ମୁଖ୍ୟାଳୟ ଭିତ୍ତିଭୂମିର ବିକାଶ, ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି।

୨୫ରେ ଭୁବନେଶ୍ୱରରେ ପହଞ୍ଚିବ ବିଶ୍ୱକପ ହକି ୨୦୨୩ ଟ୍ରଫି

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ ବିଶ୍ୱକପ ହକି ୨୦୨୩ର କପ୍‌। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବିଏମସିର ପ୍ରସ୍ତୁତି। ସ୍ମାର୍ଟ ଜନପଥରେ ଯାତାୟାତ ବନ୍ଦ କରି ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।  ମିନି ମାରାଥନ ସହ ଆୟୋଜିତ ହେବ ବିଭିନ୍ନ ପ୍ରକାର ପ୍ରତିଯୋଗିତା।

ଏହାସହ ଭୁବନେଶ୍ୱରକୁ ଫେରିବ ରାହାଗିରି। ଏଣିକି ପୂର୍ବଭଳି ପ୍ରତି ରବିବାର ଆୟୋଜିତ ହେବ ରାହାଗିରି। ସୂଚନା ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ।

ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍

ଭୁବନେଶ୍ୱର: ରାଜଧାନୀରେ ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍। ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ। ମଶା ବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ।

ଟିଫା ମେସିନ ଯାଇପାରୁନଥିବା ଇଲାକା ଓ ଜଳଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ଡ୍ରୋନ୍‌ର ବ୍ୟବହାର କରାଯିବ। ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ମୋବାଇଲ୍ ଆଣିବାକୁ ଯାଇ ୧୫ ଫୁଟ୍ ଗୁମ୍ଫାରେ ଫସିଲେ ଯୁବକ

ତେଲେଙ୍ଗାନା: ୧୫ ଫୁଟ୍ ଗୁମ୍ଫାରେ ଫସିଛି ଜୀବନ । ତେଲେଙ୍ଗାନା କାମାରେଡି ଜିଲ୍ଲାରେ ରାଜୁ ନାମକ ଜଣେ ବ୍ୟକ୍ତି ଗୁମ୍ଫାରେ ଫସି ରହିଛନ୍ତି । ରାଜୁଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ଜେସିବି ମେସିନ ସାହାଯ୍ୟରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ଗତ ୩୦ ଘଣ୍ଟା ଧରି ରାଜୁ ଗୁମ୍ଫା ମଧ୍ୟରେ ଫସି ରହିଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ରାଜୁଙ୍କ ମୋବାଇଲ ଗୁମ୍ଫା ଭିତରକୁ ଖସି ପଡ଼ିଥିଲା । ମୋବାଇଲ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେ ଦୁଇ ପଥର ମଝିରେ ଫସି ରହିଯାଇଥିଲେ। ଗୁମ୍ଫା ଭିତରେ ହିଁ ତାଙ୍କୁ ଖାଦ୍ୟ ପାଣି ଦିଆଯାଉଥିବା ବେଳେ ସିନିୟର ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି।

ସ୍ଥାନୀୟ ଡିଏସପିଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ବେଳେ ରାଜୁ ତା’ ସାଙ୍ଗ ସହିତ ବୁଲିବାକୁ ଯାଇଥିଲା । ପଥର ଉପରେ ଚାଲୁଥିବା ବେଳେ ରାଜୁର ମୋବାଇଲ୍ ଫୋନ୍ ଖସି ପଡିଥିଲା । ପରେ ଫୋନ୍ ଆଣିବାକୁ ଯାଇ ନିଜେ ପଥର କନ୍ଦିରେ ଫସିଯାଇଥିଲେ ରାଜୁ । ପରିବାର ବର୍ଗ ବହୁ ଖାେଜାଖୋଜି ପରେ ମଧ୍ୟ ରାଜୁକୁ ପାଇନଥିଲେ ।

ଶ୍ରଦ୍ଧା ୱାକର ହତ୍ୟା ମାମଲା; ଜଙ୍ଗଲରୁ ମିଳିଥିବା ହାଡ ଶ୍ରଦ୍ଧାଙ୍କର

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର କେସ୍ । ମେହରୁଲି ଜଙ୍ଗଲରୁ ମିଳିଥିବା ହାଡ ଶ୍ରଦ୍ଧାଙ୍କର ବୋଲି ଜଣାପଡ଼ିଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ପୋଲିସ କହିଛି ।

ଅଭିଯୁକ୍ତ ଅଫତାବ ପୁନାଓ୍ବାଲାର ବୟାନ ଆଧାରରେ ପୋଲିସ ସାଉଥ ଦିଲ୍ଲୀର ମେହରୁଲି ଜଙ୍ଗଲରୁ କିଛି ହାଡ଼ ଖଣ୍ଡ ଜବତ କରିଥିଲା । ଶ୍ରଦ୍ଧା ବାପାଙ୍କ ଡିଏନଏ ମ୍ୟାଚ୍ ପାଇଁ ଫରେନସିକ ଲ୍ୟାବକୁ ପଠାଇଥିଲା ପୋଲିସ । ଆଜି ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ସ୍ପଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ, ଗତ ମେ ୧୮ ତାରିଖରେ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଓ୍ବାକରକୁ ଦିଲ୍ଲୀର ଭଡ଼ା ଘରେ ହତ୍ୟା କରି ପିସ୍ ପିସ୍ କରି କାଟିଥିଲା ବୟଫ୍ରେଣ୍ଡ ଜହ୍ଲାଦ । ମାସ ମାସ ଧରି କଟା ଶରୀର ଫ୍ରିଜରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ହତ୍ୟା ସମ୍ପର୍କରେ ଜାଣିଥିଲା ।