୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ କରିଛି ସିବିଆଇ । ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି ।

ସୂଚନା ଅନୁଯାୟୀ, ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ସମ୍ପୃକ୍ତ ଅଧିକାରୀ ଜଣକ କହିଥିଲେ- ଅବକାରୀ ନୀତିର ଚିଠା ତିଆରି କରିବାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଭୂମିକା ଥିଲା ।

ବର୍ତ୍ତମାନ ଲାଗି ସିବିଆଇ ମୁଖ୍ୟାଳୟରେ ସିସୋଦିଆଙ୍କୁ ରଖାଯିବ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେବଳ ସିସୋଦିଆ ନୁହନ୍ତି ଆପର କେତେକ ନେତାଙ୍କୁ ସିବିଆଇ କରିଥିଲା ଟାର୍ଗେଟ । ଆପ୍ ସରକାରର ଅବକାରୀ ନୀତି ୨୦୨୧-୨୨କୁ ଗତ ବର୍ଷ ଜୁଲାଇ ୩୧ରେ ରଦ୍ଦ କରାଯାଇଥିଲା । ନୂଆ ନୀତିକୁ ରଦ୍ଦ କରିବା ପରେ ଗତ ୨୦୨୦ ନଭେମ୍ବର ୧୭ ପୂର୍ବରୁ ଲାଗୁ ହୋଇଥିବା ପୁରୁଣା ଅବକାରୀ ନୀତିକୁ କାର୍ଯ୍ୟକାରୀ କରିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ । ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ସୁପାରିସ୍ କରିଥିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା।

ତେବେ ମନୀଷଙ୍କୁ ଗତ ୧୯ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ। ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।