ମାଲକାନଗିରି: ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ। ମୃତକ ଜଣଙ୍କ ହେଲେ ଗୁରୁଜୀ ନିରାକାର ସେଠୀ। ସୂଚନା ଅନୁଯାୟୀ, ପିଅନ ଓ ଗୁରୁଜୀଙ୍କ ମଧ୍ୟରେ କୌଣସି କାରଣକୁ ବଚସା ହୋଇଥିଲା । ଏଥିରୁ ଉଗ୍ରରୂପ ନେଇଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ନରେଶ କ୍ଷତ୍ରୀୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ଜାନୁଆରୀ ମାସ ଛୁଟି ଦିନରେ ଖୋଲା ରହିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ
ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ଛୁଟିଦିନ ଗୁଡିକରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ। ମାସର ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଖୋଲା ରହିବ ଉଦ୍ୟାନ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ।
ଆଜି ନୂଆ ବର୍ଷରେ ମଧ୍ୟ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖିଛନ୍ତି। ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି ।
ନୂଆ ବର୍ଷରେ ରକ୍ତମୁଖା ଋଷ, ୟୁକ୍ରେନ ଉପରେ ମିଶାଇଲ ମାଡ
କିଭ୍: ନୂଆବର୍ଷରେ ବି ଥମିଲାନି ଋଷର ଆକ୍ରମଣ। ଗୋଟିଏ ପଟେ ନୂଆ ବର୍ଷକୁ ସ୍ବାଗତ କରାଯାଉଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ କରିଛି ଋଷ। ରାଜଧାନୀ କିଭ୍ ସମେତ ଅନ୍ୟାନ୍ୟ ସହର ଉପରେ ହୋଇଛି ଜୋରଦାର ଆକ୍ରମଣ । ମିଶାଇଲ ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଅଧିକ ଲୋକେ ଆହାତ ହୋଇଥିବା ସୂଚନା ମିଳିଛି। ସେପଟେ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ଧୈର୍ଯ୍ୟ ଧରି ପରିସ୍ଥିତିର ସାମନା କରିବା ଲାଗି ସହରବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟରାତ୍ରୀରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଋଷ ଐତିହାସିକ ଭାବେ ଏକ ସଠିକ୍ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। କିଭରେ ନବବର୍ଷ ପାଳନ ହେଉଥିବା ବେଳେ ୧୧ରୁ ଅଧିକ ବିସ୍ଫୋରଣ ସଂଗଠିତ ହେବା ସୂଚନା ମିଳିଛି। କିଭ ସ୍ଥିତ ତାରକା ହୋଟେଲ ଅଲଫାବିତୋରେ ବି ବିସ୍ଫୋରଣ ଘଟିଛି। ଯୁଦ୍ଧକୁ ୧୧ ମାସ ପୂରିଥିବାବେଳେ ଏବେ ବି ଆସିପାରିନାହିଁ ନିର୍ଣ୍ଣାୟକ ସ୍ଥିତି। ୟୁକ୍ରେନର ଚିଫ ଅଫ୍ ଜେନେରାଲ ଷ୍ଟାଫ ଭାଲେରି ଜାଲୁଝିନି କହିଛନ୍ତି- ଋଷ ପକ୍ଷରୁ ୟୁକ୍ରେନ ଉପରେ ୨୦ରୁ ଅଧିକ କ୍ରୁଜ ମିସାଇଲ ପ୍ରୟୋଗ କରାଯାଇଥିବାବେଳେ ସେଥିରୁ ୧୨ଟିକୁ ଖସାଇ ଦିଆଯାଇଛି । ଖୁବ୍ ଶୀଘ୍ର ଯୁଦ୍ଧର ଅବସାନ ହେବ ବୋଲି ବିଶ୍ବବାସୀ ଆଶା କରୁଥିବା ସତ୍ତ୍ବେ ଏଥିରେ କୌଣସି ସମ୍ଭାବନା ପରିଲକ୍ଷିତ ହୋଇପାରିନାହିଁ ।
ଆଫଗାନିସ୍ତାନ କାବୁଲରେ ଭୟଙ୍କର ବିସ୍ଫୋରଣ
କାବୁଲ: ଆଫଗାନିସ୍ତାନ କାବୁଲରେ ଭୟଙ୍କର ବିସ୍ଫୋରଣ। କାବୁଲର ସେନା ବିମାନବନ୍ଦର ବାହାରେ ଘଟିଛି ବିସ୍ଫୋରଣ। ରବିବାର ସକାଳେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିନ୍ତୁ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହାର ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। ଆଜି ସକାଳେ ମିଲିଟାରୀ ଏୟାରପୋର୍ଟ ବାହାରେ ଏହି ବିସ୍ଫୋରଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି ବୋଲି କହିଛନ୍ତି ମୁଖପାତ୍ର ଅବଦୁଲ ନାଫି ତକୋର। ଘଟଣା ସ୍ଥଳରେ ସୁରକ୍ଷା ବାହୀନ ପହଞ୍ଚି ସମସ୍ତ ଅଞ୍ଚଳକୁ ସିଲ୍ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି ।
ଗତ ଡିସେମ୍ବର ୧୨ ତାରିଖରେ କାବୁଲରେ ଚୀନ ବ୍ୟବସାୟୀ ରହୁଥିବା ଏକ ହୋଟେଲରେ ଅଜଣା ବନ୍ଧୁକଧାରୀ ହମଲା କରିଥିଲେ । ଏଥିରେ ୫ ଜଣ ନାଗରିକ ଆହତ ହୋଇଥିଲେ । ଗତ ୨୦୨୧ ଅଗଷ୍ଟରେ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ ଦେଶର ନିରାପତ୍ତା ନେଇ ପ୍ରଶ୍ନ ଉଠିଛି । ତାଲିବାନ ଶାସନକୁ ବିରୋଧ କରି ବିଭିନ୍ନ ଆତଙ୍କବାଦୀ ସଂଗଠନ ହମଲା ଜାରି ରଖିଛନ୍ତି । ତାଲିବାନ ଶାସନ ପରଠାରୁ ଦେଶରେ ଶତାଧିକ ଲୋକ ବିଭିନ୍ନ ହମଲାରେ ପ୍ରାଣ ହରାଇଲେଣି ।
ମସ୍କଙ୍କୁ ଝଟକା, ହରାଇଲେ ୨୦୦ ବିଲିୟନ ଡଲାରର ସମ୍ପତ୍ତି
ୱାଶିଂଟନ: ବିଶ୍ବର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବରେ ପରିଚିତ ଏଲନ ମସ୍କଙ୍କୁ ବଡ ଝଟକା । ହଜାର କି ଦୁଇ ହଜାର ମିଲିୟନ ନୁହେଁ ସମୁଦାୟ ୨୦୦ ବିଲିୟନ ସମ୍ପତ୍ତି ହରାଇଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଯିଏ କି ୨୦୦ ବିଲିୟନ ଡଲାରର ସମ୍ପତି ହରାଇଛନ୍ତି । ସେପ୍ଟେମ୍ବର ୨୦୨୨ରେ ମସ୍କ ଟ୍ବିଟର ଅଧିଗ୍ରହଣ କରିବା ପରେ ଟେସଲା କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଥିଲା । ଯାହାଫଳରେ ମସ୍କଙ୍କୁ ୨୦୦ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି ।
ଜାନୁଆରୀ ୨୦୨୧ରେ ୨୦୦ ବିଲିୟନ ଡଲାର ସମ୍ପତ୍ତି ଅର୍ଜନ କରିଥିବା ଏଲନ ମସ୍କ ବିଶ୍ବର ଦ୍ୱିତୀୟ ଧନୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିଲେ । ତାଙ୍କ ପୂର୍ବରୁ ଆମଜନ ମୁଖ୍ୟ ଜେଫ ବେଜୋସ୍ ୨୦୦ ବିଲିୟନ ଡଲାର ସମ୍ପତ୍ତି ଅର୍ଜନ କରିଥିଲେ ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ଟେସଲା କମ୍ପାନୀର ସେୟାର ଭ୍ୟାଲୁ ଦୁର୍ବଳ ରହିବା ସହ ୧୧ ପ୍ରତିଶତ ହ୍ରାସ ହୋଇଥିଲା । ଯାହାଫଳରେ ମସ୍କଙ୍କର ୨୦୦ ବିଲିୟନ ଡଲାର କ୍ଷତି ହୋଇଛି । ମସ୍କଙ୍କ ଏବେ ମୋଟ ସମ୍ପତ୍ତି ୧୩୭ ବିଲିୟନ ଡଲାର ରହିଛି । ୨୦୨୧ ନଭେମ୍ବର ୪ ତାରିଖ ଶୁଦ୍ଧା ମସ୍କଙ୍କ ସମ୍ପତ୍ତି ପରିମାଣ ମୋଟ ୩୪୦ ବିଲିୟନ ଡଲାର ରହିଥିଲା । ତେବେ ସେବାଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ମସ୍କଙ୍କ ସମ୍ପତ୍ତିରେ ୨୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି । ସମ୍ପତ୍ତି ହ୍ରାସ ପାଇବା ସତ୍ତ୍ୱେ ମସ୍କ ବିଶ୍ବର ଧନୀ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛିନ୍ତି ।
ଅଶାନ୍ତ ରାଜଧାନୀ: ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା
ଭୁବନେଶ୍ବର: ପୁରୁଣା ବର୍ଷ ଗଲା ନୂଆ ବର୍ଷ ଆସିଲା । ହେଲେ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଲାନି କିଛି ଫରକ୍ । ରକ୍ତରଞ୍ଜିତ ୨୦୨୨କୁ ଭୁଲି ନୂଆବର୍ଷର ପ୍ରଥମ ଦିନରେ ନୂଆ ଆରମ୍ଭ କରିବାକୁ ଯାଉଥିବା ରାଜଧାନୀରେ ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଛି ଅସାମାଜିକ ତତ୍ବଙ୍କ ଦୌରାତ୍ମ୍ୟ । ପତିଆରା ଜାହିର କରିବାକୁ ରାଜଧାନୀରେ ବୁଲିଛି ଖଣ୍ଡା, ହୋଇଛି ଭଙ୍ଗାରୁଜା । ଯାହାର ଭିଡିଓ କଏଦ ହୋଇଛି ସିସିଟିଭିରେ ।
ଘଟଣା ଘଟିଛି ରାଜଧାନୀର ନୟାପଲ୍ଲୀ ଥାନା ଭୋଇ ସାହିରେ । ଗତକାଲି ରାତିରେ କ୍ଲବ ସଦସ୍ୟ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାର ଆପୋଷ ସମାଧାନ କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଘଟଣା ପୁଣି ଉଗ୍ରରୂପ ଧାରଣ କରିଥିଲା । ୧୫ରୁ ୨୦ ଯୁବକ ମାରଣାସ୍ତ୍ର ଧରି ସାହିରେ ଆତଙ୍କ ଖେଳାଇଥିଲେ । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଥିଲା । ରାଜଧାନୀର ଉତ୍ପାତ ମଚାଇଥିବା ଏହି ଅସାମାଜିକ ଯୁବକମାନଙ୍କ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଚୀନ କରୋନା: ଜାନୁଆରୀରେ ମରିବେ ୬ ଲକ୍ଷ ଲୋକ !
ବେଞ୍ଜିଙ୍ଗ: ଚୀନରେ କରୋନା ବିସ୍ଫୋଟ । ଦୈନିକ କୋଟିଏରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଦିନକରେ ମୃତ୍ୟୁ ସଂଖ୍ୟା ୯ ହଜାର ଛୁଇଁଛି । ବ୍ରିଟେନର ଏକ ସଂସ୍ଥା ପକ୍ଷରୁ ଜାରି ରିପୋର୍ଟରେ ଏ ସଂକ୍ରାନ୍ତ ତଥ୍ୟ ପ୍ରକାଶ ପାଇଛି। ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମୃତ୍ୟୁସଂଖ୍ୟା ୧ ଲକ୍ଷ ପାର କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା ମୃତ୍ୟୁସଂଖ୍ୟା ପ୍ରାୟ ୬ ଲକ୍ଷ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଚୀନ ସରକାର କରୋନା ମୃତ୍ୟୁସଂଖ୍ୟା ଲୁଚାଉଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସନ୍ଦେହ କରୁଥିବା ବେଳେ ଖୁବଶୀଘ୍ର ଏ ନେଇ ଚୀନ ସ୍ବାସ୍ଥ୍ୟ ଅଧିକାରୀ ଓ WHO ବିଶଷଜ୍ଞଙ୍କ ମଧ୍ୟରେ ଆଲୋଚନା ହୋଇଛି । କେବଳ ନ୍ୟୁକ୍ଲିକ ଏସିଡ ଟେଷ୍ଟ କରାଇଥିବା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ କରୋନା ମୃତ୍ୟୁ ବୋଲି ଚୀନ ସରକାର ଘୋଷଣା କରୁଥିବାରୁ ମୃତ୍ୟୁସଂଖ୍ୟା ଅତ୍ୟଧିକ କମ୍ ଦର୍ଶାଯାଉଛି ବୋଲି WHO କହିଛି ।
ଚୀନ ସରକାର ଜେନେଟିକ୍ ସିକ୍ବେନ୍ସିଂ, ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ଓ ଟିକାକରଣ ଓ ମୃତ୍ୟୁସଂଖ୍ୟାର ସଠିକ୍ ଡାଟା ପ୍ରଦାନ କରିବାକୁ WHO ପକ୍ଷରୁ ଅପିଲ କରାଯାଇଛି । ଚୀନରେ କରୋନା ସ୍ଥିତିକୁ ଦେଖି ପୂର୍ବରୁ ବହୁ ଦେଶ ସେଠାକାର ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରିଥିବା ବେଳେ ଏବେ କାନାଡା, ମରକୋ ମଧ୍ୟ କଟକଣା ଲାଗୁ କରିଛନ୍ତି । ଚୀନରେ କରୋନା ପରିସ୍ଥିତି ଅନିୟନ୍ତ୍ରିତ ଥିବା ଯୋଗୁଁ ଭାରତ ସରକାର ଆଗୁଆ ସଜାଗ ହୋଇଛନ୍ତି । ସେପଟେ ଚୀନରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ବ୍ରିଟେନ ଚୀନ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ।
ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ନେତାଙ୍କ ଭିଡ଼
ଭୁବନେଶ୍ବର: ଆସିଛି ନୂଆବର୍ଷ ୨୦୨୩ । ସମସ୍ତେ ପରସ୍ପରକୁ ଜଣାଉଛନ୍ତି ନବବର୍ଷର ଅଭିନନ୍ଦନ । ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଛୁଟୁଛି ନୂଆବର୍ଷର ଅଭିନନ୍ଦନ । ଏଥିରୁ ଦଳୀୟ ନେତା ଓ କର୍ମୀ ବା କେମିତି ପଡ଼ିବେ ବାଦ । ପ୍ରିୟ ନେତା ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ବିଜେଡି ମନ୍ତ୍ରୀ, ନେତା ଓ କର୍ମୀଙ୍କ ଭିଡ଼ ।
ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ସମୀର ଦାସ, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଶ୍ରୀମୟୀ ମିଶ୍ରଙ୍କ ଭଳି ପ୍ରମୁଖ ନେତା ମନ୍ତ୍ରୀ ନବୀନ ନିବାସରେ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେବଳ ବିଧାୟକ କି ମନ୍ତ୍ରୀ ନୁହନ୍ତି, ତୃଣମୂଳ ସ୍ତରରେ ନେତା ବି ଦଳ ସଭାପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଅଭିନନ୍ଦନ ଜଣାଇବାକୁ ନବୀନ ନିବାସରେ ପ୍ରଶଂସକଙ୍କ ଭିଡ଼ ବି ଦେଖିବାକୁ ମିଳିଛି । ଚାଲିପାରୁନଥିଲେ ବି ଜଣେ ପ୍ରଶଂସକ ନବୀନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବାକୁ ଗୁରୁଣ୍ଡି ଗୁରୁଣ୍ଡି ପହଞ୍ଚିଛନ୍ତି ।

