ନୂଆଦିଲ୍ଲୀ: ଆଉ ଜଣେ ବିଧାୟକ ଯାଇପାରନ୍ତି ଜେଲ୍ । ଦିଲ୍ଲୀର ମଡେଲ ଟାଉନର ଆପ୍ ବିଧାୟକ ଅଖିଳେଶ ପତି ତ୍ରୀପାଠି ୨୦୨୦ରେ ଜଣେ ଛାତ୍ରଙ୍କୁ ମାରଧର କରିବା ଘଟଣାରେ ଦୋଷୀ ସାବ୍ୟସ୍ଥ କରିଛନ୍ତି କୋର୍ଟ । ଆସନ୍ତା ଏପ୍ରିଲ ୧୩ରେ ବିଧାୟକଙ୍କ ବିରୋଧରେ ଦଣ୍ଡାଦେଶ କରିବେ କୋର୍ଟ । ଆଇପିସି ଧାରା ୩୨୩ ଅନୁସାରେ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ଥ କରିଛନ୍ତି କୋର୍ଟ ।

୨୦୨୦ ଫେବ୍ରୁଆରୀ ୭ରେ ଅଭିଯୋଗକାରୀ ସଞ୍ଜିବ କୁମାରଙ୍କୁ ରାତିରେ ରାସ୍ତାରେ ଅଟକାଇ ନିର୍ଧୁମ ପିଟିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାପରଦିନ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ସଞ୍ଜିବଙ୍କ ବାପା ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବାରୁ ତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ପ୍ରକାଶ କରିଛନ୍ତି ।

ପୂର୍ବରୁ ଆପର ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଜେଲରେ ଥିବା ବେଳେ ଆଉ ଜଣେ ବିଧାୟକ ଜେଲ ଯିବା ନେଇ ଚର୍ଚ୍ଚା ଜୋର ହେଉଛି । ସେପଟେ ଆପ୍ ବିରୋଧରେ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ଦଳର ନେତା କହିଛନ୍ତି ।