spot_img
Home Blog Page 3534

ଚଳିତ ହକି ବିଶ୍ୱକପରେ ଦଳ ବଦଳାଇଛନ୍ତି ପେଲାଟ୍ ଓ ମେନିନି

ଭୁବନେଶ୍ୱର: ଆରମ୍ଭ ହୋଇସାରିଛି ହକି ମହାକୁମ୍ଭ । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଉଛି ହକି ବିଶ୍ୱକପର ୧୫ତମ ସଂସ୍କରଣ । ଚଳିତ ବିଶ୍ୱକପରେ ଦେଖିବାକୁ ମିଳୁଛି ରୋଚକ ତଥ୍ୟ । ଚଳିତ ବିଶ୍ୱକପରେ ଦୁଇ ଜଣ ଖେଳାଳି ଦଳ ବଦଳ କରି ଖେଳୁଛନ୍ତି । ଆର୍ଜେଣ୍ଟିନା ପକ୍ଷରୁ ପୂର୍ବରୁ ଖେଳୁଥିବା ଗୋଞ୍ଜାଲୋ ପେଲାଟ୍ ଓ ଜୋଆକ୍ୱିନ୍ ମେନିନି ଅଲଗା ଦେଶରୁ ଖେଳୁଛନ୍ତି । ପେଲାଟ୍ ଚଳିତ ବିଶ୍ୱକପରେ ଜର୍ମାନୀ ପକ୍ଷରୁ ଖେଳୁଥିବାବେଳେ ମେନିନି ସ୍ପେନକୁ ବଦଳ ହୋଇଆସିଛନ୍ତି ।

ଆର୍ଜେଣ୍ଟିନାର ଦୁର୍ଦ୍ଦଷ ଡ୍ରାଗ୍ ଫ୍ଲିକର ଗୋଞ୍ଜାଲୋ ପେଲାଟ୍ । ଏହି ୩୦ ବର୍ଷୀୟ ହକି ଖେଳାଳି ଆର୍ଜେଣ୍ଟିନା ବହୁ ସଫଳତା ଆଣିଛନ୍ତି । ୨୦୧୬ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ହେଉ କିମ୍ବା ୨୦୧୪ ବିଶ୍ୱକପରେ ବ୍ରୋଞ୍ଜ ପଦକ । ଏହି ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ୨୦୧୬ ଅଲମ୍ପିକ୍ସରେ ପେଲାଟ୍ ଆର୍ଜେଣ୍ଟିନା ପକ୍ଷରୁ ୧୧ଟି ଗୋଲ୍ ଦେଇ ଶ୍ରେଷ୍ଠ ଗୋଲ ସ୍କୋରର ହୋଇଥିଲେ । ସେହିପରି ୨୦୧୪ ହକି ବିଶ୍ୱକପରେ ୧୦ଟି ଗୋଲ ସ୍କୋର କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲ ପେଲାଟ୍ ୧୫୩ଟି ମ୍ୟାଚ୍ ଖେଳି ୧୭୬ଟି ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲା । କିନ୍ତୁ ୨୦୧୯ରେ ଆର୍ଜେଣ୍ଟିନା କୋଚ୍ ଜର୍ମାନ ଓରୋଜକୋଙ୍କ ସହ ତାଙ୍କର ବିବାଦ ଯୋଗୁ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ପେଲାଟ୍ । ପରେ ୨୦୨୨ରେ ସେ ଜର୍ମାନୀ ନାଗରିକତ୍ୱ ଗ୍ରହଣ କରିବା ସହ ଜାତୀୟ ହକି ଦଳରେ ସାମିଲେ ହୋଇଥିଲେ ।

ସେହିପରି ୨୦୧୪ରେ ଆର୍ଜେଣ୍ଟିନା ପାଇଁ ଡେବ୍ୟୁ କରିଥିବା ଜୋଆକ୍ୱିନ୍ ମେନିନି ୨୦୨୮ ବିଶ୍ୱକପ୍ ଖେଳିବା ପରେ ଆଉ ଦଳରେ ସ୍ଥାନ ପାଇନଥିଲେ । ତେଣୁ ସେ ୨୦୨୨ରେ ସ୍ପେନ୍ ଦଳରେ ସାମିଲ ହୋଇଥିଲେ । ମେନିନି ଆର୍ଜେଣ୍ଟିନା ପକ୍ଷରୁ ୧୧୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତେବେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଆର୍ଜେଣ୍ଟିନା ପାଇଁ ବହୁ ସଫଳତା ଆଣିଥିଲେ । ଏବେ ଏହି ଦୁଇ ଖେଳାଳି ଜର୍ମାନୀ ଓ ସ୍ପେନ ପକ୍ଷରୁ ଖେଳି କେତେ ସଫଳ ହେଉଛନ୍ତି ତାହା ଦେଖିବାର ବିଷୟ ।

ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀରେ ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା

ବ୍ୟାସନଗର: ଯାଜପୁର ବ୍ୟାସନଗରରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀରେ ଯୋଗଦେଇଥିଲେ ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା। ଓଡ଼ିଶାକୁ ଆସି ସେ ଖୁବ୍ ଖୁସି ଏବଂ ଓଡ଼ିଶାର କଳା ସଂସ୍କୃତି ତାଙ୍କୁ ବେଶି ପ୍ରଭାବିତ କରିଛି ବୋଲି କହିଛନ୍ତି। ସେ ଆଉଥରେ ଆସିବେ ବୋଲି ମଧ୍ୟ କହିଛନ୍ତି । ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ଆପଣାଯାଉଛି । ଜଳବାୟୁ ଠିକ ରହିଲେ କାରିଗରଙ୍କୁ କାମ କରିବାରେ ସୁବିଧା ହୁଏ । କାରିଗରଙ୍କୁ ସଠିକ ପାରିଶ୍ରମିକ ମିଳୁ ବୋଲି କହିଛନ୍ତି ଦୀୟା ମିର୍ଜା । ସଠିକ ପାରିଶ୍ରମିକ ମିଳିଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ଉନ୍ନତି ହୋଇପାରିବ।

ଗଞ୍ଜାମରେ ଚାଞ୍ଚଲ୍ୟ; ଶିଶୁକନ୍ୟାକୁ କୂଅରେ ଫିଙ୍ଗି ମାଆ ଫେରାର

ଗଞ୍ଜାମ: ଶିଶୁ କନ୍ୟାକୁ କୂଅରେ ଫିଙ୍ଗି ମାଆ ଫେରାର। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ା ବ୍ରାହ୍ମଣ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ସୌଭାଗ୍ୟ ବଶତଃ ବଞ୍ଚିଯାଇଛି ଶିଶୁକନ୍ୟା ।

ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଅଭାବନୀୟ ଘଟଣା କଙ୍କୋରଡ଼ା ବ୍ରାହ୍ମଣ ସାହିରେ ଘଟିଛି। କୂଅରୁ ଶିଶୁକନ୍ୟାକୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି। ଶିଶୁକନ୍ୟା ଶୋଇଥିବା ବେଳେ ତା’ ମାଆ ଉଠାଇ ନେଇ କୂଅରେ ଫିଙ୍ଗିବା ପରେ ଫେରାର ହୋଇଯାଇଥିଲା। ଝିଅଟି କୂଅରେ ଓହଳିକି ଥିବା ଗ୍ରାମବାସୀ ସକାଳେ ଦେଖି ଉଦ୍ଧାର କରିଥିଲେ । ତେବେ କାହିଁକି ଶିଶୁକନ୍ୟାକୁ ମାଆ କୂଅରେ ଫିଙ୍ଗିଲା, କାରଣ ଜଣାପଡ଼ିନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ଅନ୍ତିମ ଚରଣରେ ଭାରତ ଯୋଡ଼ ଯାତ୍ରା, କନ୍ୟାକୁମାରୀରୁ ବାହାରି କାଶ୍ମୀରରେ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଭାରତ ଯୋଡ଼ ଯାତ୍ରା । ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କନ୍ୟାକୁମାରୀରୁ ବାହାରିଥିବା ପଦଯାତ୍ରା କାଶ୍ମୀରରେ ପହଞ୍ଚିଛି । ଗୋଟିଏ ଟି-ସର୍ଟରେ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରିଛନ୍ତି ରାହୁଲ । ଜାମ୍ମୁ-କାଶ୍ମୀରରେ ପହଞ୍ଚିବା ପରେ ଘରକୁ ଫେରିବା ଭଳି ଲାଗୁଛି ବୋଲି ରାହୁଲ କହିଛନ୍ତି । ଉପତ୍ୟକାବାସୀଙ୍କ ଦୁଃଖ ମୁଁ ଜାଣିଛି ଓ ନତମସ୍ତକ ହୋଇ ସେମାନଙ୍କ ପାଖକୁ ଆସିଛି ବୋଲି ଆୟୋଜିତ ସଭାରେ ରାହୁଲ କହିଛନ୍ତି । ସେପଟେ ରାହୁଲଙ୍କ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ଯାତ୍ରା ସହ ତୁଳନା କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ।

ରାସ୍ତା ନଥିବା ବେଳେ ଜଙ୍ଗଲ ଦେଇ କନ୍ୟାକୁମାରୀରୁ କାଶ୍ମୀର ଆସିଥିଲେ ଶଙ୍କରାଚାର୍ଯ୍ୟ । ଏହି ଯାତ୍ରା କରିବାରେ ରାହୁଲ ଦ୍ବିତୀୟ ବ୍ୟକ୍ତି ବୋଲି ଫାରୁକ କହିଛନ୍ତି । ମାଦୋପୁରଠାରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଏକ ଜନସଭାକୁ ରାହୁଲ ସମ୍ବୋଧିତ କରିଥିଲେ । ସଭାରେ ସାମିଲ ହୋଇ ରାହୁଲଙ୍କ ଯାତ୍ରାକୁ ପ୍ରଶଂସା କରିଥିଲେ ଫାରୁକ ଅବଦୁଲ୍ଲା । ଜାନୁଆରୀ ୩୦ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କାଶ୍ମୀରରେ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ୨୧ ଆଞ୍ଚଳିକ ଦଳର ନେତା ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।

ବୌଦ୍ଧରେ ଗଞ୍ଜେଇ କାରବାର, ୨ କନେଷ୍ଟବଳ ନିଲମ୍ବିତ

ବୌଦ୍ଧ: ଗଞ୍ଜେଇ କାରବାରରେ ଜଣେ ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ। ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ପଛରେ ପୋଲିସର ସଂପୃକ୍ତିକୁ ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି। ଏହାରି ଭିତରେ ତିନିଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏହି ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରିଛି ।

ଗତ ୧୬ ତାରିଖ ଦିନ ବଡଗୋଛାପଡା ଗାଁର ଚନ୍ଦନ ପ୍ରଧାନ ଓ ସରଜିତ ମଲ୍ଲିକ ଏକ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବାବେଳେ ବେରେଡାବାଡି ଛକ ନିକଟରୁ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନଷ୍ଟେବଳ ସଞ୍ଜିବ କୁମାର ପ୍ରଧାନ ଓ କେଶବ ପ୍ରଧାନଙ୍କୁ ଧରିବାପରେ ଛାଡି ଦେଇଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାବେଳେ ଦୁଇଟି ବ୍ୟାଗରେ ଥିବା ଜବତ ଗଞ୍ଜେଇକୁ ପୋଲିସ କର୍ମଚାରୀମାନେ ସାଙ୍ଗରେ ନେଇ ନିଜ ସରକାରୀ କ୍ୱାର୍ଟରରେ ରଖିଥିଲେ ।

ତେବେ ଘଟଣା ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜାଣିବାପରେ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟରରୁ ଦୁଇଟି ବ୍ୟାଗରେ ଥିବା ୧୩ କିଲୋ ଗଞ୍ଜେଇ ସହ ଏକ ମଟରସାଇକେଲ ଉଦ୍ଧାର ହେବାପରେ ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଳଙ୍କୁ ଆରକ୍ଷୀ ଅଧିକ୍ଷକ ନିଳମ୍ବିତ କରିବା ସହିତ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ରିଲିଜ ପୂର୍ବରୁ ବକ୍ସ ଅଫିସରେ ପଠାନ କ୍ରେଜ୍, ପ୍ରି-ବୁକିଂରେ ୯ କୋଟିର ବିଜନେସ୍

ମୁମ୍ବାଇ: ରିଲିଜ ପୂର୍ବରୁ ବକ୍ସ ଅଫିସରେ ପଠାନ କ୍ରେଜ୍ । ପ୍ରାୟ ୪ ବର୍ଷ ଧରି ବଡ଼ ସ୍କ୍ରିନରୁ ଦୂରରେ ରହିଥିବା କିଙ୍ଗ ଖାନଙ୍କ ଫିଲ୍ମ ପଠାନକୁ ନେଇ ଫ୍ୟାନଙ୍କ ମଧ୍ୟରେ ଅନେକ ଉତ୍ସାହ । ତମାମ ବିରୋଧ ସତ୍ତ୍ବେ ପଠାନ ଫିଲ୍ମକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ । ପ୍ରି-ବୁକିଂରେ ୯ କୋଟି ଟଙ୍କାର ବିଜନେସ କରିଛି ଶାହରୁଖଙ୍କ ଫିଲ୍ମ । ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଆଡଭାନ୍ସ ବୁକିଂରେ ୧ ଲକ୍ଷ ୧୭ ହଜାର ଟିକେଟ ବୁକ୍ ହୋଇଛି । ଇଣ୍ଡିଆନ ବକ୍ସ ଅଫିସ ଏନେଇ ଟୁଇଟ କରିଛି ।

ମଲ୍ଟିପ୍ଲେକ୍ସ ଚେନ୍ସରେ ୧ ଲକ୍ଷ ୧୭ ହଜାର ଟିକେଟ ବିକ୍ରି କରି ନୂଆ ରେକର୍ଡ ସୃଷ୍ଟି କରିଛି ପଠାନ । ପିଭିଆର୍ ୫୧ ହଜାର ଟିକେଟ ବିକ୍ରି କରିଥିବା ବେଳେ INOX ୩୮ ହଜାର ୫ ଶହ ଓ ସିନୋପଲିସ ୨୭ ହଜାର ୫ ଶହ ଟିକେଟ ବିକ୍ରି କରିଛି ବୋଲି ସିନେ ସମୀକ୍ଷକ ତରଣ ଆଦର୍ଶ କହିଛନ୍ତି । ଶାହାରୁଖ ଖାନ୍, ଦୀପିକା ପାଦୁକୋନ ଓ ଜନ୍ ଇବ୍ରେହିମଙ୍କ ଅଭିନୀତ ପଠାନ ଫିଲ୍ମ ଆସନ୍ତା ୨୫ ତାରିଖରେ ବଡ଼ ପରଦାରେ ରିଲିଜ ହେବ । ଆଶୁତୋଷ ରାଣାଙ୍କୁ ମଧ୍ୟ ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀକୁ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ବ୍ୟାସନଗର: ଯାଜପୁର ବ୍ୟାସନଗରରେ ୨ଦିନିଆ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କ୍ରାଫ୍ଟ ସମ୍ମିଳନୀର ଉଦଘାଟନ କରିଛନ୍ତି। ସମ୍ମିଳନୀ ଉଦଘାଟନ କରି ଖୁସି ବ୍ୟକ୍ତ କରିଛନ୍ତି ନବୀନ। ବୌଦ୍ଧ ଧର୍ମର ପ୍ରମୁଖ କ୍ଷେତ୍ର ଥିଲା ଯାଜପୁର।

ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ହେଉଛି। ଆଜି ଏବଂ ଆସନ୍ତାକାଲି ୨ ଦିନ ସମ୍ମିଳନୀ ଚାଲିବ । ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିଛନ୍ତି। ମୋଟ୍ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ୨୦ଜଣ ଅନ୍ତର୍ଜାତୀୟ କଳାକାର ଭାଗ ନେଇଛନ୍ତି। ଶହେରୁ ଅଧିକ ସ୍ଥାନୀୟ କାରିଗର ଓ ପ୍ରତିନିଧି ଏବଂ ୫୦ ବକ୍ତା ରହିଛନ୍ତି ।

ହକି ବିଶ୍ୱକପ; ଆଜି ଖେଳାଯିବ ୪ଟି ମ୍ୟାଚ

ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ଗୋଲ୍ ବର୍ଷା । ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ । ଦିନ ଗୋଟାଏରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଥିବା ବେଳେ ଅପରାହ୍ନ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ରହିଛି। ସେହିପରି ସଂଧ୍ୟା ୫ଟାରେ ବେଲଜିୟମ ଓ ଜାପାନ ମଧ୍ୟରେ ଟକ୍କର ହେବ । ରାତି ୭ଟାରେ କୋରିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ ମ୍ୟାଚ୍‌ ।

ଉଲ୍ଲେଖଯୋଗ୍ୟ, ଗତକାଲି ହକି ବିଶ୍ବକପ ମହାକୁମ୍ଭରେ ବାଜମାତ କରିଥିଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଓ୍ବେଲ୍ସକୁ ୪-୨ ଗୋଲରେ ହରାଇଥିଲା ଇଣ୍ଡିଆ। ଭାରତ ପକ୍ଷରୁ ପ୍ରଥମ ଗୋଲ ସମଶେର ସିଂ ଦେଇଥିବା ବେଳେ ୨ଟି ଗୋଲ ଦେଇଥିଲେ ଆକାଶଦୀପ ସିଂ ଓ ଶେଷ ଗୋଲ ଦେଇଥିଲେ ହରମନପ୍ରୀତ ସିଂ। ଶେଷରେ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ କ୍ବାଟରକୁ ଯିବା ପାଇଁ କ୍ରସ ଓଭର ମ୍ୟାଚ ଖେଳିବ ଭାରତ । ଆସନ୍ତା ୨୨ତାରିଖରେ ପୁଲ ସିର ତୃତୀୟରେ ଥିବା ନ୍ୟୁଜିଲାଣ୍ଡ ସହ କ୍ରସ ଓଭର ଖେଳିବ ଟିମ୍ ଇଣ୍ଡିଆ।

୨୩ରେ ନୌସେନାରେ ସାମିଲ ହେବ ଆଇଏନଏସ୍ ବାଗିର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ରାଜ୍ କରିବ ବାହୁବଳୀ । ଆସନ୍ତା ଜାନୁଆରୀ ୨୩ରେ ନୌସେନାରେ ସାମିଲ ହେବ ଆଇଏନଏସ୍ ବାଗିର। ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର ନୌସେନାର ସାମିଲ ହେବା ଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଫ୍ରାନ୍ସର ମେସର୍ସ ନାଭାଲ ଗ୍ରୁପ ସହାୟତାରେ ମୁମ୍ବାଇସ୍ଥିତ ମାଜାଗାଁ ଡକ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ନିର୍ମିତ ଏହି ବୁଡ଼ାଜାହାଜ ବିଶ୍ବସ୍ତରୀୟ ଏବଂ ଭାରତୀୟ ପ୍ରତିରକ୍ଷାକୁ ଅଧିକ ଶକ୍ତିଶାଳୀ କରିବ ।

କାଲଭାରି ଶ୍ରେଣୀର ଏହି ସବମରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି । ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । ଗତ କିଛିମାସ ତଳେ ଆଇଏନଏସ ବାଗିରର ହୋଇଥିବା ସମସ୍ତ ଟ୍ରାଏଲ ସଫଳ ହୋଇଥିଲା ।

ଏଥିରେ ଖଞ୍ଜାଯାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଓ ସେନସର ଟ୍ରାଏଲ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ପ୍ରଥମ ଥର ଲାଗି ୧୯୭୩ ନଭେମ୍ବର ୧ରେ ଆଇଏନଏସ ବାଗିରର ପ୍ରଥମ ଭର୍ସନ ନୌସେନାରେ ସାମିଲ ହୋଇଥିଲା । ଏହା ପରଠାରୁ ଅନେକ ମିସନରେ ନିଜର ସଫଳ ପରାକାଷ୍ଠା ପ୍ରଦର୍ଶନ କରିଆସିଛି ଆଇଏନଏସ ବାଗିର ।

ଋଷ ପରାଜୟ ହେଲେ ଘଟିପାରେ ଆଣବିକ ଯୁଦ୍ଧ

ମସ୍କୋ: ଯୁଦ୍ଧରେ ଯଦି ଋଷର ପରାଜୟ ହୁଏ ତେବେ ଆଣବିକ ଯୁଦ୍ଧ ଘଟିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ । ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସେ କହିଛନ୍ତି ଯଦି ପାରମ୍ପରିକ ଯୁଦ୍ଧରେ କୌଣସି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ପରାଜୟ ଘଟେ ତେବେ ଆଣବିକ ଯୁଦ୍ଧ ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ।

ସେ କହିଛନ୍ତି- ଅଧିକାଂଶ ପ୍ରମୁଖ ବିବାଦରେ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନେ କେବେ ବି ପରାଜିତ ହୋଇନାହା୍ନ୍ତି । ଯଦି ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ର ଅଧିକ ଅସ୍ତ୍ର ଯୋଗାନ୍ତି ତେବେ ଆଣବିକ ଯୁଦ୍ଧ ଘଟିପାରେ ବୋଲି ସେ ସତର୍କ କରାଇଛନ୍ତି । ସେପଟେ ଯଦି ୟୁକ୍ରେନକୁ ଅଧିକ ଅସ୍ତ୍ର ଦେବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ଆଗ୍ରହୀ ହୁଅନ୍ତି ତେବେ ୟୁକ୍ରେନରେ ପୁନର୍ବାର ଜୋରଦାର ଆକ୍ରମଣ ହେବ ବୋଲି ଧମକ ଦେଇଛି ଋଷ ।

ଆଜି ଜର୍ମାନୀର ରାମଷ୍ଟେନ ଏୟାରବେସରେ ଆମେରିକା ନେତୃତ୍ବରେ ମିତ୍ର ଶକ୍ତିରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ୟୁକ୍ରେନକୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ଯୋଗାଇବା ଲାଗି ଏହି ବୈଠକରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ସେପଟେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ନଦେବା ଲାଗି ପାଶ୍ଚାତ୍ୟରାଷ୍ଟ୍ରକୁ ଚେତାବନୀ ଦେଇଛି କ୍ରେମଲିନ । ଆମେରିକା ବା ନାଟୋ ଶକ୍ତି ୟୁକ୍ରେନକୁ ଯେକୌଣସି ଅସ୍ତ୍ର ଯୋଗାଇଲେ ବି ତାହାକୁ ଧ୍ବଂସ କରିଦିଆଯିବ ବୋଲି କହିଛି କ୍ରେମଲିନ ।