କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଓପିନିଅନ ପୋଲରେ ମିଳିଲାନି ବହୁମତ

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ଗୋଟିଏ ବି ସର୍ଭେରେ ବିଜେପିକୁ ମିଳିଲାନି ବହୁମତ। ମାସକ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଗତକାଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ନିର୍ବାଚନ ତାରିଖ ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସଂସ୍ଥା ପକ୍ଷରୁ ଓପିନିଅନ ପୋଲ ରିପୋର୍ଟ ପ୍ରକାଶ ପାଇଛି ।

ଆଗାମୀ ନିର୍ବାଚନରେ ବିଭିନ୍ନ ଦଳର ପ୍ରଦର୍ଶନକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ବିଜେପି ସରକାର ଗଠନ କରିବା ଭଳି ସ୍ଥିତିରେ ନାହିଁ । ଏବେ କର୍ଣ୍ଣାଟକରେ ବିଜେପି ସରକାରରେ ରହିଛି । ଏବିପି ସି-ଭୋଟର ସର୍ଭେରେ ୨୨୪ ଆସନରୁ ବିଜେପି ମାତ୍ର ୬୮ରୁ ୮୦ ସିଟ ମିଳିପାରେ ବୋଲି ରିପୋର୍ଟ ଆସିଛି। କଂଗ୍ରେସକୁ ୧୧୫ରୁ ୧୨୭ ଆସନ ମିଳୁଥିବା ବେଳେ ଜେଡିଏସ ୨୩ରୁ ୨୫ ସିଟ ମିଳିପାରେ। ଯଦି ସର୍ଭେ ସତ ହୁଏ, ତେବେ କଂଗ୍ରେସକୁ ସରକାର ଗଠନ ପାଇଁ ଆଉ ମାତ୍ର କେଇଟା ଆସନର ଆବଶ୍ୟକ ପଡ଼ିପାରେ।

ସେପଟେ ମାଟ୍ରିଜ ସର୍ଭେରେ ବିଜେପିକୁ ଅଧିକ ଆସନ ମିଳୁଥିଲେ ବି ସରକାର ଗଠନ କରିବା ସ୍ଥିତି ନାହିଁ । ବିଜେପିକୁ ୯୬ରୁ ୧୦୬ ଆସନ, କଂଗ୍ରେସକୁ ୮୮ରୁ ୯୮ ଆସନ ଓ ଜେଡିଏସକୁ ୨୩ରୁ ୩୩ଆସନ ମିଳିପାରେ ସର୍ଭେ ରିପୋର୍ଟ ଦେଇଛି ମାଟ୍ରିଜ । ଅନ୍ୟ ଦଳକୁ ୨ରୁ ୭ଟି ଆସନ ଯାଇପାରେ। ଲୋକପୋଲ ସର୍ଭେରେ ବିଜେପି ଶହେ ବି ଆସନ ଛୁଇଁବା ସମ୍ଭାବନା ନାହିଁ। କଂଗ୍ରେସକୁ ୧୧୬ରୁ ୧୨୩ ଆସନ ମିଳୁଥିବା ବେଳେ ବିଜେପି ୭୭ରୁ ୮୩ ଆସନ ପାଇପାରେ।

ସେହିପରି ଜେଡିଏସ ୨୧ରୁ ୨୭ ଆସନରେ ସନ୍ତୁଷ୍ଟ ହୋଇପାରେ। ପୋଲ ଅଫ ପୋଲ୍ସ ସର୍ଭେ ରିପୋର୍ଟ ଆଧାରରେ କଂଗ୍ରେସ ସବୁଠୁ ଅଧିକ ଆସନ ଅକ୍ତିଆର କରିବ। ସର୍ଭେରେ କଂଗ୍ରେସ ଶହେରୁ ୧୦୮ ଆସନ ପାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିଜେପି ୮୧ରୁ ୮୯ ଆସନ ଓ ଜେଡିଏସ ୨୧ରୁ ୨୭ ଆସନ ଅକ୍ତିଆର କରିପାରେ।