ମଧୁବାବୁଙ୍କ ଜନ୍ମପୀଠରେ 5T ସଚିବ, ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ 5T ସଚିବଙ୍କ ମାଲ୍ୟାର୍ପଣ

1 min read

ଭୁବନେଶ୍ୱର: ଭୁବନେଶ୍ବର ପରେ କଟକ ମଧୁପୁର ଓ ସତ୍ୟଭାମାପୁର ଗସ୍ତ କରିଥିଲେ 5T ସଚିବ । ମଧୁସୂଦନ ଦାସଙ୍କ ଜନ୍ମ ପୀଠରେ ମାଲ୍ୟାର୍ପଣ କରିବା ସହ ପୀଠ ସମ୍ପର୍କରେ ବୁଝିଥିଲେ । ସ୍ଥାନୀୟ ଅଧିକାରୀମାନେ ପୀଠର ନକ୍ସା ଦେଖାଇବା ସହ 5T ସଚିବଙ୍କ ସହ ଆଲୋଚନା କରିଥିଲେ । ପୀଠ ପରିସରରେ ଥିବା ସଂଗ୍ରହାଳୟ ବୁଲିବା ସହିତ ଏଠାରେ ରଖାଯାଇଥିବା ସ୍ମୃତି ସମ୍ପର୍କରେ ପଚାରି ବୁଝିଥିଲେ । ସ୍ମୃତି ଫଳକ ଓଡ଼ିଆ ସମେତ ଅନ୍ୟ ଭାଷାରେ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ପୀଠ ପରିସରରେ ଥିବା ଗାନ୍ଧିଜୀଙ୍କ ଅବସ୍ଥାନ ପୀଠ ଦର୍ଶନ କରିଥିଲେ 5T ସଚିବ । ମଧୁ ବାବୁଙ୍କ ଏନ୍ତୁଡ଼ିଶାଳରେ ଉତ୍କଳ ଗୌରବଙ୍କ ସ୍ମୃତିଚାରଣ କରିଥିଲେ । ଏଠାରେ ରଖାଯାଇଥିବା ବିରଳ ଫୋଟୋ ଓ ହସ୍ତ ଲିପି ସମ୍ପର୍କରେ ଉପସ୍ଥିତ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଠାରୁ ସବିଶେଷ ଜାଣିଥିଲେ ।

ଶେଷରେ ମିଶନ ଶକ୍ତି ମା’ ମାନଙ୍କ ସହିତ ପୀଠ ସମ୍ପର୍କରେ ଆଲୋଚନା କରିବା ସହିତ ମଧୁ ସ୍ମୃତି ପୀଠରେ ମଧୁବାବୁଙ୍କ ଜୀବନୀକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ପୀଠର ଉନ୍ନିତକରଣ ପାଇଁ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା । ଗସ୍ତ ସମୟରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ ।