ପୁରୀ: ଆଜି ବୈଶାଖ-କୃଷ୍ଣ ଦ୍ଵାଦଶୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଦ୍ବିତୀୟ ଭୋଗମଣ୍ଡପ ବଢିବା ପରେ ସନ୍ଧ୍ୟା ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କେଜରିୱାଲଙ୍କୁ ସାଢ଼େ ୯ ଘଣ୍ଟାରେ ୫୬ଟି ପ୍ରଶ୍ନ ପଚାରିଲା ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସାଢେ ୯ ଘଣ୍ଟା ଧରି ଜେରା । ୫୬ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି କେଜରିଓ୍ବାଲ । ସିବିଆଇ ଯାହା ବି ପଚାରିଥିଲା ତାର ଠିକ୍ ଠିକ୍ ଉତ୍ତର ଦେଇଛନ୍ତି କେଜରିଓ୍ବାଲ । ଦିଲ୍ଲୀ ଓ ପଞ୍ଜାବରେ ବିକାଶ ମୂଳକ କାମକୁ ଦେଖି ସହି ପାରୁନାହାନ୍ତି କେନ୍ଦ୍ର ସରକାର । ଆପ୍କୁ ବଦନାମ କରିବାକୁ ବଡ଼ ଷଡ଼ଯନ୍ତ୍ର କରଯାଉଛି । ଆପ୍କୁ ଶେଷ କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଦେଶ ବାସୀ ଆମ ସହ ଅଛନ୍ତି ବୋଲି କହିଛନ୍ତି ଅରବିନ୍ଦ କେଜରିଓ୍ବାଲ ।
ପଚରାଉଚରା ଶେଷ ହେବା ପରେ ଗଣମାଧ୍ୟମକୁ ଆସି ଏଭଳି କହିଛନ୍ତି କେଜରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ କେନ୍ଦ୍ରୀୟ ସଂସ୍ଥା କେଜରିଓ୍ବାଲଙ୍କୁ ପଚରାଉଚରା କରିଛି । ଜେରାକୁ ନେଇ ଦିଲ୍ଲୀରେ ହାଇଡ୍ରାମା ହୋଇଥିଲା । କେନ୍ଦ୍ର ସରକାରଙ୍କ ବିରୋଧରେ ଶହ ଶହ ଆପ କର୍ମୀ ବିକ୍ଷୋଭ କରିଥିଲେ । ସିଏମଙ୍କୁ ସାଥ୍ ଦେଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସମେତ ଆପର ବହୁ ମନ୍ତ୍ରୀ ଓ ନେତା । ହାଜର ହେବା ପୂର୍ବରୁ ବିଜେପି ଓ କେନ୍ଦ୍ରୀୟ ଏଜେନ୍ସି ଉପରେ ବର୍ଷିଥିଲେ କେଜ୍ରିଓ୍ବାଲ ।
ଅତିକ-ଅସରଫ ହତ୍ୟାକାଣ୍ଡ; ତିନି ଆକ୍ରମଣକାରୀ କିପରି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର? ରହସ୍ୟ ଉପରୁ ପରଦା ହଟାଇଲା ୟୁପି ପୋଲିସ୍
ପ୍ରୟାଗରାଜ: ଅତିକ୍ ଅହମଦ ଏବଂ ତାର ଭାଇ ଅସରଫର ହତ୍ୟାରେ ସାମିଲ ଲବଲେଶ ତିୱାରୀ (ବାନ୍ଦା), ମୋହିତ ଓରଫ ସନୀ (ହମିରପୁର) ଏବଂ ଅରୁଣ ମୌର୍ଯ୍ୟ (କାସଗଞ୍ଜ)ଙ୍କୁ ବନ୍ଧୁକ କେଉଁ ସୋର୍ସ ଜରିଆରେ ମିଳିଥିଲା, ଏ ସମ୍ପର୍କରେ ସୂଚନା ହାସଲ କରିଛି ୟୁପି ପୋଲିସ । ୟୁପି ପୋଲିସର ଜଣେ ଅଧିକାରୀ ନାଁ ଗୋପନ ରଖି କହିଛନ୍ତି ଘଟଣାରେ ବ୍ୟବହୃତ ଜୀଗନା ମୋଡ ପିସ୍ତଲ ଏବଂ .୩୨ ବୋର ପିସ୍ତଲ କେଉଁଠାରୁ ଆସିଛି, ପୋଲିସ ଏହାର ସୂଚନା ହାସଲ କରିଛି । ଜୀଗନା ପିସ୍ତଲ ବର୍ତ୍ତମାନ ଭାରତରେ ବ୍ୟାନ୍ ରହିଛି । ଏହା ତୁର୍କୀ ନିର୍ମିତ ପିସ୍ତଲ ଅଟେ ।
ତେବେ ଏହା ଭାରତକୁ କେମିତି ଆସିଲା ସେ ସମ୍ପର୍କରେ ପୋଲିସ ଆବଶ୍ୟକ ତଥ୍ୟ ହାସଲ କରିଛି । ଅବଶ୍ୟ, ଏ ସମ୍ପର୍କରେ ଏବେ ଖୁଲାସା କରାଯାଉ ନାହିଁ । ଏପର୍ଯ୍ୟନ୍ତ ସୁଦ୍ଧା ହୋଇଥିବା ତଦନ୍ତ ଅନୁଯାୟୀ କୌଣସି ବି ମାଫିଆ ବା ଗ୍ୟାଙ୍ଗଷ୍ଟର ବାହୁବଳୀଙ୍କ ଇସାରାରେ ଏହି ସୁଟଆଉଟ୍ କରାଯାଇ ନାହିଁ । ବରଂ ତିନି ଆକ୍ରମଣକାରୀ ନିଜେ ହିଁ ଏହି ଘଟଣାକୁ ରୂପ ଦେଇଛନ୍ତି । ପୋଲିସ ତିନି ଆକ୍ରମଣକାରୀଙ୍କ ଘଟଣା ସ୍ଥଳ ପର୍ଯ୍ୟନ୍ତ ଆସିବାର ସମ୍ପୂର୍ଣ୍ଣ ରୁଟ୍ ସମ୍ପର୍କରେ ସୂଚନା ପାଇ ସାରିଛି । ସେମାନେ କିଭଳି ଜିଲ୍ଲାରେ ପ୍ରବେଶ କରିଥିଲେ ଏବଂ କେବେ କେଉଁଠିକୁ ଯାଇଥିଲେ । ପୋଲିସ ସମସ୍ତ ସୂଚନା ହାସଲ କରିନେଇଛି ।
ଏହା ମଧ୍ୟ ଜଣା ପଡ଼ିଛି ଯେ ତିନି ଆକ୍ରମଣକାରୀ ଜଣେ ଅନ୍ୟଜଣଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ଯୋଜନା ମୁତାବକ ଏକାସାଙ୍ଗରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନା ମୁତାବକ, ସନୀ ଏବଂ ଲବଲେଶଙ୍କ ଭେଟଘାଟ ବାନ୍ଦା ଜେଲରେ ହୋଇଥିଲା, ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା,ଯେତେବେଳେ କି ସନୀ ଏବଂ ଅରୁଣ ପୂର୍ବରୁ ହିଁ ସାଙ୍ଗ ଥିଲେ ଏବଂ ସନୀ ହିଁ ଲବଲେଶ ସହ ଅରୁଣର ବନ୍ଧୁତା କରାଇଥିଲା ।
ସୂଚନା ଥାଉକି ଅତିକ ଏବଂ ତା ଭାଇ ଅସରଫକୁ ଶନିବାର ରାତିରେ ଆକ୍ରମଣକାରୀ ଏପରି ସମୟରେ ଗୁଳିମାରି ହତ୍ୟା କରିଥିଲେ ଯେବେ ପୋଲିସ ଉଭୟଙ୍କୁ ମେଡିକାଲ ଯାଞ୍ଚ ପାଇଁ ପ୍ରୟାଗରାଜ ମେଡିକାଲ କଲେଜ ନେଇ ଯାଉଥିଲା । ଏହି ହତ୍ୟାକାଣ୍ଡ ପରେ ସମ୍ପୂର୍ଣ୍ଣ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କୌଣସି ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ୧୪୪ ଧାରା ଜାରି କରାଯାଇଛି । ଗତାକାଲିର ଏହି ଆକ୍ରମଣରେ ଜଣେ ସାମ୍ବାଦିକ ସମେତ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ଗମ୍ଭୀରତାର ସହ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

