ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିବ ରେଡସ୍କୋୟାର, ସାମରିକ ଶକ୍ତି ଦେଖାଇବ ଋଷ

ମସ୍କୋ: ଆଜି ଋଷ ପାଳନ କରିବ ବିଜୟ ଦିବସ । ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜି ଜର୍ମାନୀର ପରାଜୟ ତଥା ଋଷ ବାହିନୀର ଅଭୁତପୂର୍ବ ବିଜୟର ବାର୍ଷିକୀ ଲାଗି ଉତ୍ସବମୁଖର ଋଷ । ମସ୍କୋ ରେଡସ୍କୋୟାରରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସମସ୍ତ ବାହିନୀର ଆକର୍ଷଣୀୟ ପରେଡ ଉତ୍ସବରେ ପ୍ରଦର୍ଶିତ ହେବ ସାମରିକ ଅସ୍ତ୍ରଶସ୍ତ୍ର । ବିଜୟ ଦିବସର 79ତମ ବାର୍ଷିକୀ ପାଳନ ଲାଗି ପୂର୍ବରୁ ପରେଡ ରିହର୍ସଲ ଶେଷ ହୋଇଛି ।

ବିଶେଷ କରି ଯୁବକମାନଙ୍କୁ ଆକୃଷ୍ଟ କରିବା ଲାଗି ୟଙ୍ଗ ଆର୍ମି ବାହିନୀକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି । ସେପଟେ ବିଜୟ ଦିବସ ପାଳନ ଦିବସରେ ୟୁକ୍ରେନ ସହର ବାଖମତକୁ ଅକ୍ତିଆର କରିବା ଲାଗି ପ୍ରାଣପଣେ ଚେଷ୍ଟା କରିଛି ଋଷ । ଏଥିଲାଗି ବାଖମତର ବିଭିନ୍ନ ସ୍ଥାନରେ ଜୋରଦାର ହମଲା ଜାରି ରହିଛି । ଏହା ସହ ୟୁକ୍ରେନ ରାଜଧାନୀ କିବ୍ ଓ ଅନ୍ୟାନ୍ୟ ସ୍ଥାନରେ ଜୋରଦାର ହମଲା କରିଛି ଋଷ ।

ଓଡେଶାରେ ଏକ ପଣ୍ୟାଗାରରେ ମିସାଇଲ ହିଟ୍ କରିବାରୁ ଏହି ଗୋଦାମ ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି । କିବର ସୋଲମିନସ୍କିରେ ମିସାଇଲ ଷ୍ଟ୍ରାଇକ ଯୋଗୁ ଅନେକ ଲୋକ ଆହତ ହୋଇଛନ୍ତି । ସେହିପରି ଖେରସନ ଓ ଜାପୋରିଜିୟା ଅଞ୍ଚଳରେ ବି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଗତ ବର୍ଷ ଫେବ୍ରୁଆରୀ 24ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଥିବାବେଳେ ଏବେ ବି ନିର୍ଣ୍ଣିତ ହୋଇପାରିନାହିଁ ହାରଜିତର ହିସାବନିକାଶ । ଯୁଦ୍ଧ ଯୋଗୁ ଉଭୟ ପକ୍ଷର ଲକ୍ଷାଧିକ ସୈନ୍ୟ ମୃତାହତ ହୋଇଥିବାବେଳେ 80 ଲକ୍ଷରୁ ଅଧିକ ଲୋକ ଦେଶଛାଡି ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଇଛନ୍ତି ।