ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍-୨୦୨୩ ଫାଇନାଲ୍ ପାଇଁ ପୁରସ୍କାର ରାଶି ଘୋଷିତ, ବିଜେତା ଟିମକୁ ମିଳିବ ଏତିକି ଟଙ୍କା….

1 min read

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୭ ଜୁନରୁ ଇଂଲଣ୍ଡର ଓଭାଲରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ଖେଳାଯିବ । ଆଇସିସି ଏହି ମହାମୁକାବିଲାର ପ୍ରାଇଜ ମନିର ଘୋଷଣା କରିଛି । ଡବ୍ଲୁଟିସି ଫାଇନାଲ ଜିତିବା ଟିମକୁ ୧.୬ ମିଲିୟନ ଡଲାର (ପ୍ରାୟ ୧୩.୨୧ କୋଟି ଟଙ୍କା) ମିଳିବ । ସେହିପରି ରନରଅପ୍ ଟିମକୁ ୮ ଲକ୍ଷ ଡଲାର (ପ୍ରାୟ ୬.୬ କୋଟି ଟଙ୍କା) ମିଳିବ । ସେହିପରି ଟୁର୍ଣ୍ଣାମେଣ୍ଟର ମୋଟ ପ୍ରାଇଜ ମନି ଗତ ସାଇକିଲ (୨୦୧୯-୨୧) ବରାବର ୩.୮ ମିଲିୟନ ଡଲାର (ପ୍ରାୟ ୩୧.୩୯ କୋଟି ଟଙ୍କା) ହିଁ ରହିବ ।

ପ୍ରକାଶ ଥାଉକି, ଡବ୍ଲୁଟିସି ଫାଇନାଲ୍ ୭ରୁ ୧୧ ଜୁନ ପର୍ଯ୍ୟନ୍ତ ଚାଲିବ ଏବଂ ୧୨ ଜୁନ ରିଜର୍ଭ ଡେ ଭାବରେ ରହିବ । ପାକିସ୍ତାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଦ୍ୱିତୀୟ ସାଇକିଲରେ ସପ୍ତମ ସ୍ଥାନରେ ରହିଚି, ତାକୁ ପ୍ରାଇଜ ମନି ଆଧାରରେ ୧ ଲକ୍ଷ ଡଲାର (ପ୍ରାୟ ୮୨ ଲକ୍ଷ ଟଙ୍କା) ମିଳିବ । ଟିମ ଇଣ୍ଡିଆକୁ ଫାଇନାଲ ହାରିବା ସତ୍ତ୍ୱେ ପାକିସ୍ତାନଠୁ ୮ ଗୁଣା ଅଧିକ ପ୍ରାଇଜ ମନି ମିଳିବ । ବିଶ୍ୱ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସାଇକିଲର ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଖେଳାଯାଇଥିଲା । କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା ।

ଫାଇନାଲ ଜିତିଥିବା ନ୍ୟୁଜିଲାଣ୍ଡକୁ ୧୩.୨୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା । ଡବ୍ଲୁଟିସିର ଦ୍ୱିତୀୟ ସାଇକିଲରେ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି । ତାକୁ ପ୍ରାଇଜ ମନି ଆଧାରରେ ୪.୫ ଲକ୍ଷ ଡଲାର ମିଳିବ । ସେହିପରି ଚତୁର୍ଥ ସ୍ଥାନରେ ଥିବା ଇଂଲଣ୍ଡକୁ ୩.୫ ଲକ୍ଷ ଡଲାରର ପୁରସ୍କାର ରାଶି ମିଳିବ । ୫ମ ସ୍ଥାନରେ ଥିବା ଶ୍ରୀଲଙ୍କାକୁ ୨ ଲକ୍ଷ ଡଲାର (୧.୬୫ କୋଟି ଟଙ୍କା) ପୁରସ୍କାର ରାଶି ମିଳିବ । ସେହିପରି ଷଷ୍ଠ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ, ସପ୍ତମ ସ୍ଥାନରେ ଥିବା ପାକିସ୍ତାନ, ଅଷ୍ଟମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜକୁ ପ୍ରାଇଜ ମନି ଆଧାରରେ ଏକ ଲକ୍ଷ ଡଲାର ଲେଖାଏଁ ଦିଆଯିବ ।