ପାରାଦ୍ୱୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା, ଟାକ୍ସିଷ୍ଟାଣ୍ଡର ରେଷ୍ଟ ସେଡରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ପାରାଦ୍ୱୀପ: ପାରାଦ୍ଵୀପ ଆଦର୍ଶ ଥାନା କଡ଼ରେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଯୁବକ ଜଣଙ୍କ ଗତ ୨୫ ଦିନ ହେଲା ସ୍ଥାନୀୟ ରେବିକା ହୋଟେଲରେ କାମ କରୁଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାଖିଆ ଲୋକନାଥପୁରରେ । ଶ୍ରୀଚରଣ ଜେନାଙ୍କ ୨୬ ବର୍ଷର ପୁଅ ଟୁବୁଲି ଜେନା ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଅସହ୍ୟ ଗରମ ଯୋଗୁଁ ଟୁବୁଲି ଓ ହୋଟେଲର କିଛି କର୍ମଚାରୀ ଟ୍ୟାକ୍ସି ଷ୍ଟାଣ୍ଡର ରେଷ୍ଟ ସେଡରେ ଶୋଇଥିଲେ । ମାତ୍ର ହୋଟେଲ ମାଲିକ ସମସ୍ତଙ୍କୁ ଘରେ ଶୋଇବାକୁ ଡାକିବାରୁ ସମସ୍ତେ ଘରେ ଶୋଇବାକୁ ଯାଇଥିଲେ । କିନ୍ତୁ ଟୁବୁଲି ରୁମକୁ ଯାଇଥିଲେ ମଧ୍ୟ ପରେ ବାହାରକୁ ଚାଲିଆସିଥିବା ଜଣାପଡିଛି।

ମୃତ ଟୁବୁଲିଙ୍କ ବେକ କଟା ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି । ଏକ ଛୁରୀ ସାହାଯ୍ୟରେ ତାଙ୍କ ମୁହଁକୁ ବାରମ୍ବାର ଆଘାତ କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଆଦର୍ଶ ଥାନା ଅଧିକାରୀ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମକୁ ଡକାଯାଇଛି । ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ପୋଲିସ ତତ୍ପର ହୋଇପଡ଼ିଥିବା ବେଳେ ଯୁବକଙ୍କ ପରିବାରକୁ ଖବର ଦିଆଯାଇଛି । ଯୁବକଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରିଛି ପୋଲିସ ।