‘ମୋ ଶାଳୀକୁ ଭଲ ପାଉଥିଲା, ହତ୍ୟା କରିଦେଲି’

ପାରାଦୀପ: ପ୍ରେମ ବ୍ୟାପାରକୁ ନେଇ ପାରାଦୀପରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ହତ୍ୟାର ଶିକାର ହୋଇଛନ୍ତି ଟୁବୁଲି ଜେନା । ପାରୀଦୀପ ଟ୍ୟାକ୍ସିଷ୍ଟାଣ୍ଡରୁ ପୋଲିସ ଟୁବୁଲିଙ୍କ କ୍ଷତାକ୍ତ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରମେଶ ଜେନାକୁ ଗିରଫ କରିଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଟୁବୁଲିଙ୍କୁ ରମେଶ ହତ୍ୟା କରିଥିବା ସ୍ବୀକାର କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଟୁବୁଲି ଓ ରମେଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାଖିଆ ଲୋକନାଥପୁରରେ । ଉଭୟ ପାରାଦୀପର ଏକ ହୋଟେଲରେ କାମ କରୁଥିଲେ । ରମେଶ ଜେନାର ଶାଳୀକୁ ଟୁବୁଲି ଭଲ ପାଉଥିଲେ ।

ଏହାକୁ ନେଇ ରମେଶ ଓ ଟୁବୁଲିଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏଥିଥିରେ ରାଗ ରଖି ଟୁବୁଲିଙ୍କୁ ରମେଶ ହତ୍ୟା କରିଥିବା ସ୍ବୀକାର କରିଛି । ଆଜି ଭୋର ୪ଟା ସମୟରେ ଟୁବୁଲି ଟ୍ୟାକ୍ସିଷ୍ଟାଣ୍ଡର ମଣ୍ଡପ ଉପରେ ଶୋଇଥିବା ବେଳେ ରମେଶ ଏକ କୋଦାଳରେ ତାଙ୍କ ମୁହଁକୁ ହାଣିଥିଲା ଏବଂ ଛାତି ଉପରେ ବସି ବେକକୁ ଛୁରୀରେ କାଟି ଦେଇଥିଲା ବୋଲି ପୋଲିସ ଆଗରେ ମାନିବା ସହିତ ଡେମୋ ଦେଖାଇଛି । ଟୁବୁଲିଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଜବତ କରିଛି । ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।