ସରକାରଙ୍କୁ ଅଲଟିମେଟମ, ୯ ଜୁନ ସୁଦ୍ଧା ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ଯୌନ ଶୋଷଣକୁ ଅଭିଯୋଗ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷମ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ମାମଲାରେ ଲଗାତାର ଦ୍ୱିତୀୟ ଦିନ କୁରୁକ୍ଷେତ୍ରରେ ଖାପ ମହାପଞ୍ଚାୟତ ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ମଧ୍ୟ ୟୁପିର ମୁଜଫରନଗରରେ ମହାପଞ୍ଚାୟତ ହୋଇଥିଲା, କିନ୍ତୁ ଏଥିରେ କୌଣସି ପ୍ରସ୍ତାବ ପାରିତ ହୋଇନଥିଲା । ଶୁକ୍ରବାର ମହାପଞ୍ଚାୟତ ପରେ କୃଷକ ନେତା ରାକେଶ ଟିକୈତ ସରକାରଙ୍କୁ ୯ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ସେ କହିଛନ୍ତି ଜୁନ ୯ ତାରିଖ ମଧ୍ୟରେ ବିଜେପି ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଚାଷୀ ମହାପଞ୍ଚାୟତର ଆୟୋଜନ କରାଯିବ ।

୯ ତାରିଖରେ କୁସ୍ତିଯୋଦ୍ଧାଙ୍କ ସହ ଜନ୍ତରମନ୍ତରରେ ପହଞ୍ଚିବୁ । ପୋଲିସ ଅନୁମତି ନଦେଲେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଉଭୟ ମହାପଞ୍ଚାୟତରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରୁ ଖାପ୍ ପ୍ରମୁଖମାନେ ସାମିଲ ଥିଲେ । ରାକେଶ ଟିକୈତ କହିଛନ୍ତି ଯେ ଆମେ ନିଷ୍ପତ୍ତି କରିଛୁ ଯେ ଆମେ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ଦେବା ପାଇଁ ଦେଶବ୍ୟାପୀ ଏହିପରି ହିଁ ଖାପ୍ ପଞ୍ଚାୟତର ଆୟୋଜନ କରିବୁ । ଶାମଲିରେ ୧୧ ଜୁନ ଏବଂ ହରିଦ୍ୱାରରେ ୧୫ ଜୁନରୁ ୧୮ ଜୁନ ପର୍ଯ୍ୟନ୍ତ ପଞ୍ଚାୟତ ହେବ । ଯଦି ବ୍ରିଜଭୂଷଣଙ୍କୁ ୯ ଜୁନ ସୁଦ୍ଧା ଗିରଫ ନକରାଯାଏ ତେବେ ଆମେ ଆନ୍ଦୋଳନ ଆମ ହିସାବରେ କରିବୁ ବୋଲି ଚେତାବନୀ ଦେଇଛନ୍ତି ।