ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ସ୍ଥାନୀୟ ଲୋକଙ୍କୁ ଜଣାଇଲେ ଧନ୍ୟବାଦ

ବାଲେଶ୍ବର: ବାଲେଶ୍ବର ବାହାନଗାରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଓଡ଼ିଶା ସରକାରଙ୍କ ରେସ୍କ୍ୟୁ ଅପରେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ଖୁବ କମ୍ ସମୟ ଭିତରେ ରାଜ୍ୟ ସରକାର ଯେପରି ତତ୍ପରତା ଦେଖାଇଲେ ତାହାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଲେ । ଏହାସହ ବାଲେଶ୍ବରର ସ୍ଥାନୀୟ ଲୋକ, ବିଶେଷ କରି ଯୁବବର୍ଗ ରାତିସାରା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । । ଖୁବ କମ୍ ସମୟ ଭିତରେ ରାଜ୍ୟ ସରକାର ରେସ୍କ୍ୟୁ ମିଶନ କରିଥିବାରୁ ଧନ୍ୟବାଦର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଗକୁ ସେ କହିଛନ୍ତି, ‘ଏଭଳି ଘଟଣା ଆମ ସମସ୍ତଙ୍କ ପାଇଁ ଦୁଃଖଦ । ଏବେ ସହାନୁଭୂତି ଦେଖାଇବାର ସମୟ । ଘଟଣାର ତଦନ୍ତ ହେବ । ଯିଏ ବି ଏହି ଦୁର୍ଘଟଣା ପାଇଁ ଦୋଷୀ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

ବାହାନଗାରେ ପହଞ୍ଚିବା ପରେ ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ତାଙ୍କୁ ସ୍ଥିତି ବିଷୟରେ ସୂଚନା ଦେଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିଥିଲେ ମୋଦି । କେମିତି ଦୁର୍ଘଟଣା ଘଟିଲା, ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ରେଳମନ୍ତ୍ରୀ । ସେଠାରୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଯାଇ ଆହତଙ୍କ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।