କରମଣ୍ଡଳ ଦୁର୍ଘଟଣା: ଏସି ବଗି ବଞ୍ଚାଇ ଦେଲା ଲକ୍ଷ୍ମଣଙ୍କ ଜୀବନ, ଶବ ଗଦାରେ ବାପାକୁ ଖୋଜୁଥିଲା ପୁଅ

ବାଲେଶ୍ବର: ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋସେଇଁ ଗାଁର ଲକ୍ଷ୍ମଣ ବାରିକ । ସେ ଚେନ୍ନାଇ ଯାଉଥିଲେ । ଜେନେରାଲ ଟିକେଟ କରିଥିଲେ । ହେଲେ ଠିକ ସମୟରେ ଟ୍ରେନ ଧରି ନପାରିବାରୁ ଏସି ବଗିରେ ଚଢ଼ି ଯାଇଥିଲେ । ଏଥିପାଇଁ ଆଜି ତାଙ୍କ ଜୀବନ ବଞ୍ଚି ଯାଇଛି । ଏପଟେ ଦୁର୍ଘଟଣା ଖବର ଶୁଣି ବାପାଙ୍କୁ ଖୋଜିବାକୁ ବାହାରି ପଡ଼ିଥିଲେ ଲକ୍ଷ୍ମଣଙ୍କ ପୁଅ । ଦୁର୍ଘଟଣା ସ୍ଥଳରେ ପହଞ୍ଚି କୁଢ଼ କୁଢ଼ ଶବ ଭିତରୁ ବାପାଙ୍କୁ ଖୋଜି ନିରାଶ ହୋଇଥିଲେ ।

ଲକ୍ଷ୍ମଣ କୁହନ୍ତି, ‘ମୁଁ ଜେନେରାଲ ଟିକେଟ୍ କାଟିଥିଲି । ଷ୍ଟେସନରେ ପହଞ୍ଚିବା ବେଳକୁ ଟ୍ରେନ ଛାଡି ଦେଇଥିଲା । ଏଥିପାଇଁ ତରତର ହୋଇ ଏସି ବଗିରେ ଚଢ଼ି ଯାଇଥିଲେ । ଯେଉଁ ଜେନେରାଲ ବଗିଟି ଅଧିକ କ୍ଷତିଗ୍ରସ୍ତ ହୋଇଛି, ସେହି ବଗିରେ ମୋର ଟିକେଟ ଥିଲା । କିଛି ସମୟ ପରେ ଟ୍ରେନଟି ଲାଇନଚ୍ୟୁତ ହୋଇ ଯାଇଥିଲା । ଆଖି ଆଗରେ ଚାଲି ଯାଇଥିଲା ଶହ ଶହ ଲୋକଙ୍କ ଜୀବନ । ହେଲେ, ଭାଗ୍ୟ ବଳରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲି । ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଛାତିରେ ମାଡ଼ ହୋଇ ଯନ୍ତ୍ରଣ ହେଉଥିଲା । ଏହାରି ଭିତରେ ମୋବାଇଲଟି ପକେଟରୁ କେଉଁଠି ପଡ଼ି ଯାଇଥିଲା । ପରିବାର ଲୋକ ଓ ଅନ୍ୟ କାହା ସହ ସମ୍ପର୍କ କରିପାରି ନଥିଲି । ଦୁର୍ଘଟଣା ସ୍ଥଳରୁ ବାହାରି ବସରେ ଭୁବନେଶ୍ବର ପଳାଇ ଆସିଥିଲି । ସେଠାରୁ ମେଡିକାଲ ଯାଇଥିଲି ।

କୁଢ଼ କୁଢ଼ ଶବରୁ ପୁଅ ଖୋଜୁଥିଲା ବାପାଙ୍କୁ

ଦୁର୍ଘଟଣା ଖବର ପାଇ ଲକ୍ଷ୍ମଣଙ୍କ ପରିବାର ଲୋକେ ଆଶଙ୍କାରେ ପଡ଼ି ଯାଇଥିଲେ । ଲକ୍ଷ୍ମଣଙ୍କ ମୋବାଇଲ ଲାଗୁ ନଥିବାରୁ ମନରେ ବିଭିନ୍ନ ଶଙ୍କା ପ୍ରକାଶ ପାଇଥିଲା । ଏହାରି ଭିତରେ ପୁଅ ବାପାଙ୍କୁ ଖୋଜିବାକୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ସେଠାରେ ପହଞ୍ଚିବା ପରର ଦୃଶ୍ୟ ବର୍ଣ୍ଣନା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।

ସେ କହିଛନ୍ତି, ‘ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ଯେଉଁ ଆଡେ ଦେଖିଥିଲି କେବଳ ଶବ ହିଁ ଶବ ପଡ଼ିଥିଲା । କାହାର ହାତ ନଥିଲା ତ କାହାର ଗୋଡ । ଆଉ କାହାର ମୁଣ୍ଡ ବିକୃତ ହୋଇ ଯାଇଥିଲା । ଏ ଦୃଶ୍ୟ ଛାତି ଫଟାଇ ଦେବା ଭଳି ଲାଗୁଥିଲା । ଲୋକଙ୍କ ଆର୍ତ୍ତ ଚିତ୍କାର କାନ ପଠାଇ ଦେଉଥିଲା । ଏହାରି ଭିତରେ ବାପାଙ୍କୁ ଖୋଜିବା ଆରମ୍ଭ କରିଥିଲି । ଗୋଟିଏ ମୃତଦେହ ଦେଖି ନିରାଶ ହେବା ପରେ ଅନ୍ୟ ମୃତଦେହ ପାଖକୁ ଦୌଡ଼ି ଯାଉଥିଲି । ହେଲେ କୁଢ଼ କୁଢ଼ ମୃତଦେହ ଭିତରୁ ବାପାଙ୍କୁ କେଉଁଠି ପାଇ ନଥିଲି । ବାପା ବଞ୍ଚିଥିବା ନେଇ କିଛିଟା ଆଶା ସଞ୍ଚାର ହୋଇଥିଲା । ଏହାପରେ ସୋର ଓ ଭଦ୍ରକର ଆଖପାଖ ମେଡିକାଲରେ ଖୋଜାଖୋଜି କରିଥିଲେ ମଧ୍ୟ ବାପାଙ୍କୁ ପାଇ ନଥିଲି । ବାପା କ୍ୟାପିଟାଲ ହସ୍ପିଟାଲରେ ଥିବା ଖବର ଆସିଥିଲା । ଆଉ ବିଳମ୍ବ ନକରି କ୍ୟାପିଟାଲ ହସ୍ପିଟାଲକୁ ଚାଲି ଆସିଥିଲି ।’