ନିଖୋଜ ବୁଡ଼ାଜାହଜରେ ମାତ୍ର କିଛି ଘଣ୍ଟାର ଅମ୍ଳଜାନ ବାକି ଅଛି, ଶେଷ ପ୍ରୟାସ କରୁଛନ୍ତି ଉଦ୍ଧାରକାରୀ ଦଳ

ନନ୍ଦିଘୋଷ ବ୍ୟୁରୋ: ସରୁଛି ସମୟ । ବଢୁଛି ବିପଦ । ଟାଇଟାନିକ ଭଗ୍ନାଂଶ ଦେଖିବାର ନିଶା ଏବେ ସାଜିବାରେ ଲାଗିଛି ଭୟଙ୍କର । ସବମେରିନରେ ଅମ୍ଳଜାନ ପରିମାଣ ଶେଷ ଅବସ୍ଥାକୁ ଆସୁଥିବେଳେ ସେଥିରେ ଥିବା ୫ ଯାତ୍ରୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ସମୟ ଆଉ ମାତ୍ର ୨ ଘଣ୍ଟା ଥିବା ସତ୍ତ୍ବେ ସବମେରିନରୁ ମିଳୁନି ସନ୍ଧାନ । ଟାଇଟାନିକ ଦେଖିବାକୁ ଆମେରିକୀୟ କମ୍ପାନୀ ଓସିଆନ ଗେଟର ସ୍ବତନ୍ତ୍ର ମିଶନରେ ତ୍ରୁଟି ଥିବାରୁ ଏକ ବଡ଼ ଅଘଟଣର ଶିକାର ହୋଇଛି ବୁଡାଜାହାଜ । ରେସ୍କ୍ୟୁ ଅପରେସନରେ ଆମେରିକା ଓ କାନାଡାର କୋଷ୍ଟଗାର୍ଡ ଟିମ୍ ସାମିଲ ଅଛନ୍ତି ।

୫ ପର୍ଯ୍ୟଟକଙ୍କ ନେଇ ୧୩ ହଜାର ଫୁଟ ସମୁଦ୍ର ତଳେ ଦବି ରହିଥିବା ଟାଇଟାନିକର ଭଗ୍ନାଂଶ ଦେଖିବାକୁ ସ୍ପେଶାଲ ଟୁରର ଆୟୋଜନ କରିଥିଲା ଆମେରିକୀୟ କମ୍ପାନୀ ଓସିଆନ ଗେଟ । ବିଶ୍ବର ନାମୀ ଆରବପତି ଏହି ମିଶନରେ ସାମିଲ ହୋଇଥିଲେ । ଏହି ଟୁର ପାଇଁ ପ୍ରତ୍ୟେକ ଯାତ୍ରୀଙ୍କଠାରୁ ୨କୋଟି ଲେଖାଏଁ ଟଙ୍କା ନେଇଛି କମ୍ପାନୀ । ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା ।

ସୋନାର ଟେକ୍ନୋଲୋଜୀ ଜରିଆରେ ଟାଇଟାନିକ ପାର୍ଶ୍ବରେ କିଛି ଶବ୍ଦ ହେଉଥିବା ଡିଭାଇସ୍ ଡିଟେକ୍ଟ କରିଥିଲେ ବି ସନ୍ଧାନ ମିଳିପାରିନାହିଁ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଆମେରିକା କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫ୍ରାନ୍ସର ଜାହାଜ । ଟେଲିଗାଇଡେଡ ରୋବଟ ବି ନିୟୋଜିତ ହୋଇଛି । ସବମେରିନରେ ରହିଥିବା ଯାତ୍ରୀଙ୍କ ମଧ୍ୟରେ ରହିଛନ୍ତି ବ୍ରିଟିଶ ଅର୍ବୁଦପତି ହାମିଶ ହାର୍ଡିଂ, ପାକିସ୍ତାନୀ କୋଟିପତି ସାହାଜାଦ ଦାଉଦ ଓ ନାବାଳକ ପୁଅ ସୁଲେମାନ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ୍ ହେନେରୀ ନାର୍ଗେଲୋଟ ।