ରାତି ୨ଟାରେ ସରିଲା କୁବେର ବାବୁଙ୍କ ଘରୁ ରେଡ, ଟଙ୍କା ଦେଖି ତାଜୁବ ଭିଜିଲାନ୍ସ

1 min read

ନବରଙ୍ଗପୁର: ରାତି ୨ରେ ସରିଲା ଦୀର୍ଘ ୨୦ ଘଣ୍ଟାରେ ମାରାଥନ ରେଡ୍‌ । ନବରଙ୍ଗପୁର ଏବଂ ଭୁବନେଶ୍ବରରୁ ଜବତ ହେଲା ନଗଦ ୩ କୋଟି ୨ ଲକ୍ଷ ୩୦ ହଜାର ୮ଶହ ଟଙ୍କା । କେମିତି କୋଟି କୋଟି ଟଙ୍କା ଠୁଳ କଲେ କଳାଧନର କୁବେର ବାବୁ ପ୍ରଶାନ୍ତ କୁମାର ରାଉତ ? କଣ ରହିଥିଲା ଆୟର ଉତ୍ସ ?

ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ରେଡ ପରେ ଅଟକ ରଖି ମାରାଥନ ପଚରାଉଚରା କରୁଛି ଭିଜିଲାନ୍ସ । ଗତକାଲିଠୁ ଚାଲିଥିବା ଚଢାଉରେ ଠାବ ହୋଇଛି ଗଦାଗଦା କଳା ସମ୍ପତ୍ତି । ପେଟି ଭିତରୁ ଜବତ ହୋଇଛି ବିଡ଼ାବିଡ଼ା ଟଙ୍କା । ଏକାଧିକ ବେନାମି ଆକାଉଣ୍ଟରେ ଟଙ୍କା କାରବାର କରୁଥିଲେ ବାବୁ । ଗୋଟିଏ ବ୍ୟାଙ୍କର ପାସବୁକ, ଏଟିଏମ ଜବତ କରିଛି ଭିଜିଲାନ୍ସ ।

ଏଥିସହ ୪୧ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଜବତ ହୋଇଥିବା ଜଣାପଡ଼ିଛି । ଜବତ ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୨୭ ହଜାର ଟଙ୍କା ଡିପୋଜିଟ କରିଥିଲେ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ୯ଟି ସ୍ଥାନରେ ରେଡ୍‌ ହୋଇଥିଲା । ଚଢାଉ ବେଳେ ୫ଟି ପ୍ଲଟ, ୨ଟି ଚାରି ଚକିଆ ଗାଡ଼ି ଏବଂ ତାଙ୍କ ଦୁଇ ପିଲାଙ୍କ ଉପରେ ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିବା ୮୭ ଲକ୍ଷ ଟଙ୍କା ବିଷୟରେ ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ । ପାଞ୍ଚଟି ପ୍ଲଟ ଭିତରେ କିଛି ଭୁବନେଶ୍ବର ଓ କଟକରେ ଥିବା ଜଣାପଡ଼ିଛି । ସୁନା ଓ ରୂପାର ଗହଣା ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି ।

ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଜଣେ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ସେ ଦୁର୍ନୀତିରେ ବୁଡି ରହିଛନ୍ତି । ୧୯୯୬ରେ କେନ୍ଦ୍ରାପଡାରେ ତହସିଲଦାର ଭାବେ କାମରେ ନିଯୁକ୍ତି ପାଇଲେ । ପରେ ଯାଜପୁର, ବାଲେଶ୍ବର ଓ ବରଗଡ଼ରେ ମଧ୍ୟ ତହସିଲଦାର ଥିଲେ । ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ବିଡ଼ିଓ ଥିଲେ । ୨୦୧୦ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ୨୦୧୮ରେ ବି ସୁନ୍ଦରଗଡ ବିଶ୍ରା ବ୍ଳକରେ ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଜେଲ ଯାଇଥିଲେ । ୨୦୧୮-୨୦  ନିଲମ୍ବିତ ହୋଇଥିଲେ ତଥାପି ସୁଧୁରି ନଥିଲେ ପ୍ରଶାନ୍ତ ରାଉତ ।

ନବରଙ୍ଗପୁରରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତ ପାଇଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଏବେ ଭିଜିଲାନ୍ସ ଜାଲରେ । ଏବେ ତାଙ୍କ କ୍ୟାରିୟରର ଟ୍ରାକ ରେକର୍ଡକୁ ଯାଞ୍ଚ କରୁଛି ଭିଜିଲାନ୍ସ।

ଅନ୍ୟପଟେ ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନସ୍ ଚଢ଼ାଉ ପରେ ନବରଙ୍ଗପୁର ସହରରେ ଖୁସିର ଲହରୀ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସହରର କିଛି ଲୋକ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଉପଜିଲ୍ଲାପାଳ ଭାବେ ଦାୟିତ୍ବରେ ରାହିବା ପରେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକଙ୍କ ସରଳତାର ସୁଯୋଗ ନେଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ଆର୍ଥିକ ଅନିୟମିତତା କାର୍ଯ୍ୟରେ ଲିପ୍ତ ରହି ଆସୁଥିଲେ ପ୍ରଶାନ୍ତ ରାଉତ । ମୁଖ୍ୟମନ୍ତ୍ରୀ ଭିଜିଲାନସ୍ ଚଢ଼ାଉ କରି ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ଖୁସି ବ୍ୟକ୍ତ କରିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସକୁ ପ୍ରଶଂସା କରିଛନ୍ତି ।