spot_img
Home Blog Page 3196

ଜୁନିଅର କ୍ରିକେଟରଙ୍କ ଉପରେ OCAର ନଜର, ୩ ମାସ ସ୍ବତନ୍ତ୍ର କ୍ୟାମ୍ପ୍‌

କଟକ: ଓଡିଶାରେ ଜୁନିୟର କ୍ରିକେଟର ହେବ ବିକାଶ । ଓସିଏ ଆଣିଲା ସ୍ବତନ୍ତ୍ର ଯୋଜନା । ଓସିଏରେ ନୂତନ ଟେକ୍ନିକାଲ ନିର୍ଦ୍ଦେଶକ ଭି. ଭେଙ୍କଟରମଣ ନିଯୁକ୍ତ ହେବା ପରେ ଏଭଳି ଯୋଜନା ହାତକୁ ନେଇଛି ଓସିଏ । ବିଗତ ଅନେକ ବର୍ଷ ଧରି ବିସିସିଆଇର ଘରୋଇ ସିଜନରେ ଓଡିଶା ଜୁନିୟର ପ୍ରତିଯୋଗିତାରେ ନିରାଶ ହୋଇଛି । ତେଣୁ ଓସିଏର ଭିଜନ ୨୦୨୪ କୁ ଆଖି ଆଗରେ ରଖି ଜୁନିୟର କ୍ରିକେଟକୁ ଏକ ନୂତନ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓସିଏ ।

ତେବେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୂତନ ଟେକ୍ନିକାଲ ନିର୍ଦେଶକ ଭି. ଭେଙ୍କଟରାମ କହିଛନ୍ତି ଯେ, ଆଗାମୀ 2ରୁ 3 ମାସ ଓସିଏରେ ସ୍ବତନ୍ତ୍ର କ୍ୟାମ୍ପ କରାଯିବ । ଏହାବ୍ୟତୀତ କୋଚ, ସପୋର୍ଟ ଷ୍ଟାଫ ମାନଙ୍କ ସହ ଆଲୋଚନା କରାଯିବ । 14 ବର୍ଷ ରୁ କମ କ୍ରିକେଟରମାନେ କିପରି କ୍ରିକେଟ ସହ ପାଠକୁ ବେଶୀ ଗୁରୁତ୍ୱ ଦେବେ ତାହା ଉପରେ ମଧ୍ୟ ଫୋକସ କରାଯିବ ବୋଲି କହିଛନ୍ତି ଟେକ୍ନିକାଲ ନିର୍ଦେଶକ ।

ମଣିପୁରରୁ ଫେରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଅଶାନ୍ତ ଜର୍ଜରିତ ମଣିପୁର ଇମ୍ଫାଲରୁ ଫେରିଲେ ୧୦ ଓଡ଼ିଆ ଛାତ୍ରଛାତ୍ରୀ । ଇମ୍ଫାଲର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୦ ଛାତ୍ରଛାତ୍ରୀ ଆଜି ଓଡିଶାରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି ।

ରାଜ୍ୟ ସରକାରଙ୍କ ସହଯୋଗ ଓ ଉଦ୍ୟମରେ ମଣିପୁରରୁ ଉଦ୍ଧାର କରାଯାଇ ଓଡିଶା ଅଣାଯାଇଛି। ମଣିପୁରରୁ ଫେରିଥିବା ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ଅଣଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି। ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ । ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ ଲାଗି ମେଇତିମାନଙ୍କୁ ଅନୁମତି ଦିଆଯାଇନାହିଁ ।

ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ।

ରାଜଧାନୀରେ ହେଲମେଟ ଚେକିଂ ବେଳେ ଅଘଟଣ, ପୋଲିସ କର୍ମୀଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ବର: ରାଜଧାନୀରେ ହେଲମେଟ ଚେକିଂ ବେଳେ ଅମାନିଆଙ୍କ ଉତ୍ପାତ । ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଅଟକାଇବାରୁ ପୋଲିସ୍ କର୍ମୀଙ୍କ ଉପରେ ଚଢ଼ାଇଦେଲେ ବାଇକ୍ । ଅମାନିଆଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ସତୀଶ ଚନ୍ଦ୍ର ନାୟକ ଆହତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ପୋଲିସ ଥାନାର କର୍ମଚାରୀ ହେଉଛନ୍ତି ସତୀଶ ।

ଗତକାଲି ଇନଫୋସିଟି ଛକରେ ହେଲମେଟ୍ ଚେକିଂ ବେଳେ ଦୁଇଜଣ ଛାତ୍ର ବିନା ହେଲମେଟ ବାଇକ୍ ନେଇ ଆସୁଥିଲେ । ପୋଲିସ କର୍ମଚାରୀ ଗାଡି ସାଇଡ କରିବାକୁ କହିବାରୁ ଧକ୍କାମାରି ଖସି ପଳାଇଥିଲେ । ସତୀଶଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଛି । ଦୁଇ ଜଣଙ୍କୁ ଅଟକ ରଖିବା ସହ ବାଇକ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଓଡ଼ିଶାର ୨୭ଟି ସହରରେ ୫୬ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଦେବେ ନିଟ୍‌ (UG)

ଭୁବନେଶ୍ବର: ଆଜି ନିଟ୍(UG) ପରୀକ୍ଷା । ଓଡ଼ିଶାର ୨୭ଟି ସହରରେ ୧୨୫ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସାରା ଦେଶରୁ ୨୦ଲକ୍ଷ ୫୯ହଜାର ୬ଜଣ ଦେବେ ପରୀକ୍ଷା । ସେଥିରୁ ଓଡ଼ିଶାରୁ ଅଛନ୍ତି ୫୬ହଜାର ୯୮୯ଜଣ ପରୀକ୍ଷାର୍ଥୀ । ପରୀକ୍ଷା ପାଇଁ ଭୁବନେଶ୍ୱରରେ ୨୨ଟି ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରୁ ୧୪ ହଜାର ୪୮୧ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା ।

ଅନୁଗୁଳ, ବଲାଙ୍ଗିର, ଭୁବନେଶ୍ୱର, କଟକ, ରାଇରଙ୍ଗପୁର ମାଲକାନଗିରି ଆଦି ସହରରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ OJEE ପ୍ରବେଶିକା ପରୀକ୍ଷା । କାଲି, ୯ ତାରିଖ, ୧୧ ତାରିଖ, ୧୨ ଓ ୧୫ତାରିଖରେ OJEE ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୧୧ବିଷୟରେ ସିବିଟି ମୋଡରେ ପରୀକ୍ଷା ହେବା ନେଇ ସୂଚନା ରହିଛି । ୩ଟି ସିଫ୍ଟରେ ହେବ ପରୀକ୍ଷା ।

ସକାଳ ୯ଟାରୁ ପ୍ରଥମ ସିଫ୍ଟ ଆରମ୍ଭ ହେଉଥିବା ବେଳେ ୧୨ଟା ୩୦ରୁ ଦ୍ବିତୀୟ ସିଫ୍ଟ, ୪ଟା ୩୦ରୁ ତୃତୀୟ ସିଫ୍ଟରେ ପରୀକ୍ଷା ଦେବେ ପିଲା । ମୋଟ ୪୪ଟି ପରୀକ୍ଷା କେନ୍ଦ୍ରରେ ୫୫ହଜାର ୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ରାଜ୍ୟର ୩୦ଟି ସ୍ଥାନ ଓ ରାଜ୍ୟ ବାହାରେ ୩ଟି ସ୍ଥାନରେ ହେବ ପରୀକ୍ଷା ।

୮ ପରେ ଜଣାପଡିବ ବାତ୍ୟାର ଗତିପଥ, ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ତାତି

ଭୁବନେଶ୍ବର: ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରେ ୯ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ୮ତାରିଖ ପରେ ବାତ୍ୟାର ତୀବ୍ରତା ଓ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କହିଛି ପାଣିପାଗ ବିଭାଗ ।

ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳକୁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ବାତ୍ୟା ନେଇ ଓଡ଼ିଶାକୁ ବିପଦ ନଥିବା ସେ କହିଛନ୍ତି । ଗତିବିଧି ଏବଂ ପ୍ରଭାବର ପୂର୍ବାନୁମାନ ସହ ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବାତ୍ୟା ସମ୍ପର୍କିତ ଅଧିକ ତଥ୍ୟ ଖୁବଶୀଘ୍ର ବିଭାଗ ପକ୍ଷରୁ ଅପଡେଟ୍ କରାଯିବ ।  ଏନେଇ ଓଡିଶା ପାଣିପାଗ ବିଜ୍ଞାନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦କିଲୋମିଟର ବେଗରେ ପବନ ବହିପାରେ । ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶା ଉପରେ ପଡ଼ିବନି ସମ୍ଭାବ୍ୟ ବାତ୍ୟାର ପ୍ରଭାବ । ୮ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରଣୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ତାତି । କାଳବୈଶାଖୀର ପ୍ରଭାବ କମିବା ସହିତ ତାତି ବୃଦ୍ଧି ପାଇବ ।

ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ କାଳବୈଶାଖୀ ସତର୍କତା କରାଯାଇଛି । ଉପକୂଳ ଓଡ଼ିଶାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେବ ।

ଅପରାହ୍ନରେ ଝାରସୁଗୁଡାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ନବୀନ

ଝାରସୁଗୁଡା: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଅପରାହ୍ନ ସାଢେ ୪ଟା ସମୟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ପରେ ଅପରାହ୍ନ ୪ଟା ୫୦ ସମୟରେ ଅମଲିପାଲି ପଡ଼ିଆରେ ନିର୍ବାଚନୀ ସଭାରେ ଝାରସୁଗୁଡା ବାସୀଙ୍କୁ ସମ୍ବୋଧନ କରିବେ ।

ନିଜର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଝାରସୁଗୁଡ଼ା ଜିଲ୍ଲାବାସୀ ଅପେକ୍ଷା କରି ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗ୍ରସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏୟାରପୋର୍ଟଠାରୁ ଅମିଲିପାଲି ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ ପୋଲିସ ଛାଉଣୀ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲ ଅନୁସାରେ ଜେଡ ପ୍ଳସ ସୁରକ୍ଷା ବ୍ୟବସ୍ଥା କରିଛି ଝାରସୁଗୁଡା ପୋଲିସ । ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୨୨ ପ୍ଳାଟୁନ ପୋଲିସ ଫୋର୍ସ ।

ବାହାର ଜିଲ୍ଲାରୁ ବଛାବଛା ୧୦୦ ଅଫିସରଙ୍କୁ ମୁତୟନ କରାଯାଇଛି । ୧୦୦ ରୁ ଅଧିକ ହୋମଗାର୍ଡଙ୍କ ସହ ଅର୍ଦ୍ଧସାମରିକ ବାହିନୀ ଏୟାରପୋର୍ଟ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ନିୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ଗସ୍ତ ପରେ ଵିଜେଡିର ଶକ୍ତି ଆହୁରି ବୃଦ୍ଧି ପାଇଵ ବୋଲି ବିଜେଡି କହିଛି ।

ଖୁବଶୀଘ୍ର ଗଞ୍ଜାମରେ ମନ୍ଦିର ସୌନ୍ଦର୍ଯ୍ୟକରଣ, ହିଞ୍ଜିଳି ଗସ୍ତରେ 5T ସଚିବଙ୍କ ପ୍ରତିଶ୍ରୁତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର ଦୁଇଟି ବ୍ଲକ ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି ଫାଇଭ-ଟି ସଚିବ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ପିତ୍ତଳ ଯୁକ୍ତ ଦୁଇ କଲେଜ ପରିଦର୍ଶନ କରିଛନ୍ତି 5T ସଚିବ । ଶିକ୍ଷକ ଓ ଛାତ୍ରଛାତ୍ରୀ ଓ କଲେଜ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ ।

ଏହା ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର ବୁରୁପଡ଼ା ପଞ୍ଚାୟତ ଶ୍ୟାମଲାଇ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ନେଇ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ପିଆରଆଇ ମେମ୍ବର ଓ ବରୁପଡ଼ା ଗାଁ ଲୋକଙ୍କ ସହିତ ମଧ୍ୟ କଥା ହୋଇଥିଲେ । ସେହିପରି ସେରଗଡ଼ ବ୍ଲକ ପିତ୍ତଳ ପଞ୍ଚାୟତର ଉତ୍ତରେଶ୍ବର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ସହ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି ।

ଖୁବଶୀଘ୍ର ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ । ଯାହାବି ସମସ୍ୟା ରହିଛି, ତାହା ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି କହିଛନ୍ତି 5T ସଚିବ । ଆସନ୍ତା ଡିସେମ୍ବର ସୁଦ୍ଧା ବିକାଶମୂଳକ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ଲକ୍ଷ୍ମୀ ନୃସିଂହଙ୍କ ତ୍ରିଦିନାତ୍ମକ ଯାତ୍ରାର ଶେଷ ଦିନରେ ଦର୍ଶନ କରିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ।

୨୦୨୪ରେ ବିଜେଡି ହାତରେ ପୁନର୍ବାର ରାଜ୍ୟ ଶାସନର କମାଣ ରହିବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ନାହିଁ ନବୀନଙ୍କ ବିକଳ୍ପ । ୨୦୨୪ରେ ବିଜେଡି ହାତରେ ପୁନର୍ବାର ରାଜ୍ୟ ଶାସନର କମାଣ ରହିବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ନେତୃତରେ ଓଡ଼ିଶାର ବିକାଶ ଦ୍ରୃତ ଗତିରେ ଆଗେଇ ଚାଲିଥିବାରି ବିକାଶର ବିନ୍ଧାଣୀ ହେବାକୁ ବିରୋଧୀ ଦଳ ସଦସ୍ୟ ଏବେ ବିଜେଡି ମୁହାଁ । ୨୦୨୪ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଦିନ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେବା ରାଜ୍ୟ ରାଜନୀତି ସମୀକରଣକୁ ନୂଆଦିଗ ଦେଇଛି । ଯାହା ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ସହ ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ବିଜେଡି ଦେଢ କୋଟି ଭୋଟ ଟାର୍ଗେଟ ମୁହା୍ଁ ହେଉଛି ଦଳ । ସାଧାରଣ ନିର୍ବାଚନର ବହୁଦିନ ପୂର୍ବରୁ ଦଳର ଏହି ସଫଳତା ବରିଷ୍ଠ ନେତାମାନଙ୍କୁ ଉତ୍ସାହିତ କରିଛି । ଭାଙ୍ଗୁଛି ବିରୋଧୀ ଦୁର୍ଗ । ବିଜେଡି ମୁହାଁ ନେତା ଓ କର୍ମୀ । ଚବିଶ ପାଇଁ ବଦଳିଲାନି ସମୀକରଣ । ବିଜେଡି କହିଲା ନବୀନଙ୍କ ନାହିଁ ବିକଳ୍ପ । ଫୋକସରେ ଲୋକ ସମ୍ପର୍କ ।. ..୨୦୨୪ରେ କିଏ ଗଢିବ ରାଜ୍ୟରେ ସରକାର? କଣ ରହିଛି ଓଡ଼ିଶାର ରାଜନୈତିକ ପାଣିପାଗ ? ରାଜ୍ୟବାସ କଣ ଚିନ୍ତା କରୁଛନ୍ତି ? ଏସବୁ ପ୍ରଶ୍ନର ଗୋଟିଏ ସହଜ ଉତ୍ତର ଓଡ଼ିଶାରେ ନାହିଁ ନବୀନଙ୍କ ବିକଳ୍ପ । ୬ମାସରୁ ଅଧିକ ଦିନଧରି ଓଡ଼ିଶାରେ ସାଧାରଣ ନିର୍ବାଚନ ହେବାକୁ ବାକିଥିବା ବେଳେ ସବୁ ଦଳ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।

ଆଉ ତାହାରି ଭିତରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଓ ଉପନିର୍ବାଚନ ଫଳାଫଳ ବିଜେଡିକୁ ଅଧିକ ଶକ୍ତିଶାଳୀ କରୁଛି । ନବୀନଙ୍କ ଦୃଢ ନେତୃତ୍ବ ଓ ବିକାଶ କାର୍ଯ୍ୟକ୍ରମ ଜରିଆରେ ଗଠନ ହୋଇଚାଲିଛି ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା । ଯାହା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ଫଳରେ ୨୪ ନିର୍ବାଚନରୁ ଦେଢ ବର୍ଷ ପୂର୍ବରୁ ବିଜେପି ଓ କଂଗ୍ରେସର ବହୁନେତା ଏବେ ବିଜେଡି ମୁହାଁ । ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଟ୍ରେଲର ଦେଖିବାକୁ ମିଳିଲାଣି । ମୁଖ୍ୟ ବିରୋଧୀ ବିଜେପି ଦଳର ଜିଲ୍ଲା ନେତୃତ୍ବ ନେଉଥିବା ନେତା ଓ ଦଳର ଷ୍ଟାର କ୍ୟାମ୍ପେନର ସାଜିଥିବା ନେତା ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେଣି । କଂଗ୍ରେସ କଥା ତ ନକହିଲେ ଭଲ ।

ଦଳର ପୂର୍ବତନ ପ୍ରାର୍ଥୀ ଓ ମଙ୍ଗୁଆଳ ବି ବିଜେଡିରୁ ସାମିଲ ହୋଇଛନ୍ତି । ଯାହା ବିଜେଡିକୁ ସାଧାରଣ ନିର୍ବାଚନ ପୂର୍ବରୁ ଅଧିକ ଶକ୍ତିଶାଳୀ କରିବା ସହ ନବୀନଙ୍କ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାକୁ ଓଡ଼ିଶାବାସୀ ମନସ୍ଥ କରିଥିବା ତାହା ପ୍ରମାଣିତ କରିଛି । ବିରୋଧୀ ନେତା ମଧ୍ୟ ଏ କଥାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି । ୨୦୨୩ରେ ଚବିଶ ପାଇଁ ସବୁ ଦଳର ଅଙ୍କକଷା ଜୋରଦାର କରିଥିବା ବେଳେ ସବୁ ପ୍ରସ୍ତୁତିରେ ଢେର ଆଗରେ ରହିଛି ବିଜେଡି । ଦେଢ କୋଟି ଭୋଟ ହାତେଇବା ପାଇଁ ଦଳ ଦେଢବର୍ଷ ପୂର୍ବରୁ ରୋଡମ୍ୟାପ କରି କାମ ଆରମ୍ଭ କରିଦେଇଛି ।

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଅଧିକ ମଜଭୁତ କରିବା ଓ ଲୋକ ସମ୍ପର୍କ ବଢାଇବା , ଜନସେବା ପାଇଁ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଶତ ପ୍ରତିଶତ ସଫଳ କରିବାକୁ ଦଳୀୟ ନେତା ଓ କର୍ମୀ ଅଣ୍ଟା ଭିଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବୀନ ନିବସରେ ଏସବୁ ରୁଟିନ ଓ୍ବାର୍କର ସମୀକ୍ଷା କରୁଥିବା ଦଳୀୟ ନେତାଏ କହିଛନ୍ତି ।

୨୫ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି, ଶିଳ୍ପ, କ୍ରୀଡ଼ା, ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶରେ ଓଡ଼ିଶା ଦେଶର ରୋଲ ମଡେଲ ସାଜିଛି । ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତିରେ ସବୁ କ୍ଷେତ୍ରରେ ଓଡ଼ିଶା କିପରି ୧ ନମ୍ବର ରାଜ୍ୟ ହେବ ତାହାକୁ ଫୋକସ କରିଛନ୍ତି ରାଜ୍ୟ ସରକାର । ଆଉ ଏସବୁ ପାଇଁ ନବୀନ ଓଡ଼ିଶାକୁ ସବୁ ନିର୍ବାଚନରେ ଓଡ଼ିଶାବାସୀଙ୍କ ଆର୍ଶୀବାଦ ମିଳୁଛି ।

ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ କୃଷି ବିଭାଗର ଭୂମିକା ମହତ୍ତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କୃଷି ବିଭାଗ ସହିତ ସମତାଳରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ । ଚାଷୀଙ୍କ ଆୟବୃଦ୍ଧି ଦିଗରେ ଗୋପାଳନ, କୁକୁଡ଼ା ଚାଷର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାବେଳେ ରାଜ୍ୟ ସରକାର ପ୍ରାଣୀପାଳନ ନିମନ୍ତେ ସାଧାରଣ ଚାଷୀଙ୍କ ସମେତ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୁମିହୀନ ଚାଷୀଙ୍କ ନିମନ୍ତେ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

କ୍ଷେତ୍ର ଅଧିକାରୀମାନେ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରିବା ଦିଗରେ ଅଧିକ ତତ୍ପରତା ପ୍ରକାଶ କରି ଯୋଜନାର ଲାଭ ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ସ୍ୱାଇଁ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା କରି ହିତାଧିକାରୀମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସବ୍‌ସିଡି ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ଦ୍ୱାରା ହିତାଧିକାରୀମାନେ ଉତ୍ସାହିତ ହେବା ସହିତ ରାଜ୍ୟରେ ଅଣ୍ଡା, ମାଂସ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ । ଏଥି ସହିତ ଗ୍ରାମାଞ୍ଚଳର ଅର୍ଥନୀତିରେ ଗୋପାଳନ, କୁକୁଡ଼ା ପାଳନ, ବତକ ଓ ଛେଳି ପାଳନ ଆଦି ବ ର୍ଷସାରା ଚାଷୀଙ୍କୁ ରୋଜଗାର ଦେଉଥିବାରୁ ଅଧିକରୁ ଅଧିକ ଚାଷୀ ପରିବାରକୁ ଏଥି ପ୍ରତି ଆକୃଷ୍ଟ କରାଇବା ଦିଗରେ କ୍ଷେତ୍ର ଅଧିକାରୀମାନେ ଯନିବାନ ହେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ବୈଠକରେ ଗ୍ରାମୀଣ ଘର ଅଗଣା କୁକୁଡ଼ା ପାଳନ, ୫୦୦ ଓ ୧୦୦୦ କୁକୁଡ଼ା କ୍ଷମତାବିଶିଷ୍ଟ ବ୍ରଏଲର ଫାର୍ମ ପ୍ରତିଷ୍ଠା, ୧୦୦୦ କ୍ଷମତା ବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ପାଳନ, ସେମି କମର୍ସିଆଲ ବତକ ପାଳନ, ଓଏମ୍‌ବିଏଡିସି ଅନ୍ତର୍ଗତ ଜିଲ୍ଲା ଯୋଜନାରେ କୁକୁଡ଼ା ଓ ଛେଳି ପାଳନ ସମେତ ଗୋପାଳନ କ୍ଷେତ୍ରରେ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।

ଏଥି ସହିତ ପ୍ରାଣୀସଂପଦର ସ୍ୱାସ୍ଥ୍ୟ ସୁରକ୍ଷା ତଥା ରୋଗନିୟନ୍ତ୍ରଣ ନିମନ୍ତେ ଟୀକାକରଣ, କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ ଏବଂ ପ୍ରାଣୀସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଭିନ୍ନ ଯୋଜନା ଓ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ରାଜ୍ୟ ଅର୍ଥନୀତିରେ ଏହାର ଯୋଗଦାନ ବୃଦ୍ଧି କରିବା ପାଇଁ କହିଥିଲେ । ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଳାର ସିଡିଭିଓ, ଏଡିଭିଓମାନେ ଯୋଗଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଅନୁଗୋଳ ଓ ସୁବର୍ଣ୍ଣପୁର ଆଦି ପାଞ୍ଚୋଟି ଜିଲ୍ଲାର ସିଡିଭିଓମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।