ଅଭାବ ଅସୁବିଧାରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି 5T ସଚିବ, ଗରିବ ବିଧବା ମହିଳାଙ୍କୁ ଯୋଗାଇଲେ ସହାୟତା

1 min read

ବରଗଡ଼: କେବଳ ଛାତ୍ରଙ୍କ ସମସ୍ୟା ନୁହେଁ କି ଅନାଥଙ୍କ ଦୁଃଖ ନୁହେଁ । ଅଭାବଠୁ ଅସୁବିଧା । ସବୁ ସମୟରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ତାଙ୍କ ସାହାଯ୍ୟ ଓ ସହଯୋଗର ପୃଷ୍ଠାରେ ଏବେ ଯୋଡ଼ି ହୋଇଛି ଗରିବ ବିଧବା ମହିଳାଙ୍କ କାହାଣୀ । ବରଗଡ଼ ସଦର ବ୍ଲକ ଅଡ଼ଗାଁର ପୁଷ୍ପା ଭୁଏଙ୍କ ଦୁଃଖ ବୁଝିଛନ୍ତି 5T ସଚିବ । ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ସନ୍ତାନଙ୍କୁ ନେଇ ଭାଙ୍ଗିପଡ଼ିଥିଲେ ପୁଷ୍ପା । ଆର୍ଥିକ ଅନଟନ ଭିତରେ ସଂଘର୍ଷ କରି ପରିବାର ଚଳାଉଥିବା ପୁଷ୍ପାଙ୍କ କାହାଣୀ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ 5T ସଚିବ । ଖବର ପାଇବ କ୍ଷଣି ବରଗଡ଼ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ପୁଷ୍ପାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବା ସହ ସ୍ବାମୀଙ୍କ ମୃତ୍ୟୁ ବାବଦକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଯାଇଛି । ପୂର୍ବରୁ ଆଶୀର୍ବାଦ ଯୋଜନାରେ ଦୁଇ ଛୁଆଙ୍କୁ ସାମିଲ କରାଯାଇ ପ୍ରତି ମାସକୁ ୧୫ ଶହ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି । ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ପୁଷ୍ପା ଭୁଏ ।