୧୮ ତାରିଖରୁ ବରୁଣେଇରୁ ଆରମ୍ଭ ହେବ ପାଇକ ଗର୍ଜନ ସମାବେଶ, ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ

ଖୋର୍ଦ୍ଧା: କେବେ ମିଳିବ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା । ଓଡ଼ିଶା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟକୁ ଆଉ ଅଣଦେଖା କରିପାରିବ ନାହିଁ କେନ୍ଦ୍ର । ୧୮ ତାରିଖରୁ ବରୁଣେଇରୁ ଆରମ୍ଭ ହେବ ପାଇକ ଗର୍ଜନ ସମାବେଶ । ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ । ୧୮୧୭ ମସିହାରେ ଇଂରେଜ ଶାସନ ବିରୁଦ୍ଧରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ । ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ ୨୦୧୭ ମସିହାରୁ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାନ୍ୟତା ଦେଉନାହିଁ କେନ୍ଦ୍ର । ବରୁଣେଇ ପାଦ ଦେଶରେ ମାଗଣାରେ ୧୦ ଏକର ଜମି ରାଜ୍ୟ ସରକାର ପ୍ରଦାନ କରିଥିବା ବେଳେ ଆନ୍ତରିକତା ଦେଖାଉନାହାନ୍ତି କେନ୍ଦ୍ର ସରକାର ।

ପାଇକ ସ୍ମାରକୀ ନିର୍ମାଣ, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା, ପାଇକ ରେଜିମେଣ୍ଟ ଗଠନ, ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ଆଦି ଦାବିରେ ଆରମ୍ଭ ହୋଇଛି ପୁଣି ପାଇକ ଆନ୍ଦୋଳନ । ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ସାରା ରାଜ୍ୟରେ ଜନ ଆନ୍ଦୋଳନ ପାଇଁ ଚାଲିଛି ପ୍ରସ୍ତୁତି । ଆସନ୍ତା ୧୮ ତାରିଖରୁ ବରୁଣେଇରୁ ଆରମ୍ଭ ହେବ ପାଇକ ଗର୍ଜନ ସମାବେଶ । ଓଡ଼ିଶା ସଂଗ୍ରାମୀମାନଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ଦିଲ୍ଲୀ ଦରବାରରେ ହକ୍ ପାଇଁ ଆନ୍ଦୋଳନ କରିବେ ପାଇକ ସଂଗଠନ ।