spot_img
Home Blog Page 3188

ସ୍ବପ୍ନରେ ରହିଯିବ କି ସ୍ବପ୍ନର ଘର, ଆପାର୍ଟମେଣ୍ଟ ଦେବାକୁ କହି ବିଲଡର ସଂସ୍ଥା ସମୟ ଗଡ଼ାଉଥିବା ଅଭିଯୋଗ

ଭୁବନେଶ୍ୱର: ଗ୍ରାହକ ବେହାଲ, ବିଲଡର ମାଲାମାଲ । ଟଙ୍କା ନେଲେ ହେଲେ କୋଠା ଦେଲେନି । ସ୍ବପ୍ନରେ ରହିଗଲା ସ୍ବପ୍ନର ଘର । ବିଲଡରଙ୍କୁ ଅଭିଯୋଗ କଲେ ଗୋଡ଼ାଉଛନ୍ତି ବାଉନସର । ୨୦୧୨ରେ ସୁନ୍ଦରପଦାରେ ପ୍ରସ୍ତାବିତ The Prestige ଆପାର୍ଟମେଣ୍ଟରେ 2 BHK ଘର ପାଇଁ ୧୫ ଲକ୍ଷ ୫୦ ହଜାର ଟଙ୍କା ଦେଇ ଏପର୍ଯ୍ୟନ୍ତ ମଧ୍ୟ ଘର ପାଇପାରିନାହାନ୍ତି । କିନ୍ତୁ ୧୧ ବର୍ଷ ପରେ ବି ଘର ନମିଳିବାରୁ ସହିଦନଗର ସ୍ଥିତ ବିଲଡର ଅଫିସ ଘେରାଉ କରିଛନ୍ତି ଠକେଇର ଶିକାର ଲୋକ । ପ୍ରାୟ ୪୨ ଜଣ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହେବା ପରେ MD ଅନ୍ତର୍ଯ୍ୟାମୀ ବଡୁଙ୍କୁ ଦେଖା କରିବାକୁ ଚାହିଁଥିଲେ । ହେଲେ ଗଣମାଧ୍ୟମ ସହ କ୍ଷତିଗସ୍ତଙ୍କୁ ଅଟକାଇଥିଲେ ସଂସ୍ଥାର ଭଡ଼ାଟିଆ ଗୁଣ୍ଡା । ଯାହାକୁ ନେଇ ବିଲଡର ଅଫିସରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି ।

ସିଟିକନ ଇଞ୍ଜିନିୟର୍ସ ଲିମିଟେଡ୍ ଏବେ ତା’ର ନାଁ ପରିବର୍ତ୍ତନ କରି ଆରିୟାନ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ଼ କରିଛି । MD ଅନ୍ତର୍ଯ୍ୟାମୀ ବଡୁଙ୍କ ସହ ଆଲୋଚନା ପରେ ସେ ଆଗାମୀ ୪ ମାସ ମଧ୍ୟରେ ଲୋକଙ୍କୁ ଘର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଲୋକଙ୍କ ଅଭିଯୋଗ ହେଉଛି, ମିଛ ପ୍ରତିଶ୍ରୁତି ଦେବାରେ ଧୁରନ୍ଧର ଅନ୍ତର୍ଯ୍ୟାମୀ । ଆପର୍ଟମେଂଟରେ ଫାୟାର ସେଫ୍ଟି, ସ୍ୱିମିଙ୍ଗ ପୁଲ, ପାର୍କିଂ, ମନ୍ଦିରର କୌଣସି କାମ ହୋଇନାହିଁ । ୧୦ ବର୍ଷ ହେଲା କୋଟି କୋଟି ଟଙ୍କାର ସୁଧ ଦେଇ ତଳିତଳାନ୍ତ ହୋଇଥିବା ଗ୍ରାହକ ଆଗକୁ EOW ଓ ରେରାର ଦ୍ବାରସ୍ତ ହେବେ ବୋଲି କହିଛନ୍ତି ।

ଓଡ଼ିଶା ସରକାର-ଏଚଏସଟିପି ମଧ୍ୟରେ ଚୁକ୍ତି, ସୁଦୃଢ଼ ହେବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା । ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ଓ ହେଲ୍ଥ ସିଷ୍ଟମ ଟ୍ରାନ୍ସଫରମେସନ ପ୍ଲାଟଫର୍ମ (ଏଚଏସଟିପି) ମଧ୍ୟରେ ମିଳିତ ସହମତିରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ସେବାର ରୂପାନ୍ତରଣ ଏବଂ ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ । ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ସମଗ୍ର ଜନସଂଖ୍ୟାକୁ ସାର୍ବଜନିକ ସ୍ୱାସ୍ଥ୍ୟ କଭରେଜ ଯୋଗାଇବାରେ ଓଡ଼ିଶା ଦ୍ରୁତ ଗତିରେ ଅଗ୍ରଗତି କରୁଛି ।

ଏଚଏସଟିପି, ଭାରତୀୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ନନପ୍ରଫିଟ ସଂସ୍ଥା ଅଟେ ଯାହା ବ୍ୟବସ୍ଥା ପରିବର୍ତ୍ତନ କରିବାରେ ଲକ୍ଷ୍ୟ ରଖିଛି । ଏହି ସଂଗଠନ ଓଡ଼ିଶାର ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଫଳାଫଳ ବୃଦ୍ଧି ଦିଗରେ ବିଭାଗକୁ ସହଯୋଗ କରିବ । ଉପଲବ୍ଧ ରିପୋର୍ଟରେ ଦର୍ଶାଯାଇଛି ଯେ ସହଯୋଗର ମୂଖ୍ୟ ବିଷୟବସ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ଦୃଢ଼ କରିବା, ଜନସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି, ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧାରେ ଔଷଧର ସୁବିଧା, ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଦୀର୍ଘକାଳୀନ ବିନିଯୋଗ ଯୋଜନା ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ ରହିଛି ।

ସ୍ୱାସ୍ଥ୍ୟ ପ୍ରଣାଳୀର ଡିଜାଇନ୍, ରଣନୀତି, ଗବେଷଣା ଏବଂ ଉତ୍ସଗୁଡ଼ିକର ଉପଯୋଗକୁ ସର୍ବୋତ୍କୃଷ୍ଟ କରିବା ଉପରେ ଧ୍ୟାନ ଦିଆଯିବ । ଏହି ସହଭାଗୀତା ମଧ୍ୟ ପ୍ରମାଣ ସିନ୍ଥେସିସ୍ ସୃଷ୍ଟି କରିବ ଏବଂ ଧାରଣା ପ୍ରୋଟୋଟାଇପ୍/ ମଡେଲଗୁଡିକ, ସର୍ବୋତ୍ତମ ଅଭ୍ୟାସ ଏବଂ ଉଦ୍ଭାବନରୁ ଶିକ୍ଷଣର ଡକ୍ୟୁମେଣ୍ଟେସନ୍ ବିକାଶ କରିବ । ଫଳରେ ଓଡିଶା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟ ପାଇଁ ମାପଯୋଗ୍ୟ ଏବଂ ସ୍ଥାୟୀ ମଡେଲ ଆଣିପାରେ ।

ନଷ୍ଟ ହେବନି ଖଣ୍ଡିଏ ବି ହାଡ଼, ଏସସିବିରେ ସ୍ଥାପନ ହେବ ବୋନ୍ ବ୍ୟାଙ୍କ୍

କଟକ: ବଡ଼ ମେଡିକାଲରେ ବଡ଼ ବ୍ୟବସ୍ଥା । ନଷ୍ଟ ହେବନି ଖଣ୍ଡିଏ ବି ହାଡ଼ । ଫିଙ୍ଗା ହେବନି କାମରେ ଲାଗିବ । ଏସସିବିରେ ସ୍ଥାପନ ହେବ ବୋନ୍ ବ୍ୟାଙ୍କ୍ । ଏଣିକି ଅସ୍ତ୍ରୋପଚାର ସମୟରେ କୌଣସି ହାଡ଼ ଫୋପଡ଼ା ହେବନି । ଏହାକୁ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ । ରାଜ୍ୟରେ ପ୍ରଥମ କରି କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ବୋନ୍ ବ୍ୟାଙ୍କ । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଥିବାବେଳେ ଅନୁଧ୍ୟାନ କରିଛି ଡିଏମଇଟି କାର୍ଯ୍ୟାଳୟର ଅସ୍ଥିଶଲ୍ୟ ବିଭାଗ । ଆବଶ୍ୟକ ମେସିନ୍ ଆଣିବାକୁ ଟେଣ୍ଡର ଡକା ସରିଥିବା ଜଣାପଡ଼ିଛି । ଅତ୍ୟାବଶ୍ୟକ ହ୍ୟୁମାନ ଲ୍ୟୁକୋସାଇଟ ଆଣ୍ଟିଜେନ ତଥା ଏଚଏଲଏ ମ୍ୟାଚିଂ ଲାବୋରେଟୋରୀ ଖୋଲିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ଏଭଳି ସ୍ଥଳେ ବୋନ୍ ବ୍ୟାଙ୍କ ପ୍ରତିଷ୍ଠା କରି ହାଡ଼ ପ୍ରତିରୋପଣ ପାଇଁ ପ୍ରସ୍ତୁତ ହେଉଛି ଏସସିବି ।

ଏଯାଏ ଓଡ଼ିଶାରେ ବୋନ୍ ବ୍ୟାଙ୍କ ନାହିଁ । ଟାଟା ମେମୋରିଆଲ, ଦିଲ୍ଲୀ ଏମ୍ସ, ଚେନ୍ନାଇର କିଛି ଘରୋଇ ହସପିଟାଲରେ ଏହି ବ୍ୟବସ୍ଥା ରହିଛି । ଦୁର୍ଘଟଣା, ଟ୍ୟୁମର କିମ୍ବା କର୍କଟ ରୋଗୀଙ୍କ ଶରୀରର ବିଭିନ୍ନ ଅଙ୍ଗରୁ ହାଡ଼କୁ ଅସ୍ତ୍ରୋପଚାରରେ କାଟି ବାହାର କରିଦିଆଯାଏ । ସାଧାରଣତଃ ଏହାକୁ ଫିଙ୍ଗି ଦିଆଯାଇଥାଏ । ମାତ୍ର ହାଡ଼କୁ ନଫୋପାଡ଼ି ସଦୁପଯୋଗ କରିବାକୁ ନିଆରା ପଦକ୍ଷେପ ନିଆଯାଇଛି । ହାଡ଼କୁ ବୋନ୍ ବ୍ୟାଙ୍କରେ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ବ୍ୟବହାର କରାଯିବ । ଏସସିବିରେ ଏହା ପ୍ରତିଷ୍ଠା ହେଲେ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ମୋହନା ହାଇସ୍କୁଲ ପଡ଼ିଆରେ ଲୋକଙ୍କ ସମସ୍ୟା ଶୁଣିଲେ 5T ସଚିବ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଗଜପତି: ଦୁଇ ଦିନିଆ ଗଜପତି ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ମୋହନାରେ ପହଞ୍ଚି ବିଭିନ୍ନ ସଂଗଠନ, ଗୋଷ୍ଠୀ ଓ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିଛନ୍ତି 5T ସଚିବ । ଲୋକଙ୍କ ସହ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଲୋକଙ୍କଠୁ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପ୍ରତିଶ୍ରୁତି ଦେଇଛନ୍ତି । ବ୍ରହ୍ମପୁରରୁ ମୋହନା ଦେଇ ଜୟପୁର ଯାଏ ହେବ ଏକ୍ସପ୍ରେସ ଓ୍ୱେ-୨ । ‘୩ ବର୍ଷରେ ସରିବ ବିଜୁ ଏକ୍ସପ୍ରେସ ଓ୍ୱେ-୨ର ନିର୍ମାଣ । ଏହାଦ୍ବାରା ମୋହନାବାସୀ ବେଶୀ ଉପକୃତ ହେବେ । ୩ ଘଣ୍ଟା ବଦଳରେ ୪୫ମିନିଟରେ ବ୍ରହ୍ମପୁରରେ ପହଞ୍ଚିବେ ଯାତ୍ରୀ । ସେହିପରି ରାୟଗଡ଼ା ଯିବାକୁ ୪ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା ଲାଗିବ । ପରେ ମୋହନାର ଜିରାଙ୍ଗରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଛନ୍ତି 5T ସଚିବ ।

ତାପରଙ୍ଗ ଜଙ୍ଗଲରେ ନକ୍ସଲ-ପୋଲିସ ଗୁଳି ବିନିମୟ ଘଟଣା, ଏୟାରଲିଫ୍ଟ ହେଲେ ଆହତ ଡିଏସପି

ଭୁବନେଶ୍ୱର: କଳାହାଣ୍ଡି ଏମ. ରାମପୁର ତାପରଙ୍ଗ ଜଙ୍ଗଲରେ ନକ୍ସଲ-ପୋଲିସ ଗୁଳି ବିନିମୟ ଘଟଣା । ଏୟାରଲିଫ୍ଟ ହେଲେ ଆହତ ଡିଏସପି । ଏୟାରଲିଫ୍ଟରେ ଭୁବନେଶ୍ୱର ଆଣିବା ପରେ ଗ୍ରୀନ୍ କରିଡରରେ ଏମ୍ସ ନିଆଯାଇଛି । ନକ୍ସଲଙ୍କ ସହ ଗୁଳି ବିନିମୟ ସମୟରେ ଡିଏସପିଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଏଡିଜି ଅପରେସନ୍ ଅମିତାଭ୍ ଠାକୁର । ତେବେ ଏବେ ବି ତାପରଙ୍ଗ ଜଙ୍ଗଲରେ ଏସପିଙ୍କ ନେତୃତ୍ୱରେ ସର୍ଚ୍ଚ ଅପରେସନ ଚାଲିଛି । ତେବେ ଏହି ସର୍ଚ୍ଚ ଅପରେସନରେ AK-47 ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି । ସୁରକ୍ଷାକର୍ମୀଙ୍କ ସହ ଗୁଳିକାଣ୍ଡରେ ୩ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀମାନେ ଛତିଶଗଡ଼ କ୍ୟାଡର ବୋଲି ସନ୍ଦେହ କରାଯାଉଛି ।

 

 

ଗଜପତି ଗସ୍ତରେ 5T ସଚିବ, ମୋହନାରେ ବିଜୁ ଏକ୍ସପ୍ରେସ ଓ୍ବେ’ କାମର କରିବେ ଅନୁଧ୍ୟାନ

ଗଜପତି: କେନ୍ଦ୍ରାପଡ଼ା, ଗଞ୍ଜାମ ପରେ ଦୁଇ ଦିନିଆ ଗଜପତି ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ମୋହନାରେ ପହଞ୍ଚି ବିଜୁ ଏକ୍ସପ୍ରେସ ଓ୍ବେର କାମ ଅନୁଧ୍ୟାନ କରିବେ । ପରେ ଜିରାଙ୍ଗ ବୌଦ୍ଧ ଧର୍ମପୀଠରେ ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେଠାରେ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଂଗଠନ, ଗୋଷ୍ଠୀ ଓ ନେତାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଚନ୍ଦ୍ରଗିରି ଆଇବିରେ ରାତ୍ରୀଯାପନ କରିବେ 5T ସଚିବ । ଦୁଇଦିନିଆ ଗସ୍ତରେ ଗଜପତି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ । କାଲି ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅନୁଧ୍ୟାନ କରିବେ ।

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ, ସାଥି ଚିତା ସହ ଲଢେଇରେ ମୃତ୍ୟୁବରଣ କରିଛି

ଭୋପାଳ: ମଧ୍ୟପ୍ରଦେଶର କୁନ୍ନୋ ନ୍ୟାସନାଲ ପାର୍କରେ ଥିବା ଆଉ ଏକ ମାଇ ଚିତା ଦକ୍ଷାର ମୃତ୍ୟୁ । ଦୁଇଟି ଅଣ୍ଡିରା ଚିତା ସହ ଲଢେଇ ଯୋଗୁଁ ଦକ୍ଷାର ମୃତ୍ୟୁ ହୋଇଥିବା ନ୍ୟାସନାଲ ପାର୍କ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଚିତାର ମୃତ୍ୟୁ ହେଲାଣି ।

୧୧ଟି ଦକ୍ଷିଣ ଆଫ୍ରିକୀୟ ଚିତା ଓ ୪ଟି ନାମିବିୟାରୁ ଚିତା ଅଣାଯାଇ କୁନ୍ନୋ ନ୍ୟାସନାଲ ପାର୍କରେ ଛଡାଯାଇଛି । ତାଙ୍କୁ ଖୁବଶୀଘ୍ର ଖୋଲା ଜଙ୍ଗଲରେ ଛଡାଯିବ ବୋଲି ରଣନୀତି ପ୍ରସ୍ତୁତ ହେଉଛି । ତାପୂର୍ବରୁ ୩ଟି ଚିତାଙ୍କର ମୃତ୍ୟୁ ହୋଇସାରିଲାଣି । ପ୍ରଜନନ ପାଇଁ ଦୁଇଟି ଅଣ୍ଡିରା ଚିତା ସହ ମାଈ ଚିତା ଦକ୍ଷାକୁ ଛଡାଯାଇଥିଲା । ସେମାନଙ୍କ ମଧ୍ୟରେ ଲଢେଇ ଯୋଗୁଁ ଗୁରୁତର ହୋଇପଡିଥିଲା ଦକ୍ଷା । ଆଜି ତାର ମୃତ୍ୟୁ ହୋଇଛି ।

ଓଡ଼ିଶା ଉପରେ ନାହିଁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ଓଡ଼ିଶା ଉପକୂଳରୁ ୬୦୦ କିଲୋମିଟର ଦୂରରେ ଯିବ ବାତ୍ୟା

ଭୁବନେଶ୍ୱର: ଓଡ଼ିଶା ଉପରେ ପଡ଼ିବନି ସମ୍ଭାବ୍ୟ ବାତ୍ୟାର ପ୍ରଭାବ । ଓଡ଼ିଶା ଉପକୂଳରୁ ୬୦୦ କିଲୋମିଟର ଦୂରରେ ଯିବ ବାତ୍ୟା । ଆଗାମୀ ୪ ଦିନ ତାତିରୁ ନାହିଁ ନିସ୍ତାର । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ତତ୍-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନସାଗର ଅଞ୍ଚଳରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଦକ୍ଷିଣପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ୧୦ତାରିଖ ବେଳକୁ ବାତ୍ୟା ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୨ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ସମୟରେ ଗତିପଥ ପରିବର୍ତ୍ତନ କରିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ବଙ୍ଗଳାଦେଶ – ମିଆଁମାର ଆଡକୁ ବାତ୍ୟା ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ଉପକୂଳର ପ୍ରାୟ ୬ ଶହ କିଲୋମିଟର ଦୂରରେ ଗତି କରୁଥିବାରୁ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନଥିବା ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ପ୍ରକାର ଆଲର୍ଟ ଜାରି କରାଯାଇନାହିଁ ।

ରାଜ୍ୟରେ ଶେଷ ହୋଇଛି କାଳବୈଶାଖୀର ପ୍ରଭାବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେଉଛି। ତେବେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ତତଲା କଡେଇରେ ସିଝୁଛି ସାରା ଓଡ଼ିଶା । ଅଧାରୁ ଅଧିକ ଜିଲ୍ଲାରେ ଦିନର ତାପମାତ୍ରା ୪୦ ଉପରେ ରହୁଛି । ରାଜ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଥିବା ବେଳେ ଆଦ୍ରତା ଅଧିକ ରହୁଛି । ଫଳରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଏଭଳି ସ୍ଥିତି ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଦିନର ତାପମାତ୍ରା ୨ରୁ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଇମ୍ରାନଙ୍କୁ ପିଟୁଛି ପୋଲିସ, ସମର୍ଥକଙ୍କ ସଙ୍ଗୀନ ଅଭିଯୋଗ

ଇସଲାମାବାଦ: ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ରେଞ୍ଜର୍ସ ଅର୍ଥାତ ପାରାମିଲିଟାରୀ ଫୋର୍ସ ଇମ୍ରାନଙ୍କୁ ଗିରଫ କରିଛି । ଦୁଇଟି ମାଲମାରେ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ଇମ୍ରାନ । ଏହି ସମୟରେ ତାଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ମିଡିଆର ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ହାଇକୋର୍ଟରେ ପହଞ୍ଚିବା କ୍ଷଣି ପାରାମିଲିଟାରୀ ଫୋର୍ସ ଏବଂ ସଶସ୍ତ୍ର ବାହିନୀ ହାଇକୋର୍ଟରେ ପହଞ୍ଚି ଯାଇଥିଲେ ।

ଗାଡ଼ିରେ ଗେଟ୍ ବ୍ଲକ୍ କରିଦେଇଥିଲେ ଏବଂ ଏହାର କିଛି ସମୟ ପରେ ଇମ୍ରାନ ଖାନକୁ ଗିରଫ କରାଯାଇ ବାହାରକୁ ଅଣାଯାଇଥିଲା । ନିକଟରେ ଇମ୍ରାନ ଇଣ୍ଟେଲିଜେନ୍ସର ମୁଖ୍ୟ ଅଧିକାରୀଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ବଜିରାବାଦରେ ତାଙ୍କୁ ହତ୍ୟା କରିବା ନେଇ ଷଡଯନ୍ତ୍ର କରୁଛନ୍ତି । ପାକିସ୍ତାନୀ ସେନା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା । ଏହାପରେ ଆଜି ଇମ୍ରାନ ଏକ ଭିଡିଓ ଜାରି କରି ପୁଣିଥରେ ଆରୋପ ଦୋହରାଇଥିଲେ ।

ଏହାର ଚାରି ଘଣ୍ଟା ପରେ ତାଙ୍କୁ କୋର୍ଟରୁ ଗିରଫ କରାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଆମେର ଫାରୁକ ଇମ୍ରାନଙ୍କ ଗିରଫଦାରୀ ପରେ ଗୃହମନ୍ତ୍ରୀଙ୍କ ସଚିବ ଏବଂ ଇସଲାମାବାଦର ପୋଲିସ ମୁଖିଆଙ୍କୁ ୧୫ ମିନିଟ ଭିତରେ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ପୋଲିସ ମୁଖିଆ କୋର୍ଟରେ ହାଜର ନହୁଅନ୍ତି ତେବେ ଆମେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଡକାଇବାକୁ ବାଧ୍ୟ ହେବୁ ।

ଏମାନେ କୋର୍ଟକୁ ଆସନ୍ତୁ ଏବଂ କୁହନ୍ତୁ ଯେ ଇମ୍ରାନଙ୍କୁ କେଉଁ ମାମାଲା ଏବଂ କାହିଁକି ଗିରଫ କରାଯାଇଛି? ଇମ୍ରାନଙ୍କ ପାର୍ଟି ପିଟିଆଇର ଜଣେ ନେତା ମୁସରତ ଚିମା ଏକ ଭିଡିଓ ମେସେଜ୍ ଜାରି କରିଛନ୍ତି । ସେଥିରେ ସେ କହିଛନ୍ତି ଇମ୍ରାନ ଖାନଙ୍କୁ ଏବେ ଟଚର କରାଯାଉଛି । ସେମାନେ ଖାନ୍ ସାହବଙ୍କୁ ମାରୁଛନ୍ତି । ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଇମ୍ରାନଙ୍କ ଓକିଲଙ୍କର ଏକ ଭିଡିଓ ସେୟାର କରାଯାଇଛି । ଦଳ କହିଛି ଯେ ହାଇକୋର୍ଟ ବାହାରେ ଇମ୍ରାନଙ୍କୁ ନିର୍ଦ୍ଦୟୀ ଭାବେ ମାଡ଼ ମରାଯାଇଛି ।

ଇମ୍ରାନଙ୍କୁ ଗିରଫ କରି କୁଆଡେ ନିଆଗଲା ତାହା ମଧ୍ୟ ଜଣାପଡିନାହିଁ  । ଇମ୍ରାନଙ୍କ ଦଳ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି  । ଇମ୍ରାନଙ୍କୁ କୋର୍ଟ ପରିସରରୁ ଅପହରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି  । ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସାରା ଦେଶରେ ଦଳର କାର୍ଯ୍ୟକର୍ତ୍ତମାନେ ଆନ୍ଦୋଳନ କରିଛନ୍ତି ।

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ । ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବ । ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । ସେହପରି ସୀତାଙ୍କ ରୂପରେ ଦେଖିବାକୁ ମିଳିବେ କ୍ରିତି ସାନନ୍ । ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ । ବହୁ ପ୍ରତିକ୍ଷୀତ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଗତ ରାମ ନବମୀରେ ରିଲିଜ୍ ହୋଇଥିଲା । ସେହିପରି ଦ୍ୱିତୀୟ ପୋଷ୍ଟର ହନୁମାନ ଜୟନ୍ତୀରେ ରିଲିଜ୍ ହୋଇଥିଲା ।