ପ୍ରେମ ପାଇଁ ସୀମା ପାର କରି ଭାରତ ଆସିଥିବା ସୀମାଙ୍କୁ ଉଠାଇନେଲା ୟୁପି ଏଟିଏସ୍, ତଦନ୍ତରୁ ସାମ୍ନାକୁ ଆସିଲା ସାଂଘାତିକ ସତ…

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ସୀମା ହାଇଦର ଏବଂ ସଚିନ ମୀଣାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ତେବେ କେବଳ ଭାରତରେ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ଏହି ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନୀ ନାଗରିକ ସୀମା ହାଇଦର ପବଜୀ ଖେଳିବା ସମୟରେ ଭାରତୀୟ ନାଗରିକ ସଚିନଙ୍କୁ ପ୍ରେମ କରି ବସିଥିଲେ ଏବଂ ନିଜର ଚାରି ପିଲାଙ୍କୁ ଧରି ସ୍ୱାମୀଙ୍କୁ ଛାଡ଼ି ସେ ଭାରତ ଚାଲିଆସିଥିଲେ । ଗ୍ରେଟର ନୋଏଡାଠାରେ ରହୁଥିବା ସଚିନଙ୍କ ପାଖରେ ରହିବାକୁ ଲାଗିଥିଲେ । ହେଲେ ଏହି କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଲର୍ଟ ଜାରି ହୋଇଯାଇଥିଲା ।

ଏହାପରେ ତାଙ୍କୁ ପୋଲିସ ହେପାଜତକୁ ନେଇ ପଚରା ଉଚରା କରିଥିଲା । ଏହାପରେ ଏକ ଅଦାଲତ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଗ୍ରେଟର ନଏଡାରେ ପ୍ରେମୀ ସଚିନଙ୍କ ସାଙ୍ଗରେ ରହିବା ପାଇଁ ଅନୁମତି ଦେଇଥିଲେ । ସୀମାଙ୍କ କହିବା ଅନୁଯାୟୀ ସେ ସଚିନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି ଏବଂ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ହେଲେ ଆଜି ଉତ୍ତରପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍) ସୀମା ହାଇଦରଙ୍କୁ ଉଠାଇ ନେଇଛି । ୟୁପି ଏଟିଏସର ଏକ ଟିମ୍ ଗ୍ରେଟର ନଏଡାର ରବୁପୁରା ଗାଁକୁ ଯାଇ ସୀମାଙ୍କୁ ହେପାଜତକୁ ନେଇଛି ।

ଏବେ ସୀମା ହାଇଦର ନିଜ ପ୍ରେମୀ ସଚିନଙ୍କଠୁ ଅଲଗା ହୋଇଯାଇଛନ୍ତି । ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ସୀମା ହାଇଦରଙ୍କ କନେକ୍ସନ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଥିବା ସନ୍ଦେହ କରାଯାଉଛି । ଏହି ସନ୍ଦେହ ଆଧାରରେ ହିଁ ତଦନ୍ତ କରାଯାଉଛି । ୟୁପି ଏଟିଏସ୍, ଆଇବି, ନୋଏଡା ପୋଲିସ ସମେତ ଅନେକ ଏଜେନ୍ସି ଏହି ଆଙ୍ଗେଲରେ ତଦନ୍ତ କରୁଛନ୍ତି । ସୀମା ହାଇଦରଙ୍କ ଫୋନ୍ କଲ୍ ଡିଟେଲର ମଧ୍ୟ ଯାଞ୍ଚ କରାଯାଉଛି । ସୀମା ପାକିସ୍ତାନରୁ ଦୁବାଇ, ପରେ କାଠମାଣ୍ଡୁ ଏବଂ ସେଠାରୁ ଗ୍ରେଟର ନୋଏଡା ଆସିଥିଲେ ।

ତେବେ ବିନା ପାସପୋର୍ଟରେ ଭାରତ ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚମ୍ବିତ କରିଛି । ଆଜି ୟୁପି ଏଟିଏସ୍ ସୀମା ହାଇଦରଙ୍କୁ ହେପାଜତକୁ ନେବା ପରେ ତାଙ୍କୁ ପଚରାଉଚରା କରିବା ଆରମ୍ଭ କରିଦେଇଛି । ସୀମାଙ୍କ ପରିବାର ସହ ପାକିସ୍ତାନୀ ସେନାର ସମ୍ପର୍କକୁ ନେଇ ଖୁଲାସା ପରେ ମାମଲା ଗରମ ରହିଛି । ସୀମାଙ୍କ ଦାଦା ପାକିସ୍ତାନୀ ସେନାରେ ସୁବେଦାର ଥିବା ଜଣାପଡ଼ିଛି । ଏହା ବ୍ୟତୀତ ସୀମାଙ୍କ ଭାଇ ମଧ୍ୟ ପାକିସ୍ତାନୀ ସେନାରେ ଅଛନ୍ତି । ଏପରି ସ୍ଥିତିରେ ସୀମା ହାଇଦର ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଜଡ଼ିତ ନାହାନ୍ତି ତ? ଏହି ପ୍ରଶ୍ନର ଜବାବ ଖୋଜିବା ପାଇଁ ୟୁପି ଏଟିଏସ୍ ପଚରା ଉଚରା କରୁଛି ।

ଗ୍ରେଟର ନୋଏଡାର ରବୁପୁରା ସ୍ଥିତ ସଚିନଙ୍କ ଘରକୁ ୟୁପି ଏଟିଏସ୍ ସିଭିଲ ଡ୍ରେସରେ ଯାଇଥିଲା । ଏହାପରେ ସୀମାଙ୍କୁ ସାଥିରେ ଧରି ଚାଲି ଆସିଥିଲେ । ସୀମାଙ୍କୁ ଏଟିଏସ୍ ନେଇଯିବା ପରେ ସଚିନଙ୍କ ଘରେ ଏବେ ନୀରବତା ଖେଳିଯାଇଛି । କେହି କିଛି କହିବାକୁ ପ୍ରସ୍ତୁତ ନାହାନ୍ତି । ପରିବାର ସଦସ୍ୟ ଘର କବାଟ ବନ୍ଦ କରିଦେଇଛନ୍ତି । ଘରକୁ ଯିବା ପାଇଁ ମଧ୍ୟ କାହାକୁ ଅନୁମତି ଦିଆଯାଉନାହିଁ । ଏପର୍ଯ୍ୟନ୍ତ ସୁଦ୍ଧା ସୀମା ହାଇଦରଙ୍କୁ ନେଇ ସଚିନଙ୍କ ପରିବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସୀମାଙ୍କ ସହ ସଚିନ ମଧ୍ୟ ମିଡିଆ ସମ୍ମୁଖକୁ ଆସି ପ୍ରଶ୍ନର ଉତ୍ତର ଦେଉଥିଲେ ।

ଯେମିତି ହିଁ ୟୁପି ଏଟିଏସ୍ ସୀମାକୁ ନେବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ସେବେଠୁ ସଚିନଙ୍କ ପରିବାରର ଲୋକ ଘର କବାଟ ବନ୍ଦ କରିଦେଇଛନ୍ତି । ଏପଟେ ପାକିସ୍ତାନରେ ମଧ୍ୟ ଏହି ମାମଲାକୁ ନେଇ ହଲଚଲ ରହିଛି । ମୌଳବାଦୀ ଗୋଷ୍ଠୀ ମଧ୍ୟ ଲଗାତାର ସୀମା ହାଇଦରଙ୍କ ମୁଣ୍ଡ କାଟିବା ପାଇଁ ଧମକ ଦେଉଛନ୍ତି । ଏମିତି କି ଏକ ଡକାୟତି ଗ୍ୟାଙ୍ଗ ସୀମାଙ୍କୁ ପାକିସ୍ତାନକୁ ପେରାଇ ଦେବାକୁ ଧମକ ଦେଇଥିଲା । ଯଦି ସୀମାଙ୍କୁ ପାକିସ୍ତାନ ପଠାନଯାଏ ତେବେ ପାକରେ ଥିବା ହିନ୍ଦୁଙ୍କ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଥିଲେ ।

ତଦନ୍ତକାରୀ ସଂସ୍ଥା ସୀମା ହାଇଦରଙ୍କ ଆଇଡି କାର୍ଡକୁ ହାଇ କମିଶନକୁ ପଠାଇଛି । ହାଇ କମିଶନ ସୀମା ହାଇଦରଙ୍କ ଇତିହାସ ଜାଣିବାକୁ ଚେଷ୍ଟା କରିବ । ତଙ୍କର ସମସ୍ତ କୁଣ୍ଡଳୀ ବାହାର କରାଯିବ । ତାଙ୍କର ଭାରତ ଆସିବାର ତାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଏକତ୍ରିତ କରାଯାଉଛି । ସୀମା ପାର ପ୍ରେମ ଏବେ ସୀମାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ତେବେ କଣ ସତରେ ସୀମା ପାକିସ୍ତାନୀ ଗୁଇନ୍ଦା ସହ ଜଡ଼ିତ ନା ସଚିନଙ୍କ ପ୍ରେମ ପାଇଁ ନିଜ ଦେଶ ଛାଡ଼ି ସେ ଭାରତ ଆସିଛନ୍ତି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।