ବାଦଲଫଟା ବର୍ଷା ଓ ବନ୍ୟାରେ ଛାରଖାର ହିମାଚଳ, ୨୪ ଘଣ୍ଟାରେ ୫୦ ମୃତ

1 min read

ସିମଲା: ଯେବେ ପ୍ରକୃତି ଦାଉ ସାଧେ ସେବେ ତୁଚ୍ଛ ମଣିଷ ବା କଣ କରିପାରିବ । ପ୍ରକୃତିର ତାଣ୍ଡବ ଆଗରେ କେହି ତିଷ୍ଠିବା ଅସମ୍ଭବ । ହିମାଚଳପ୍ରଦେଶରେ ଗତ ୪୮ ଘଣ୍ଟା ଧରି ଲଗାତାର ଭୀଷଣ ବର୍ଷା ଜାରି ରହିଛି । ବର୍ଷା କାରଣରୁ ସାରା ରାଜ୍ୟରେ ଅନେକ ଜନଜୀବନ ନଷ୍ଟ ହୋଇଛି । ରାଜ୍ୟର ଇତିହାସରେ ଏହା ପ୍ରଥମ ଥର ଅଟେ ଯେବେ ୨୪ ଘଣ୍ଟାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସରକାରୀ ତଥ୍ୟ ମୁତାବକ ପୃଥକ ପୃଥକ ଘଟଣାରେ ୧୩ ଜଣ ଏବେ ବି ନିଖୋଜ ଅଛନ୍ତି । ସେହିପରି ପ୍ରବର୍ଳ ବର୍ଷା, ଭୁସ୍ଖନକୁ ଦୃଷ୍ଟିରେ ରଖି ୪ ଧାମ ଯାତ୍ରାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଧୋଇହୋଇ ଯାଇଥିବା ବେଳେ, ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି ।

ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶର ୭୫୨ଟି ରାସ୍ତାରେ ଯାତାୟାତ ବନ୍ଦ ରହିଛି । ସିମଲାରେ ଶିବ ମନ୍ଦିର ଧସି ୯ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ସେପଟେ ଦେବଭୂମି ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁ ଗଙ୍ଗା ଓ ଅଳକାନନ୍ଦା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପି ଯବାନ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଡେରାଡୁନ, ମଣ୍ଡି ଓ ସିମଲାରେ ସାଂଘାତିକ ସ୍ଥିତି । ପଥର ଖଣ୍ଡ ତଳେ ଅଣନିଓ୍ବାସୀ ହିମାଚଳ ପ୍ରଦେଶ। ଫ୍ଲାସ ଫ୍ଲଡରେ ଭାସୁଛି ବସ୍, କାର୍। ବାଦଲଫଟା ବର୍ଷା ସହ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଅସମ୍ଭାଳ ସ୍ଥିତି। ସାରାରାଜ୍ୟରେ ଅଘୋଷିତ ଏମର୍ଜେନ୍ସି ।

ରାଜ୍ୟରେ ବର୍ଷା, ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୦ ଟପିଛି। ୪୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଧୋଇଯାଇଛି କଲକା-ସିମଲା ରେଳ ଟ୍ରାକ । ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଦେବଭୂମିରେ ଜଳ ତାଣ୍ଡବ। ବିପଦସଙ୍କେତ ଉପରେ ଅଳକାନନ୍ଦା, ଗଙ୍ଗା, ମନ୍ଦାକିନି। ଉଛୁଳୁଛି ନଇଁ, ତଳିଆ ଅଞ୍ଚଳ ଜଳମଗ୍ନ। ଅବିଶ୍ରାନ୍ତ ବର୍ଷା ଓ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଆଜି ଓ ଆସନ୍ତାକାଲି ଚାରିଧାମ ଯାତ୍ରା ସ୍ଥଗିତ ରଖାଯାଇଛି। ବଦ୍ରିନାଥ ଧାମ, ହେମକୁଣ୍ଡ ସାହିବ ଯାଉଥିବା ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି।

ଡେରାଡୁନ ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ପ୍ରଭାବିତ ଅଞ୍ଚଳରେ ପୋଲିସ ଓ ଏସଡିଆରଏଫ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି। ପଉରୀ ଜିଲ୍ଲାରେ ଏକ ରିସର୍ଟ ଧସିଯିବାରୁ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଆଗାମୀ ତିନି ଦିନ ପାଇଁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରିକରିଛି । ଜୁନ୍ ୨୪ରୁ ପାହାଡ଼ି ରାଜ୍ୟରେ ବର୍ଷା, ବନ୍ୟା ସ୍ଥିତି ଲାଗି ରହିଛି । ହିମାଚଳ ପ୍ରଦେଶରେ ଏବେସୁଦ୍ଧା ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷୟକ୍ଷତି ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।

ଏହାରି ମଧ୍ୟ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖୁ ରାଜ୍ୟ ସଚିବାଳୟରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଏହି ଜରୁରୀକାଳୀନ ବୈଠକରେ ସ୍ୱାଧୀନତା ଦିବସ ଅବସରରେ ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଦ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି । ସୁଖୱିନ୍ଦର ସିଂହ କହିଛନ୍ତି, ସ୍ୱାଧୀନତା ଦିବସ ଅବସରରେ କେବଳ ପତାକା ଉତ୍ତୋଳନ, ପରେଡ ଏବଂ ମୁଖ୍ୟ ଅତିଥିଙ୍କ ସମ୍ବୋଧନ ହେବ । ପରେଡରେ ଏବେ ଏସଡିଆରଏଫ୍ ଯବାନ ସାମିଲ ହେବେ ନାହିଁ । ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପ୍ରାଥମିକତା ହେଉଛି ରାଜ୍ୟର ଜନତାଙ୍କ ଜୀବନ ବଞ୍ଚାଇବା ।