ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁଙ୍କୁ କୋଟି କୋଟି ପ୍ରଣାମ

ନନ୍ଦିଘୋଷ ବ୍ୟୁରୋ: “ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ”।। ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁଙ୍କୁ କୋଟି କୋଟି ପ୍ରଣାମ ।

ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିହୁଏ । ଯୁଗେ ଯୁଗେ ଗୁରୁ ଶିଷ୍ୟ ସମ୍ପର୍କ ଅତୁଟ ରହିଛି । ପ୍ରତିବର୍ଷ ସେପ୍ଟମ୍ବର ୫ ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଏହି ଦିନକୁ ପାଳନ କରିଥାନ୍ତି । ଗୁରୁଙ୍କୁ ପୂଜା କରିବା ସହ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ। ଏଥିସହ ଛାତ୍ରଛାତ୍ରୀମାନେ ଗୁରୁଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ୧୮୮୮ ମସିହା ଆଜିର ତାରିଖ ଅର୍ଥାତ୍‌ ସେପ୍ଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ଡକ୍ଟର ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିନକୁ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍‌ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ । ହେଲେ ରାଧାକ୍ରିଷ୍ଣନ୍‌ ଏଥିରେ ରାଜି ହୋଇ ନଥିଲେ । ଜନ୍ମଦିନ ପାଳନ ନକରି ବରଂ ଗୁରୁ ଦିବସ’ ରୂପେ ପାଳନ କରାଯାଉ ବୋଲି ମତ ଦେଇଥିଲେ । ସେହିଦିନଠାରୁ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି । କୁହାଯାଏ, ଶିଷ୍ୟର ଚରିତ୍ର ଗଠନ କିମ୍ବା ଭଲ ମଣିଷ ରୂପେ ତାକୁ ଗଢ଼ି ତୋଳିବାରେ ଜଣେ ଗୁରୁର ପ୍ରମୁଖ ଭୂମିକା ରହିଥାଏ ।  ଜଣେ ପ୍ରକୃତ ଗୁରୁ ଶିଷ୍ୟକୁ ଉଚିତ୍ ମାର୍ଗ ଦେଖାଇଥାଏ । ଆଉ ଯେଉଁଥିରେ ଚଲାପଥ ସୁଗମ ହେବା ସହ ପିଲାଟି ଜୀବନରେ ସଫଳତା ପାଇଥାଏ।