spot_img
Home Blog Page 2944

ପୁଣି ଓଡ଼ିଶାର ସଫଳତାକୁ ସ୍ବୀକୃତି, ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍-୨୦୨୩ ପୁରସ୍କାର

ଭୁବନେଶ୍ୱର: ପୁଣି ଓଡ଼ିଶାର ସଫଳତାକୁ ସ୍ବୀକୃତି । ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍-୨୦୨୩ ପୁରସ୍କାର । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି । ଇ-ନାମ୍ ହେଉଛି ଏକ ପାନ୍ ଇଣ୍ଡିଆ ଅନଲାଇନ୍ ପ୍ଲାଟଫର୍ମ । ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ବିକଶିତ ହୋଇଛି । ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମସି ବା ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଯୋଡୁଛି ।

୨୦୧୭ରେ ଇ-ନାମ୍ ପ୍ଲାଟଫର୍ମରେ କେବଳ ୧୦ଟି ଆରଏମସି ଥିବାବେଳେ ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି । ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ଶତପ୍ରତିଶତ ସଫଳତା ହାସଲ କରିଛି । ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନକୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି । ଏହି ଏଫପିଓର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇପାରିବେ ।

ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ମାଧ୍ୟମରେ କାରବାରକୁ ସକ୍ଷମ କରିବାକୁ ସୁବିଧାଗୁଡ଼ିକ ବର୍ତ୍ତମାନ ବିକଶିତ ହୋଇଛି । ଏହି ପ୍ଲାଟଫର୍ମକୁ ପରବର୍ତୀ ପର୍ଯ୍ୟାୟରେ ଆହୁରି ଆଗକୁ ନେବାପାଇଁ ଲକ୍ଷ୍ୟରଖାଯାଇଛି । ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଇଲେକଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର, ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ପଦକ୍ଷେପ ନିଆଯାଉଛି । ପୁରସ୍କାର ପାଇବା ପରେ ଶୁଭେଚ୍ଛା ଜଣାଇଛନ୍ତି ସମବାୟ ମନ୍ତ୍ରୀ ।

ସୋସିଆଲ ମିଡିଆରେ ଲାଇକ୍ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଲୋକେ, ୭୨ ଘଣ୍ଟାରେ ଗଲାଣି ୮ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଲାଇକ ପାଇଁ ବିପଦରେ ଲାଇଫ । ସୋସିଆଲ ମିଡିଆରେ ଫଲୋଅର୍ସ ବଢାଇବାର ସାଂଘାତିକ ପରିଣାମ । ସାରାଦେଶରେ ୭୨ ଘଣ୍ଟାରେ ଗଲାଣି ଆଠ ଜଣଙ୍କ ମୂଲ୍ୟବାନ ଜୀବନ । କେବଳ ଯୁବପୀଢି ନୁହେଁ ବୟସ୍କ ଲୋକମାନେ ମଧ୍ୟ ସୋସିଆଲ ମିଡିଆର କ୍ରେଜରେ ପାଗଳ । ମୁମ୍ବାଇ, କାନପୁର, ଇଟୱା, ଚନ୍ଦ୍ରପୁରରୁ ଗତ ୭୨ ଘଣ୍ଟା ଭିତରେ ଆସିଛି ଏମିତି ଦୁଃଖଦ ଖବର । ମୁମ୍ବାଇରେ ସମୁଦ୍ର କୂଳରେ ବସି ଲହଡିର ମଜା ନେଉଥିଲେ ହଳେ ଦମ୍ପତି । ସୋସିଆଲ ମିଡିଆରେ ଅପଲୋଡ ପାଇଁ ଭିଡିଓ ମଧ୍ୟ ରେକର୍ଡ ହେଉଥିଲା ।

ନିଜ ପିଲାକୁ ଛାଡି ଉଭୟ ବାପାମାଆ ଢେଉ ମାଡିଆସୁଥିବାର ମଜା ଉଠାଉଥିଲେ । କିନ୍ତୁ ଏହି ଖୁସି ବେଶି ସମୟ ରହିନଥିଲା । ହଠାତ ଏକ ଉଚ୍ଚ ଢେଉ ମାଡ ହୋଇଥିଲା । ଆଉ ଭାସିଯାଇଥିଲେ ଦମ୍ପତି । କୌଣସି ପ୍ରକାରେ ସ୍ବାମୀଙ୍କୁ ଉଦ୍ଧାର କରାଯାଇ ପାରିଥିବା ବେଳେ ସ୍ତ୍ରୀ କିନ୍ତୁ ଭାସି ଜୀବନ ହରାଇଥିଲେ । ୟୁପିର ଇଟୱାରେ ଦୁଇ ଜଣ ଟିନ ଏଜରଙ୍କ ରିଲସ କରିବାର ପରିଣତି ବେଶ ଭୟଙ୍କର ହୋଇଛି ।

ସିଙ୍ଗର ନଦୀକୁ ଓହ୍ଲାଇ ଦୁଇ ଜଣ ରିଲସ କରୁଥିବାବେଳେ ହଠାତ ଜଣଙ୍କର ପାଦ ଖସିଯିବାରୁ ସେ ନଦୀରେ ଭାସିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଆର ଜଣଙ୍କ ମଧ୍ୟ ଭାସିଗଲେ । ଏବେ ଜଣଙ୍କର ମୃତଦେହ ମିଳିଥିବାବେଳେ ଆଉ ଜଣେ ନିଖୋଜ ଅଛନ୍ତି । ସେହିପରି କାନପୁରରେ ମଧ୍ୟ ସମାନ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଚନ୍ଦ୍ରପୁରରେ ମଧ୍ୟ ସେଲଫି ପାଇଁ ଯାଇଛି ୪ ଜୀବନ । ବର୍ଷାର ମଜା ଉଠାଇବାକୁ ଯାଇ ପୋଖରୀକୁ ଯାଇଥିଲେ ୪ ଯୁବକ । ଜଣକର ପାଦ ଖସିବାଯିବା ପରେ ତାକୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।

୫ ଦିନ ପରେ ଛାଡିଲା ପାଣି ବଢୁଛି ଦୁର୍ଦ୍ଦଶା, ୪୦ରୁ ଅଧିକ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ବିପନ୍ନ

ନୂଆଦିଲ୍ଲୀ: ପାଞ୍ଚ ଦିନ ପରେ ସୁଧୁରୁଛି ଦିଲ୍ଲୀ ସ୍ଥିତି । ଖସୁଛି ଯମୁନା ଜଳସ୍ତର । ଜଳବନ୍ଦୀ ଇଲାକାରୁ ଛାଡୁଛି ବନ୍ୟାପାଣି । ପାଣି ଛାଡ଼ିବା ପରେ ବି ଦୁଃଖ ସରିନି । ପାଣି ଛାଡ଼ିବା ପରେ ବନ୍ଦ ଥିବା କିଛି ରାସ୍ତାରେ ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି । କାଶ୍ମୀର ଗେଟ ଓ ସିବିଲ ଲାଇନ୍ସରେ ବି ଟ୍ରାଫିକ ଚଳାଚଳ ସ୍ବାଭାବିକ ହୋଇଛି । ପାଣି ଛାଡ଼ିଥିଲେ ବି ରାସ୍ତାରେ କାଦୁଅ ଜମି ରହିଥିବାରୁ ଏବେ ବି କିଛି ରାସ୍ତା ବନ୍ଦ ରଖାଯାଇଛି ।

୪୦ରୁ ଅଧିକ କ୍ୟାମ୍ପରେ ଏବେ ବି ବନ୍ୟା ବିପନ୍ନମାନେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ରିଲିଫ ଯୋଗାଣ ଓ ଅତ୍ୟାବଶ୍ୟକ ଯୋଗାଣ ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବନ୍ୟା ସ୍ଥିତିରେ ସୁଧାର ଆସୁଥିବା ବେଳେ ଆଜି ଦିଲ୍ଲୀରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜି ସକାଳୁ ନୋଏଡା, ଗୁରୁଗ୍ରାମ, ଗାଜିଆବାଦରେ ଝିପିଝିପି ବର୍ଷା ଜାରି ରହିଛି । ଉତ୍ତର ଭାରତର ଅନ୍ୟ କିଛି ରାଜ୍ୟକୁ ଆଜି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତରାଖଣ୍ଡ, ହିମାଚଳ, ହରିଆଣା, ୟୁପିକୁ ଆସନ୍ତା ୫ଦିନ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ହିମାଚଳ କୁଲ୍ଲୁରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି ।

ଗଙ୍ଗାରେ ଲଗାତାର ବନ୍ୟାପାଣି ବୃଦ୍ଧି ଯୋଗୁ ଉତ୍ତରାଖଣ୍ଡର ଦେବପ୍ରୟାଗ ଓ ହରିଦ୍ବାରରେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । ଅଳକାନନ୍ଦା ନଦୀ ଡ୍ୟାମରୁ ଛଡ଼ାଯାଉଥିବା ପାଣି ଉତ୍ତରାଖଣ୍ଡ ସ୍ଥିତିକୁ ଗମ୍ଭୀର କରିଛି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ବଦ୍ରିନାଥ ହାଇଓ୍ବେ ବନ୍ଦ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଫସି ରହିଛନ୍ତି ।

ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ ପୁଅଙ୍କ ଘରେ ଇଡି ରେଡ୍‌

ଚେନ୍ନାଇ: ତାମିଲନାଡୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘରେ ଇଡି ରେଡ୍ । ମନି ଲଣ୍ଡରିଂ ମାମଲାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୋନମୁଡିଙ୍କ ପୁଅ ସାଂସଦ ଗୌତମ ସିଗାମନିଙ୍କ ଘରେ ବି ଚଢ଼ାଉ ଜାରି ଚାଲିଛି ।

ଚେନ୍ନାଇ ଓ ଭିଲ୍ଲୁପୁରମର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଏଜେନ୍ସିର ରେଡ୍ ଚାଲିଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ରେଡ୍ କରାଯାଉଛି ବୋଲି କହିଛି ଡିଏମକେ । ବେଙ୍ଗାଳୁରୁରେ ବିରୋଧୀ ମହାମେଣ୍ଟ ବୈଠକ ବସୁଥିବାରୁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରି ରେଡ୍ ଡ୍ରାମା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ।

ପଠାଣିସାମନ୍ତର ବଢୁଛି ଅଡୁଆ, ଆସନ୍ତାକାଲି ଠୁ ୫ ଦିନିଆ ରିମାଣ୍ଡରେ ହେବ ଜେରା

ଭୁବନେଶ୍ବର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆସନ୍ତାକାଲି ଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ STF । ଗୁଡୁ କୁମାର ଲିଙ୍କରେ ହୋଇପାରେ ଅଧିକ ପଚରାଉଚରା । ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁରେ ପୂର୍ବରୁ ରହିଛି ମାମଲା । ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ NIA ।

ପଠାଣିସାମନ୍ତ ଓ ନିକଟରେ ଗିରଫ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ହୋଇପାରେ ମୁହାଁମୁହିଁ ଜେରା । ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ହେବ ଅଧିକ ପଚରାଉଚରା । ପୂର୍ବରୁ ଏ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି STF । ଅଭିଯୁକ୍ତଙ୍କୁ ଜେରା କରିଛି ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ । ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟେଡେ ସିମ ଜରିଆରେ ଚଳାଇଥିଲେ କାରବାର । ଓଡିଶା STF ଅଭିଯୁକ୍ତଙ୍କୁ ଧରିବା ପରେ ପୁରା ଘଟଣାର ଖୋଲୁଛି ଗୁମର ।

୨୪ ଘଣ୍ଟାରେ ୨୨.୭ ମିମି ବର୍ଷା ରେକର୍ଡ, ଜୁଲାଇ ୧୮ ସୁଦ୍ଧା ହୋଇପାରିନି ଭରଣ

ଭୁବନେଶ୍ବର: ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଥିବା ବେଳେ ଏହାସହ ଜଡିତ ଘୁର୍ଣ୍ଣିବଳୟ ଆଜି ପଶ୍ଚିମ ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି । ପ୍ରଭାବରେ ଆଜି କେତେକ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟରେ ୨୨.୭ ମିମି ବର୍ଷା ରେକର୍ଡ ହୋଇଛି ।

ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୯୨% ଅଧିକ । ଭୀଷଣ ବର୍ଷାରେ ଭରଣା ହେଲା ନିଅଣ୍ଟିଆ ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟାରେ ଅନୁଭୂତ ବର୍ଷାରେ ୩% ନିଅଣ୍ଟିଆ ଭରଣ । ଗତ ୪୮ ଘଣ୍ଟାରେ ଅନୁଭୂତ ବର୍ଷା ପ୍ରଭାବରେ ରାଜ୍ୟରେ ୮% ନିଅଣ୍ଟିଆ ଭରଣ ହୋଇଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମିମି ତୁଳନାରେ ୨୦% କମ୍‌ ।

୧ ଜୁନରୁ ୧୫ ଜୁଲାଇ ୨୦୨୩ ମଧ୍ୟରେ ଅନୁଭୂତ ବର୍ଷା ୨୫୭.୮ ମିମି ରହିଛି । ଯାହା ସ୍ବାଭାବିତ ବର୍ଷା ତୁଳନାରେ ୨୮ ପ୍ରତିଶତ ନିଅଣ୍ଟିଆ । ଗତ ୪୮ ଘଣ୍ଟାରେ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ହାରାହାରି ୫୦ ମିମି ବର୍ଷା ହେତୁ ୮ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଛି । ୧ ଜୁନରୁ ୧୮ ଜୁଲାଇ ୨୦୨୩ ମଧ୍ୟରେ ଅନୁଭୂତ ବର୍ଷା ୩୦୭.୮ ମିମି ଯାହା ୨୦ ପ୍ରତିଶତ ନିଅଣ୍ଟିଆ ।

ଶୁଣିଲାନି ବିଏମସି, ଆଜିଠୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ବର: ଶୁଣିଲାନି ବିଏମସି । ଆଜିଠୁ ବନ୍ଦ ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ଭୁବନେଶ୍ୱରର ସବୁଠୁ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା ।

ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀଙ୍କୁ ବିଏମସି ଉଠାଇ ପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଯୁକ୍ତ ଦୁଇ ପଢି ଦେଉଥିଲେ ଡାକ୍ତର ପରିଚୟ, ପାଞ୍ଚ ମିନିଟ୍‌ ଦେଖିବା ପାଇଁ ନେଇଥିଲେ ୩୦୦ ଟଙ୍କା

ବ୍ରହ୍ମପୁର: ନକଲି ଡାକ୍ତର ଗିରଫ । ଯୁକ୍ତ ଦୁଇ ପଢି ଦେଉଥିଲେ ଡାକ୍ତର ପରିଚୟ । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଗିରଫ ନକଲି ଡାକ୍ତର ହେଲେ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା । ତାଙ୍କ କ୍ଲିନିକ୍ ଓ ବାସଭବନରେ ଯାଞ୍ଚ କରିଛି ପୋଲିସ ।

ଗୋଟିଏ କାର ଜବତ ହୋଇଥିବା ବେଳେ ଆଜି ଶୁଭ୍ରଜିତଙ୍କୁ କୋର୍ଟ ଚାଲାଣ କରାଯିବ । ନିଜକୁ ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ପୂର୍ବରୁ 2020 ମସିହାରେ WHOର ସଦସ୍ୟ କହିବାରୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ଗୋଟିଏ ରୋଗୀକୁ ପାଞ୍ଚ ମିନିଟ୍‌ ଦେଖିବା ପାଇଁ 300 ଟଙ୍କା ଫିସ୍‌ ବି ନେଉଥିଲେ ।

ଦୁଇ ଦିନ ତଳେ ଦିଗପହଣ୍ଡି ଥାନା ଅଧିକାରୀ ଏବଂ ଏକ ଟିମ୍‌ ଏସପିଙ୍କ ନିର୍ଦ୍ଦେଶରେ ନିଜେ ଚିକିତ୍ସା ହେବାକୁ ଯାଇ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା କରି ସତ ଆଦାୟ କରିଛନ୍ତି । ଘଟଣାର ତଦନ୍ତ କୁରଛି ପୋଲିସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଆଖଣ୍ଡଳମଣିଙ୍କ ପୀଠକୁ ଛୁଟୁଛନ୍ତି କାଉଡିଆ, ରବିବାର ଅପରାହ୍ଣରୁ ଚାଲିଛି ଜଳଲାଗି

ଆରଡି: ଆଜି ଶ୍ରାବଣ ଦ୍ବିତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାସ ମନ୍ଦିରରେ ପାଣି ଢାଳୁଛନ୍ତି ଭକ୍ତ ।

ସେହିପରି ଶ୍ରାବଣ ସୋମବାରରେ ଜଳଲାଗି ପାଇଁ ଆରଡି ଆଖଣ୍ଡଳମଣିଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ। ରବିବାର ଅପରାହ୍ଣରୁ ଜଳଲାଗି କରାଯାଉଛି । ରାଜ୍ୟ ଓ ରାଜ୍ୟ ବାହାରୁ କାଉଡିଆ ଭକ୍ତମାନେ ବିଭିନ୍ନ ନଦୀରୁ ପାଣିଭାର ଉଠାଇ ଖାଲି ପାଦରେ ଚାଲିଚାଲି ରବିବାର ପହଁଚିଥିଲେ ବାବାଙ୍କ ପୀଠରେ।

ଦେହରେ ଗେରୁଆ ବସ୍ତ୍ର ଆଉ ତୁଣ୍ଡରେ ଶିବ ନାମ ଆଧ୍ୟ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଏପରିକି ବୋଲବମ ହରହରବୋମ ଧ୍ବନିରେ ପ୍ରକମ୍ପିତ ହେଉଛି ସାରା ପରିବେଶ।

ବିଜେପି ବିରୋଧରେ ବେଙ୍ଗାଲୁରୁରେ ରଣନୀତି କରିବେ ଅଣଏନଡିଏ ଦଳ, ଭାଗ ନେବେ ୨୪ ଦଳ

ବେଙ୍ଗାଲୁରୁ: ଆଜିଠୁ ବେଙ୍ଗାଳୁରୁରେ ବିରୋଧୀ ଦଳଙ୍କ ଦୁଇଦିନିଆ ମହାମେଳି । ଆଜି ଓ ଆସନ୍ତାକାଲି ବିଜେପି ବିରୋଧରେ ରଣନୀତି କରିବେ ଅଣଏନଡିଏ ଦଳ । ବିରୋଧୀ ଦଳଙ୍କ ପ୍ରଥମ ବୈଠକ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାଗ ନେଇଥିଲେ ୧୫ଟି ଦଳର ନେତା । ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବା ବୈଠକକୁ କଂଗ୍ରେସ ଆୟୋଜନ କରୁଛି ।

ଏଥିରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଯୋଗଦେବାର ସୂଚନା ରହିଛି । ସୋନିଆଙ୍କ ତରଫରୁ ଏକ ରାତ୍ରଭୋଜନର ଆୟୋଜନ କରାଯାଉଛି । ବୈଠକକୁ ୨୪ଟି ବିରୋଧୀ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି । ପୂର୍ବ ବୈଠକରେ ଯୋଗ ଦେଇନଥିବା ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି, ଫରୱାର୍ଡ ବ୍ଲକ୍‌, ଆଇୟୁଏମଏଲ ଭଳି ଦଳ ସାମିଲ ହୋଇପାରନ୍ତି । ବୈଠକରେ ଆପ ମଧ୍ୟ ଯୋଗଦେବ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ କଂଗ୍ରେସର ସମର୍ଥନ ପରେ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ଆପ । ୨୦୨୪ ନିର୍ବାଚନରେ ବିଜେପିକୁ କିପରି ମାତ ଦିଆଯିବ ସେନେଇ ବୈଠକରେ ମାନସମନ୍ଥନ କରିବେ ବିରୋଧୀ ଦଳ । ଦେଶବ୍ୟାପୀ ମେଣ୍ଟ ପ୍ରାର୍ଥୀଙ୍କୁ ଛିଡ଼ା କରାଯିବା ନେଇ ଆଲୋଚନା କରାଯାଇପାରେ । ବିଜେପିକୁ ହଟାଇବାକୁ ହେଲେ ପରସ୍ପର ମଧ୍ୟରେ ରହିଥିବା ମତଭେଦକୁ ଦୂରେଇ ସବୁ ବିରୋଧୀ ଦଳ ଏକାଠି ହେବାକୁ ପଡ଼ିବ ବୋଲି କଂଗ୍ରେସ କହିଛି ।