୪ ଘଣ୍ଟା ପରେ ଆୟତ୍ତ ହେଲା କଟକ ଚୌଧୁରୀ ବଜାର ନିଆଁ 

କଟକ: ୪ ଘଣ୍ଟା ପରେ ଆୟତ୍ତ ହେଲା କଟକ ଚୌଧୁରୀ ବଜାର ନିଆଁ । ୬ଟି ଅଗ୍ନିଶମ ଟିମର ୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁ ଆୟତ୍ତକୁ ଆସିଛି । ନିଆଁ ଆୟତ୍ତକୁ ଆସିବା ପରେ ବିଲ୍ଡିଂ ଭିତରକୁ ଯାଇ ଅନୁଧ୍ୟାନ କରୁଛନ୍ତି ଅଗ୍ନିଶମ ଅଧିକାରୀ । ଭିତରେ ଆଉ କେଉଁଠି ନିଆଁ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଉଛି । ସିସିଟିଭି ମେମୋରୀ ମେସିନ ଜବତ କରି ତଦନ୍ତ କରାଯାଉଛି । ସକାଳେ ଚୌଧୁରୀ ବଜାର ପଢିଆରୀ ପାଠାଗାର ସମ୍ମୁଖରେ ଥିବା ତିନିମହଲା ବିଶିଷ୍ଟ ଲୁଗା ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା । ଦୋକାନ ଭିତରୁ ବାହାରିଥିଲା ଭୁସଭୁସ ଧୂଆଁ । ତଳ ମହଲାରେ ପ୍ରଥମେ ନିଆଁ ଲାଗିଥିବାବେଳେ ପରେ ଏହା ଉପର ଦୁଇ ମହଲାକୁ ବ୍ୟାପିଥିଲା ।

ପ୍ରବଳ ଧୂଆଁ ବାହାରୁଥିବାରୁ ଉପର ମହଲାକୁ ଯିବା ସମ୍ଭବ ହଓଇନଥିଲା । କୋଠାର କାଚ ଭାଙ୍ଗି ଭିତରକୁ ପଶି ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲା । ଏହା ସହିତ ସ୍କାଏ ଲିପ୍ଟର ସହାୟତା ନିଆଯାଇଥିଲା । ହୋଲସେଲ ଦୋକାନ ହୋଇଥିବାରୁ ବହୁ ପରିମାଣରେ ଲୁଗା ମହଜୁଦ ରହିଥିଲା । ଲୁଗାରେ ନିଆଁ ଲାଗିଥିବାରୁ ସ୍ଥିତି ଭୟାବହ ହୋଇଥିଲା । ଏହା ସହିତ ପ୍ଲାଏ ରହିଥିବାରୁ ନିଆଁ ସହଜରେ ଲିଭିବା ସମ୍ଭବ ହୋଇନତିଲା । ତେବେ ଆଖପାଖ କୋଠାକୁ ଯେପରି ନିଆଁ ନବ୍ୟାପିବ ସେଥିପ୍ରତି ଅଗ୍ନିଶମ ବାହିନୀ ସତର୍କ ରହିଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଦୋକାନ ଭିତରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ିଯାଇଛି  ।