spot_img
Home Blog Page 2920

ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୧୫ ଫୁଟ ତଳକୁ ଖସିଲା କାର୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗି ବାଇପାସ୍ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତାକଡ ୧୫ଫୁଟ ଖାଲକୁ ଗଳିପଡ଼ିଲା କାର । ଅଳ୍ପକେ ବଞ୍ଚିଗଲା ୬ ଜୀବନ । ଆସିକା ଖଲିକୋଟ ଅଂଚଳର ବ୍ୟବସାୟୀ ଅଶ୍ୱନୀ କୁମାର ବିଶୋଇ ସପରିବାର ପୁରୀରୁ ଜାଗା ଦର୍ଶନ ସାରି ଫେରୁଥିଲେ ଆସିକା। କାରରେ ମୋଟ ୬ ଜଣ ଯାତ୍ରୀ ଥିଲେ ।

୩ ମହିଳା, ୨ପୁରୁଷ ଓ ଜଣେ ଶିଶୁ । ୩ଜଣ ଗୁରୁତର ଥିବା ବେଳେ ୩ ଆହତ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଗୁରୁତର ମାନେ ହେଲେ ନମିତା ପ୍ରଧାନ, ଅର୍ଚିତା ବିଶୋଇ, ସୁଦିପ୍ତ ନାରାୟଣ  ବିଶୋଇ ବୋଲି ଜଣାପଡିଛି । ଗୁରୁତର ମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଅଜଣା ଗାଡି ଧକ୍କାରେ ୨ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ପାରାଦୀପ: ପାରାଦୀପ-ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ନନ୍ପୁର ଛକରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଜୟଚନ୍ଦ୍ରପୁରର ରଜନୀକାନ୍ତ ନାଉରି ଓ ଭଣଜା ଜିତୁ ସ୍ୱାଇଁ ।

ଭୂତମୁଣ୍ଡାଇରୁ ଜୟଚନ୍ଦ୍ରପୁରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଉଭୟଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ମାର୍ଶାଘାଇ ଥାନାଧିକାରୀ ଏବଂ ମହାକାଳପଡା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଲାଲବାହିନୀର ଲଙ୍କାକାଣ୍ଡ, ଜାଳିଲେ ୯ ମେସିନ

ରାୟଗଡ଼ା: ରାୟଗଡାରେ ଲାଲବାହିନୀର ଲଙ୍କାକାଣ୍ଡ । ମୁନିଗୁଡା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଲାଲତାଣ୍ଡବ ରଚିଛନ୍ତି ଲାଲବାହିନୀ । କ୍ରସରରେ ଥିବା ଦୁଇଟି ପ୍ରୋକଲିନ, ୫ଟି ହାଇଓ୍ବା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ମାଓବାଦୀ ।

ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଆସି ଏଭଳି କାଣ୍ଡ ଘଟାଇଛନ୍ତି । କ୍ରସର କର୍ମଚାରୀଙ୍କ ଠାରୁ ମୋବାଇଲ୍ ଛଡାଇ ନେଇଯାଇଛନ୍ତି ମାଓବାଦୀ । ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲାଗିଥିବା ଜଣାପଡିଛି । ପୋଷ୍ଟରରେ ୫ଟି ଦାବି ରଖିଥିଲେ ମାଓବାଦୀ । ଦାବି ମଧ୍ୟରେ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା, କ୍ରସର ଲାଗ ବାୟୁ ପ୍ରଦୂଷଣ, କ୍ରସରରୁ ବହୁ ମାତ୍ରାରେ ଶବ୍ଦ ବାହାରିବା ଭଳି ଦାବି ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ମୁନିଗୁଡା ପୋଲିସ୍ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଫାଟିଲା ବସ୍ ଚକା, ନିଆଁ ଲାଗି ଜୀଅନ୍ତା ଜଳିଗଲେ ୨୫ ଯାତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ବୁଲଧାନାରେ ଅଭାବନୀୟ ଘଟଣା । ଚକା ଫାଟି ଓଲଟିଗଲା ଯାତ୍ରୀବାହୀ ବସ୍ । ବସ୍‌ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସ୍‌ରେ ହଠାତ ଲାଗିଥିଲା ନିଆଁ । ବସ୍‌ଟି ୩୩ ଜଣ ଯାତ୍ରୀଙ୍କୁ ନେଇ  ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା ।

ବସର ଡ୍ରାଇଭର ସୁରକ୍ଷିତ ଥିବାବେଳେ ,ହଠାତ୍ ବସର୍ ଟାୟାର ଫାଟିଯିବାରୁ ବସଟି ଓଲଟିଯାଇ ନିଆଁ ଲାଗିଯାଇଥିବା  ସେ କହିଛନ୍ତି । ଦୁର୍ଘଟଣାରେ ୮ ଯାତ୍ରୀ ଗରୁତର ଆହତ ହୋଇଛନ୍ତି ।ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଏକ୍ସପ୍ରେସଓ୍ବେରେ ଯିବାଆସିବା ବାଧାପ୍ରାପ୍ତ ହୋଇଥିଲା।

ଆଜିଠୁ ଆରମ୍ଭ ଅମରନାଥ ଦର୍ଶନ: ଦିବ୍ୟ ଦର୍ଶନ ଦେବେ ମହାଦେବ

ଜାମ୍ମୁ କାଶ୍ମୀର: ଆଜିଠୁ ଆରମ୍ଭ ହେବ ଅମରନାଥ ଦର୍ଶନ । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବ ଦେବ ମହାଦେବ । ବରଫ ଲିଙ୍ଗ ଦର୍ଶନ ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ବୋଲ ବମ୍, ହର ହର ବମ୍ ନାରା ଦେଇ ଅମରନାଥ ପୀଠକୁ ଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଜାମ୍ମୁରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ସାରା ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଡ୍ରୋନ, ଡଗ୍ ଓ ବମ୍ ସ୍କ୍ବାଡ ଯୋଗେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସୁଗମ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସେନା ଓ ଜିଲ୍ଲା ପ୍ରଶାସନର କ୍ୟାମ୍ପ କରାଯାଇଛି । ଅମରନାଥ ଯାତ୍ରୀଙ୍କ ପାଇଁ ତତ୍କାଳ ରେଜିଷ୍ଟ୍ରେସନ ବ୍ୟବସ୍ଥା କରିଛି ପ୍ରଶାସନ । ବୈଷ୍ଣବୀ ଧାମ, ମହାଜନ ସଭା, ପଞ୍ଚାୟତ ଘର, ଗୀତା ଭବନ ଓ ରାମ ମନ୍ଦିରରେ ସାଧୁସନ୍ଥଙ୍କ  ତତ୍କାଳ ରେଜିଷ୍ଟ୍ରେସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରୀଙ୍କୁ ରାସ୍ତାରେ ଖାଦ୍ୟ, ପାନୀୟ, ଶୀତବସ୍ତ୍ର ଆଦି ସାହାଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଜୁଲାଇ ୧ରୁ ଅଗଷ୍ଟ ୩୧ଯାଏଁ ଚାଲିବ ଅମରନାଥ ଯାତ୍ରା ।

ଆଜି ରସଗୋଲା ଦିବସ, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ: ଆଜି ରସଗୋଲା ଦିବସ । ମିଠା ଭିତରେ ରସଗୁଲା ସମସ୍ତଙ୍କର ପ୍ରିୟ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ନୀଳାଦ୍ରିବିଜେ ଦିନ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ନୀଳାଦ୍ରିବିଜେ ଦିନ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଆସିଛି । ଏହାସହ ପ୍ରତିବର୍ଷ ଚତୁର୍ଦ୍ଧାମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ରସଗୋଲାକୁ ନେଇ ଆଜି ରାଜଧାନୀରେ ମଧ୍ୟ ବ୍ୟପକ ଆୟୋଜନ କରାଯାଉଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣା: ବଦଳିଲେ ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର

ବାହାନଗା ଟ୍ରେନ୍ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି ।

ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍‌ କରି ତଦନ୍ତ କରିଥିଲା ସିବିଆଇ । ସିବିଆଇର ପାଞ୍ଚ ଜଣିଆ ଟିମ୍ ତଦନ୍ତ କରୁଥିଲେ । ସିଗନାଲ ଜେଇଙ୍କ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।

ଗତ ଜୁନ୍ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ । ସିବିଆଇ ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାର ତଦନ୍ତ କରୁଛି ।

ଆଜି ନୀଳକନ୍ଦରକୁ ବାହୁଡି ଯିବେ ନୀଳାଦ୍ରିନାଥ

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ନୀଳକନ୍ଦରକୁ ବାହୁଡି ଯିବେ ନୀଳାଦ୍ରିନାଥ । ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି । ଦ୍ବିପ୍ରହର ଧୂପ ନୀତି ପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ମହାପ୍ରଭୁ । ଆଜି ତ୍ରୟୋଦଶୀ ଅବସରରେ ମାଆ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଉଦ୍ଦେଶ୍ୟରେ ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି ।

ଗତକାଲି  ମହାପ୍ରଭୁଙ୍କ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା । ତିନି ରଥରେ ଅଧର ଚୁମ୍ବିତ ହାଣ୍ଡିରେ କ୍ଷୀର, ଛେନା, ଛାଚି, ଯାଇଫଳ ଆଦି ବିଭିନ୍ନ ଦ୍ରବ୍ୟ ପକାଯାଇ ପଣା ପ୍ରସ୍ତୁତ କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ବାରା ଷୋଡଶ ଉପଚାର ବିଧିରେ ପୂଜା କରାଯାଇଥିଲା । ପୂଜା ସମ୍ପର୍ଣ୍ଣ ପରେ ଅଧର ହାଣ୍ଡିକୁ ରଥ ଉପରେ ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥୀ, ଶରୀରୀ, ଅସରୀରିଙ୍କ ଉଦ୍ଦେଶ୍ୟରେ ଭଙ୍ଗାଯାଇଥିଲା । ମହାପ୍ରଭୁଙ୍କ ଅଧରପଣାର ଦିବ୍ୟଲୀଳା ଦେଖିବା ପାଇଁ ସିଂହଦ୍ବାର ସମ୍ମୁଖରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।

ସମ୍ପନ୍ନ ହେଲା ଅଧରପଣା ନୀତି, ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମୁଣ୍ଡାଙ୍କୁ ଅର୍ପଣ କରାଗଲା ଅଧରାମୃତ

ପୁରୀ: ସମ୍ପନ୍ନ ହେଲା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ଅଧରପଣା ନୀତି । ସକାଳୁ ଦୈନଦିନ ନୀତିକାନ୍ତି ଶେଷ ହେବା ପରେ ଦିନ ଦୁଇଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ସମ୍ପନ୍ନ ହୋଇଥିଲା । ପରେ ସନ୍ଧ୍ୟା ସମୟରେ ତିନି ରଥକୁ ଛାଉଣୀ ମଠ ସମ୍ମୁଖ କୂଅରୁ ପାଣି ବିଜେ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଅଧର ପଣା ସୁଆର ସେବକମାନେ ପ୍ରସ୍ତୁତ କରିଥିଲେ । ତିନି ରଥରେ ଅଧର ଚୁମ୍ବିତ ହାଣ୍ଡିରେ କ୍ଷୀର, ଛେନା, ଛାଚି, ଯାଇଫଳ ଆଦି ବିଭିନ୍ନ ଦ୍ରବ୍ୟ ପକାଯାଇ ପଣା ପ୍ରସ୍ତୁତ କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ବାରା ଷୋଡଶ ଉପଚାର ବିଧିରେ ପୂଜା କରାଯାଇଥିଲା ।

ପୂଜା ସମ୍ପର୍ଣ୍ଣ ପରେ ଏହି ଅଧର ହାଣ୍ଡିକୁ ରଥ ଉପରେ ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥୀ, ଶରୀରୀ, ଅସରୀରିଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯାଇଛି । ମହାପ୍ରଭୁଙ୍କ ଏହି ଅଧରପଣାର ଦିବ୍ୟଲୀଳା ଦେଖିବା ପାଇଁ ସିଂହଦ୍ବାର ସମ୍ମୁଖରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ପ୍ରଭୁଙ୍କ ଏହି ନୀତିକୁ ଦର୍ଶନ କରି କୃପା ଲାଭ କରିଛନ୍ତି ଭକ୍ତ ।

’ଓଡ଼ିଶାକୁ ଦିଅ ପାରମ୍ପରିକ ୟୁରିଆ ସାର’

ଭୁବନେଶ୍ୱର: ରାଜ୍ୟକୁ ଆବଶ୍ୟକ ପରିମାଣର ପାରମ୍ପରିକ ୟୁରିଆ ସାର ଯୋଗାଇ ଦେବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । କୋଟା ଅନୁସାରେ ୟୁରିଆ ସାର ଯୋଗାଇ ଦେବାକୁ କେନ୍ଦ୍ର ପାଖରେ ଦାବି ଦୋହରାଇଛି ଓଡ଼ିଶା । ନାନୋ ୟୁରିଆ ଟେକ୍ନୋଲୋଜି ବ୍ୟବହାର ନେଇ କେନ୍ଦ୍ର କୃଷିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷିମନ୍ତ୍ରୀ ଏହି ଦାବି କରିଛନ୍ତି । ଚଳିତ ବର୍ଷ ଓଡ଼ିଶାକୁ ୪ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ସାର କେନ୍ଦ୍ର ଦେବା ପରିବର୍ତ୍ତେ ମାତ୍ର ୨୨ ହଜାର ୫୦୦ ମେଟ୍ରିକ ଟନ୍‌ ଦେଇଛି । ଯାହା ଓଡ଼ିଶା ଚାଷୀଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ । କେନ୍ଦ୍ର ନୂଆ ନିୟମ ଲାଗୁ କଲେ ଓଡ଼ିଶାରେ ଚାଷ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ନୂଆ ଜ୍ଞାନକୌଶଳରେ ରାଜ୍ୟର ଚାଷୀମାନେ ନାନୋ ୟୁରିଆ ବ୍ୟବହାର କରିବା ସମୟ ସାପେକ୍ଷ ବୋଲି କେନ୍ଦ୍ରକୁ ଅବଗତ କରାଯାଇଛି । ରାଜ୍ୟର ଚାଷୀମାନଙ୍କୁ ନାନୋ ୟୁରିଆ ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯିବ । ଚାଷୀମାନେ ଦକ୍ଷ ହେବା ପରେ ନାନୋ ୟୁରିଆ ବ୍ୟବହାର କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି  । ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ପାରମ୍ପରିକ ୟୁରିଆ ସାର ଯୋଗାଇ ଦେବାକୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ବାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି  ।

ଓଡ଼ିଶାରେ ରାସାୟନିକ ସାର କମ୍‌ ବ୍ୟବହାର ହେଉଥିବାରୁ କେନ୍ଦ୍ର ସରକାର ସେହି ଅନୁସାରେ ଓଡ଼ିଶାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏନେଇ ଖୁବଶୀଘ୍ର କେନ୍ଦ୍ରକୁ ଚିଠି ଲେଖିବେ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । କୃଷିକ୍ଷେତ୍ରରେ ଅଧିକ ନାନୋ ୟୁରିଆ ବ୍ୟବହାର ପାଇଁ କେନ୍ଦ୍ର ପ୍ରସ୍ତାବ ରଖିଛି l କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଓଡ଼ିଶାର ଚାଷୀମାନେ ଏହି ଟେକ୍ନୋଲୋଜି ସମ୍ବନ୍ଧରେ ସମ୍ପୂର୍ଣ୍ଣ ରୂପେ ଅବଗତ ନୁହନ୍ତି । ତେଣୁ ଏହାର ବ୍ୟବହାର ଧୀରେ ଧୀରେ ଆଗକୁ ବଢ଼ାଯିବ । ନାନୋ ୟୁରିଆକୁ କିଭଳି ଭାବେ ଡ୍ରୋନ ମାଧ୍ୟମରେ ସିଞ୍ଚନ କରାଯିବ, ସେ ଦିଗରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ପ୍ରସ୍ତାବ ରଖିଛି l