ସମ୍ପନ୍ନ ହେଲା ଅଧରପଣା ନୀତି, ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମୁଣ୍ଡାଙ୍କୁ ଅର୍ପଣ କରାଗଲା ଅଧରାମୃତ

ପୁରୀ: ସମ୍ପନ୍ନ ହେଲା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ଅଧରପଣା ନୀତି । ସକାଳୁ ଦୈନଦିନ ନୀତିକାନ୍ତି ଶେଷ ହେବା ପରେ ଦିନ ଦୁଇଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ସମ୍ପନ୍ନ ହୋଇଥିଲା । ପରେ ସନ୍ଧ୍ୟା ସମୟରେ ତିନି ରଥକୁ ଛାଉଣୀ ମଠ ସମ୍ମୁଖ କୂଅରୁ ପାଣି ବିଜେ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଅଧର ପଣା ସୁଆର ସେବକମାନେ ପ୍ରସ୍ତୁତ କରିଥିଲେ । ତିନି ରଥରେ ଅଧର ଚୁମ୍ବିତ ହାଣ୍ଡିରେ କ୍ଷୀର, ଛେନା, ଛାଚି, ଯାଇଫଳ ଆଦି ବିଭିନ୍ନ ଦ୍ରବ୍ୟ ପକାଯାଇ ପଣା ପ୍ରସ୍ତୁତ କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ବାରା ଷୋଡଶ ଉପଚାର ବିଧିରେ ପୂଜା କରାଯାଇଥିଲା ।

ପୂଜା ସମ୍ପର୍ଣ୍ଣ ପରେ ଏହି ଅଧର ହାଣ୍ଡିକୁ ରଥ ଉପରେ ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥୀ, ଶରୀରୀ, ଅସରୀରିଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯାଇଛି । ମହାପ୍ରଭୁଙ୍କ ଏହି ଅଧରପଣାର ଦିବ୍ୟଲୀଳା ଦେଖିବା ପାଇଁ ସିଂହଦ୍ବାର ସମ୍ମୁଖରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ପ୍ରଭୁଙ୍କ ଏହି ନୀତିକୁ ଦର୍ଶନ କରି କୃପା ଲାଭ କରିଛନ୍ତି ଭକ୍ତ ।