ଆଜି ନୀଳକନ୍ଦରକୁ ବାହୁଡି ଯିବେ ନୀଳାଦ୍ରିନାଥ

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ନୀଳକନ୍ଦରକୁ ବାହୁଡି ଯିବେ ନୀଳାଦ୍ରିନାଥ । ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି । ଦ୍ବିପ୍ରହର ଧୂପ ନୀତି ପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ମହାପ୍ରଭୁ । ଆଜି ତ୍ରୟୋଦଶୀ ଅବସରରେ ମାଆ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଉଦ୍ଦେଶ୍ୟରେ ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି ।

ଗତକାଲି  ମହାପ୍ରଭୁଙ୍କ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା । ତିନି ରଥରେ ଅଧର ଚୁମ୍ବିତ ହାଣ୍ଡିରେ କ୍ଷୀର, ଛେନା, ଛାଚି, ଯାଇଫଳ ଆଦି ବିଭିନ୍ନ ଦ୍ରବ୍ୟ ପକାଯାଇ ପଣା ପ୍ରସ୍ତୁତ କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ବାରା ଷୋଡଶ ଉପଚାର ବିଧିରେ ପୂଜା କରାଯାଇଥିଲା । ପୂଜା ସମ୍ପର୍ଣ୍ଣ ପରେ ଅଧର ହାଣ୍ଡିକୁ ରଥ ଉପରେ ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥୀ, ଶରୀରୀ, ଅସରୀରିଙ୍କ ଉଦ୍ଦେଶ୍ୟରେ ଭଙ୍ଗାଯାଇଥିଲା । ମହାପ୍ରଭୁଙ୍କ ଅଧରପଣାର ଦିବ୍ୟଲୀଳା ଦେଖିବା ପାଇଁ ସିଂହଦ୍ବାର ସମ୍ମୁଖରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।