spot_img
Home Blog Page 2909

ମହାରାଷ୍ଟ୍ର ରାଜନୀତି ନେବ ରୋଚକ ମୋଡ଼, ଆଜି ୪୦ ବିଧାୟକ ସମର୍ଥନ ସାବ୍ୟସ୍ତ କରିବେ ଅଜିତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ନେବାକୁ ଯାଉଛି ରୋଚକ ମୋଡ଼ । ଏନଡିଏରେ ଏନସିପି ନେତା ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ସାମିଲ ହେବା ପରେ ଆଜି ତାଙ୍କ ସମର୍ଥକ ବିଧାୟକ ଓ ସାଂସଦଙ୍କୁ ନେଇ ବୈଠକ କରିବେ । ଏଥିସହ ସେ ଦାବି କରୁଥିବା ୪୦ ବିଧାୟକଙ୍କ ସମର୍ଥନକୁ ସାବ୍ୟସ୍ତ କରିବେ । ସେପଟେ ଶରଦ ପାଓ୍ବାର ମଧ୍ୟ ଆଜି ଏକ ବୈଠକ କରିବେ । ସେ ମଧ୍ୟ ବିଧାୟକ ଓ ସାଂସଦମାନଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କହିଛନ୍ତି । ଅଜିତ ପାଓ୍ବାର ନିଜ ସମର୍ଥକଙ୍କୁ ନେଇ ଖେଳୁଥିବା ନମ୍ବର ଗେମକୁ ମିଛ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ଶରଦ ପାଓ୍ବାର ।

ସେପଟେ ଶରଦ ପାଓ୍ବାର ଯଦି ଆଜି ପରୀକ୍ଷାରେ ଫେଲ ହେଉଛନ୍ତି ତାହେଲେ ଆଗକୁ ତାଙ୍କର କଣ ଭୂମିକା ରହିବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଶରଦ ପାଓ୍ବାରଙ୍କ ଏନସିପି କଂଗ୍ରେସ ସହ ବିଲିନ ହୋଇପାରେ ବୋଲି ମହାରାଷ୍ଟ୍ର ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । କାରଣ ଅଜିତ ପାଓ୍ବାର ଏନଡିଏକୁ ସମର୍ଥନ କରିବା ସହ ନିଜ କାର୍ଯ୍ୟାଳୟ ମଧ୍ୟ ବଦଳାଇଛନ୍ତି । ଏବଂ ଦଳ ପାଇଁ ନୂଆ କାର୍ଯ୍ୟାଳୟ ଗତକାଲି ଉଦଘାଟନ କରିଛନ୍ତି । ଏଭଳି କ୍ଷେତ୍ରରେ ସେ ଆଉ ଶରଦ ପାଓ୍ବାରଙ୍କ ଗୋଷ୍ଠୀଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ ହୋଇଛି ।

ରୋଷେଇ ଘରୁ କଞ୍ଚାଲଙ୍କା-ଅଦା ଗାଏବ, ବଜାରରେ କେଜିପ୍ରତି ଅଦା ୩୦୦ ଓ କଞ୍ଚାଲଙ୍କା ୪୦୦ ଟଙ୍କା

ଭୁବନେଶ୍ୱର: ଖାଲି ଟମାଟୋ, ବାଇଗଣ କି କାକୁଡ଼ି ନୁହେଁ ପକେଟକୁ ବାଧୁଛି କଞ୍ଚାଲଙ୍କା ଆଉ ଅଦା ଦର । ରୋଷେଇ ଘରୁ ଉଭାନ ହୋଇଗଲାଣି ଲଙ୍କା । ଜଳଖିଆ ଦୋକାନରେ ବି କଞ୍ଚା ଲଙ୍କା ଦେଖିବା ସ୍ବପ୍ନ । ରାଜ୍ୟରେ ରେକର୍ଡ ଛୁଇଁଛି କଞ୍ଚାଲଙ୍କା ଦର । ବଜାରରେ କଞ୍ଚାଲଙ୍କା କେଜି ପିଛା ଦର ରହିଛି ୪୦୦ ଟଙ୍କା । ବର୍ଷାଦିନ ସମୟରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ବିପୁଳ ପରିମାଣର କଞ୍ଚାଲଙ୍କା ଓଡ଼ିଶା ବଜାରକୁ ଆସିଥାଏ  । ମାତ୍ର ଚଳିତବର୍ଷ କମ୍ ଚାଷ ଯୋଗୁ ଉତ୍ପାଦନ ହ୍ରାସ ପାଇଛି । ଫଳରେ ଲଙ୍କାଦର ସର୍ବୋଚ୍ଚ ସ୍ତରକୁ ଛୁଇଁଛି  । ଆବଶ୍ୟକ ପରିମାଣର ଲଙ୍କା ଆସୁନଥିବାରୁ ଦାମ ଉଚ୍ଚା ରହୁଛି ।

ସେପଟେ ଅଦାଦର ବି ଆକାଶ ଛୁଆଁ । ଅଦା କେଜି ରହିଛି ୩୦୦ ଟଙ୍କା । ସବୁ ସମୟରେ ଅଦାକେଜି ପ୍ରାୟ ୧୦୦ ଟଙ୍କା ରହିଥାଏ । କେତେକ ସମୟରେ ଏହା ସର୍ବାଧିକ ୧୫୦ ଟଙ୍କା ହୋଇଥାଏ । ହେଲେ ଏବେ ଦର ୩୦୦ ଟଙ୍କାକୁ ଉଠିବା ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଅନ୍ୟାନ୍ୟ ପରିବାର ଦର ବି ଲୋକଙ୍କୁ କଲବଲ କରୁଛି  ।

SAFF Championship 2023: ପେନାଲ୍ଟି ସୁଟଆଉଟରେ କୁୱେତକୁ ହରାଇ ଭାରତ ଚମ୍ପିଆନ

ବେଙ୍ଗାଲୁରୁ: ୯ମ ଥର ପାଇଁ ସାଉଥ୍ ଏସିଆନ ଫୁଟବଲ୍ ଫେଡେରେସନ୍ (SAFF) ଚାମ୍ପିଅନସିପ୍ ଟାଇଟଲ ଜିତିଲା ଭାରତ । କୁୱେତକୁ ପେନାଲ୍ଟି ସୁଟଆଉଟରେ ହରାଇ ୯ମ ଥର ପାଇଁ ଟାଇଟଲ୍ ଜିତିଛି ଭାରତୀୟ ଫୁଟବଲ୍ ଟିମ୍ । ବେଙ୍ଗାଲୁରୁରେ ଭାରତ ଏବଂ କୁୱେତ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯାଉଥିଲା ।  ଉଭୟ ଟିମ୍ ମଧ୍ୟରେ ଏହି ମୁକାବିଲାରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ହାଫ୍ ଟାଇମ ସୁଦ୍ଧା ମୁକାବିଲା ୧-୧ରେ ବରାବର ସ୍ଥିତିରେ ରହିଥିଲା । ଏହାପରେ ମ୍ୟାଚର ରେଜଲ୍ଟ ପେନାଲ୍ଟି ସୁଟ୍ ଆଉଟ ଦ୍ୱାରା ହୋଇଥିଲା ।

ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏହି ଟାଇଟଲକୁ ନିଜ ନାଁରେ କରିଛି ।  ପେନାଲ୍ଟି ସୁଟ ଆଉଟରରେ ଭାରତ ୫-୪ ରେ ବିଜୟ ହାସଲ କରିଛି । କୁୱେତ ପକ୍ଷରୁ ଶବିବ ଅଲ ଖଲିଦି ୧୪ତମ ମିନିଟରେ ଗୋଲ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଲାଲିୟାନଜୁଆଲା ଛାଙ୍ଗଟେ ୩୮ତମ ମିନିଟରେ କରିଥିଲେ । ଦ୍ୱିତୀୟ ହାଫରେ ଉଭୟ ଟିମ୍ ଗୋଲ୍ କରିବାରେ ବିଫଳ ହୋଇଥିଲେ ।  ଏହାପରେ ୧୫ ମିନିଟ୍ ଲେଖାଏଁ ଅତିରିକ୍ତ ସମୟ ଦିଆଯାଇଥିଲା, ହେଲେ କୌଣସି ବି ଦଳ ଗୋଲ୍ କରିବାରେ ସଫଳ ହୋଇନଥିଲେ ।

ଉଭୟ ଦଳର ଗୋଲ୍ ୧-୧ ବରାବର ରହିବାରୁ ଏହାପରେ ପେନାଲ୍ଟି ସୁଟଆଉଟ ଜରିଆରେ ବିଜେତା ଘୋଷଣା କରାଯାଇଥିଲା ।  ପେନାଲ୍ଟି ସୁଟଆଉଟର ୫ଟି ରାଉଣ୍ଡ ପରେ ମଧ୍ୟ ସ୍କୋର ୪-୪ ଥିଲା ଯାହା ପରେ ସଡନ ଡେଥରେ ଫୈସଲା ହୋଇଥିଲା । ଭାରତ ପକ୍ଷରୁ ମହେଶ ନୋରେମ ସ୍କୋର କରିଥିଲେ ଏବଂ ଭାରତର ଗୋଲ୍ ଗିପର ଗୁରପ୍ରୀତ ସନ୍ଧୁ ଡାଇଭ ଲଗାଇ କୁୱେତର ହାଜିୟାଙ୍କ ଶଟକୁ ଅଟକାଇ ଦଳକୁ ବିଜୟୀ କରାଇଥିଲେ । ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଭାରତ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫, ୨୦୨୧ରେ ସାଫ୍ ଚାମ୍ପିଅନସିପରେ ବିଜେତା ହୋଇସାରିଛି ।

ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ପୂର୍ବତନ କ୍ରିକେଟର ଅଜିତ ଅଗରକର ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି ପୂର୍ବତନ ବୋଲର ଅଜିତ ଅଗରକର । ଏନେଇ ବିସିସିଆଇ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ୪୫ ବର୍ଷିୟ ଅଗରକର ଚେତନ ଶର୍ମାଙ୍କ ସ୍ଥାନ ନେଇଛନ୍ତି । ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ ଦନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହାବାଦ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ ୬୨ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ୨୦୦୭ରେ ଟି-୨୦ ବିଶ୍ବକପ ବିଜୟୀ ଟିମ୍ ଇଣ୍ଡିଆରେ ସେ ସ୍ଥାନ ପାଇଥିଲେ ।

୨୦୦୦ ମସିହାରେ ସେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦ୍ରୁତତମ ଭାରତୀୟ ବୋଲର ଭାବେ ସେ ଦିନିକିଆରେ ୫୦ଟି ଓ୍ବିକେଟ ନେବାର ରେକର୍ଡ କରିଛନ୍ତି । ମାତ୍ର ୨୩ଟି ମ୍ୟାଚ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ ଅଗରକର । ଚୟନ କମିଟିରେ ଅଗରକରଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ରହିଛନ୍ତି । ଓଡ଼ିଆ ପୁଅ ଶିବସୁନ୍ଦର ଦାସ ଚୟନ କମିଟି ସଦସ୍ୟ ରହିଥିବାବେଳେ ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା, ଶ୍ରୀଧରନ ଶରତ ମଧ୍ୟ ସଦସ୍ୟ ରହିଛନ୍ତି । ଏକ ଷ୍ଟିଙ୍ଗ ଅପରେସନ ମାମଲାରେ ଚେତନ ଶର୍ମାଙ୍କୁ ବିସିସିଆଇ ତାଙ୍କ ପଦରୁ ହଟାଇ ଦେଇଥିଲା ।

ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ଗ୍ରାଉଣ୍ଡରେ 5T ସଚିବଙ୍କ ସମୀକ୍ଷା, ଖୁବଶୀଘ୍ର ହେବ ୨ଟି ଇନଷ୍ଟ୍ରିମ ଷ୍ଟୋରେଜ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଲେଖାହେଉଛି ସୁବର୍ଣ୍ଣ ଅଧ୍ୟାୟ । ଜିଲ୍ଲାର ବିକାଶ ପାଇଁ ଗ୍ରାଉଣ୍ଡରେ ସମୀକ୍ଷା କରିଛନ୍ତି 5Tସଚିବ ଭିକେ ପାଣ୍ଡିଆନ । ଜିଲ୍ଲାରେ ଖୁବଶୀଘ୍ର ହେବ ୨ଟି ଇନଷ୍ଟ୍ରିମ ଷ୍ଟୋରେଜ । ସୋନପୁର ରାମେଶ୍ବର ଘାଟ ପରିଦର୍ଶନ କରି ସେଠାରେ ମହାନଦୀ ଉପରେ ହେବାକୁ ଥିବା ଇନଷ୍ଟ୍ରିମ ଷ୍ଟୋରେଜ ସମ୍ପର୍କରେ ଆଲୋଚନା କରିଛନ୍ତି । ଖଇରମାଳ ଓ ଗୋଧନେଶ୍ବରରେ ୧୯୫୦ କୋଟି ଟଙ୍କା ବ୍ୟୟରେ ଦୁଇିଟି ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ହେବ । ସେହିପରି ୨୭୦ କୋଟି ଟଙ୍କା ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାମ ଜାରି ରହିଛି ।

୨୭୦ କୋଟି ଟଙ୍କାରେ ପ୍ରକଳ୍ପ କାମ ଚାଲିଥିବାବେଳେ ସେପ୍ଟେମ୍ବର ସୁଦ୍ଧା ୧୦ ହଜାର ୨୨୧ ହେକ୍ଟର ଜମିକୁ ଜଳସେଚନ କରାଯିବ । ସେହିପରି ବିନିକା ବ୍ଲକ ଅଞ୍ଚଳରେ ୪୧୭ କୋଟି ଟଙ୍କା ବ୍ୟୟରେ ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ଏହାଦ୍ବାରା ୬୦ରୁ ଅଧିକ ପଞ୍ଚାୟତର ପ୍ରତି ଘରକୁ ପାନୀୟଜଳ ଯୋଗାଇ ଦିଆଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପରୁ ଡୁଙ୍ଗୁରୁପାଲି ବ୍ଲକର ୨୫ ପଞ୍ଚାୟତ ବାସିନ୍ଦା ସୁବିଧା ପାଇବେ ।

ସେହିପରି ଜିଲ୍ଲାର ୯ ଡିଗ୍ରୀ ଓ ୨୨ଟି ହାୟର ସେକେଣ୍ଡାରୀ ସ୍କୁଲର ରୂପାନ୍ତରଣ ପାଇ ମୁଖ୍ୟମନ୍ତ୍ରୀ ୧୩ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ କରିଥିବା ଫାଇଭ-ଟି ସଚିବ ସୂଚନା ଦେଇଛନ୍ତି । ରୂପାନ୍ତରିତ ହେବ ପାତାଳି ଶ୍ରୀକ୍ଷେତ୍ର । ପୀଠର ନବକଳେବର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ମାଆ ସୁରେଶ୍ବରୀ ଓ ସୁବର୍ଣ୍ଣମେରୁ ମନ୍ଦିରର ଉନ୍ନତିକରଣ ପାଇଁ ଆଲୋଚନା କରିଛନ୍ତି ।

ଖଲିଆପାଲିରେ ଭୀମ ଭୋଇ ସମାଧିପୀଠ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ଅନୁଧ୍ୟାନ କରାଯାଇଛି । ଗଙ୍ଗାଧର ମେହେର ଫାଇଭ-ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ଝିଇଙ୍କିରେ WODC ଅନୁଦାନରେ ନିର୍ମାଣାଧୀନ ଓ୍ବେଭିଂ ମଲର ଅନୁଧ୍ୟାନ କରିଛନ୍ତି 5T ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଜାରି ରହିଥିବା ବିକାଶ କାମର ଅନୁଧ୍ୟାନ କରିଥିଲେ । ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୧୧୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାପରେ ମୁଖ୍ୟ ଚିକିତ୍ସାଳୟର ହେଲ୍ଫ ଡେସ୍କ ପରିଦର୍ଶନ କରିଥିଲେ ପାଇଭ-ଟି ସଚିବ ।

ଆଦିବାସୀ ଯୁବକ ଉପରେ ପରିଶ୍ରା କଲେ ବିଜେପି କର୍ମୀ, ଭିଡିଓ ଭାଇରାଲ୍ ପରେ ହଙ୍ଗାମା

ଭୋପାଳ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ବିଜେପି କର୍ମୀ ମଦ ନିଶାରେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମାନସିକ ବ୍ୟକ୍ତିଜଣଙ୍କ ଆଦିବାସୀ ସମ୍ପ୍ରଦାୟର ବୋଲି କୁହାଯାଉଛି । ତେବେ ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଘଟଣାକୁ ନିନ୍ଦା କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଅଭିଯୁକ୍ତ ପ୍ରବେଶ ଶୁକ୍ଳା ସିଧି ଜିଲ୍ଲାରୁ ବିଜେପି ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ମଧ୍ୟ ରହିସାରିଛନ୍ତି । ଭିଡିଓ ଟି ୯ ଦିନ ପୂରୁଣା ବୋଲି କୁହାଯାଉଛି, ଯାହା କି କୁବରି ବଜାରର ଅଟେ ।

ପ୍ରବେଶ ଶୁକ୍ଳା କୁବରି ଗାଁର ହିଁ ବାସିନ୍ଦା ଅଟେ । ଅତିରିକ୍ତ ଏସପି, ସିଧି ଅଞ୍ଜୁଲତା ପଟଲେ କହିଛନ୍ତି ଯେ ଅଭିଯୁକ୍ତ ଉପରେ ମାମଲା ରୁଜୁ କରାଯାଇଛି । ଏପଟେ, ମାମଲାରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ପିସିସି ସଭାପତି କମଲନାଥ କହିଛନ୍ତି ସିଧି ଜିଲ୍ଲାରେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବାର କ୍ରୁରତାର ଭିଡିଓ ସାମ୍ନାକୁ ଆସିଛି । ଆଦିବାସୀ ଯୁବକଙ୍କ ସହ ଏପରି ଜଘନ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟର ସଭ୍ୟ ସମାଜରେ କୌଣସି ସ୍ଥାନ ନାହିଁ ।

ମଧ୍ୟ ପ୍ରଦେଶ ପୂର୍ବରୁ ହିଁ ଆଦିବାସୀ ଅତ୍ୟାଚାରରେ ପ୍ରଥମ ସ୍ଥାନରେ ରହିଛି । ଏହି ଘଟଣା ସମ୍ପୂର୍ଣ୍ଣ ରାଜ୍ୟକୁ ଲଜ୍ଜିତ କରିଛି । ମୁଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ଅନୁରୋଧ କରୁଛି ଯେ ସେ ଅଭିଯୁକ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି ଯେ ଅପରାଧୀକୁ କୌଣସି ବି ସ୍ଥିତିରେ ଛଡ଼ାଯିବନାହିଁ । ତା ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୁକ୍ତ ଉପରେ ଏନଏସଏ ମଧ୍ୟ ଲଗାଯିବ ।

ପୁଣି ଗୋଟିଏ ଟ୍ରାକରେ ଆସିଗଲା ଦୁଇଟି ଟ୍ରେନ୍, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ପୁଣି ଏକ ନିଶ୍ଚିତ ଦୂର୍ଘଟଣାରୁ ବର୍ତ୍ତିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌ । ହାଓଡ଼ାରୁ ଭୂବନେଶ୍ବର ଆସିବାବେଳେ ରାଧାମୋହନପୁର ଷ୍ଟେସନ୍‌ ପୂର୍ବରୁ ସାମ୍ନା ସାମ୍ନି ହେଲେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍ । ଏମର୍ଜେନସି ବ୍ରେକ୍‌ ଲଗାଇ ଅଟକିଲେ ଉଭୟ ଟ୍ରେନ୍‌ । ଲୋକାଲ ଟ୍ରେନ୍‌ ପଛକୁ ଫେରିବା ପରେ ଚାଲିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌ । ଭୟ ଓ ଆଶଙ୍କାରେ ରେଳଯାତ୍ରୀ । ଘଟଣାଟି ଅପରାହ୍ନ ୩ ଟା ୩୦ ମିନିଟରେ ଘଟିଛି । ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍ ଗୋଟିଏ ଟ୍ରାକରେ ଆସୁଥିଲା । ତେବେ ଉଭୟ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ।

ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ରାଧାମୋହନପୁର ଷ୍ଟେସନ ନିଟରେ ଘଟିଛି ଘଟଣା । କିଛି ବାଟ ପୂର୍ବରୁ ଉଭୟ ଟ୍ରେନ୍ ଇମରଜେନ୍ସି ବ୍ରେକ୍ ଲଗାଇଥିଲେ । ଦୁର୍ଘଟଣା ଘଟିନଥିଲେ ମଧ୍ୟ ରେଳରେ ଥିବା ଯାତ୍ରୀମାନେ ପୁଣି ଏକ ଦୁର୍ଘଟଣାର ଆଶଙ୍କାକରି ସିହରି ଉଠିଥିଲେ । ପରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ପଛକୁ ଫେରିି ରାଧାମୋହପୁର ଷ୍ଟେସନର ଅନ୍ୟ ଏକ ଟ୍ରାକରେ ରହିଥିଲା । ଏହାପରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଏଠି ପ୍ରଶ୍ନ ଯେ କେମିତି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ପରିସ୍ଥିତିକୁ ଆସିଗଲେ? ବାହାନଗା ଟ୍ରେନ ଟ୍ରାଜେଡି ପରେ ବି ରେଳ ବିଭାଗ କଣ କିଛି ଶିକ୍ଷା ପାଇଲା ନାହିଁ?

ଦୁର୍ଘଟଣାର ହେବ ସାଇଣ୍ଟିଫିକ ଇନଭେଷ୍ଟିଗେସନ, ତିଆରି ହୋଇଛି ଇଣ୍ଟିଗ୍ରେଟେଡ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ ଆପ୍

ଭୁବନେଶ୍ୱର: ଦୁର୍ଘଟଣା ହ୍ରାସ କରିବା ଓ ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ବା ଗୋଲଡେନ ଆଓ୍ବାରରେ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରକ୍ଷକ ଯୋଜନା ଆରମ୍ଭ ହୋଇଛି । କିନ୍ତୁ ସଡକ ଦୁର୍ଘଟଣା ପରେ କିପରି ସାଇଣ୍ଟିଫିକ୍ ଇନଭେଷ୍ଟିଗସନ ହୋଇପାରିବ ସେ ନେଇ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଯାଇଛି ସ୍ବତନ୍ତ୍ର ତାଲିମ । ସଡକ ଦୁର୍ଘଟଣାର ହେବ ସାଇଣ୍ଟିଫିକ୍ ଇନଭେଷ୍ଟିଗେସନ୍ । ତିଆରି ହୋଇଛି ଇଣ୍ଟିଗ୍ରେଟେଡ ରୋଡ଼ ଆକ୍ସିଡେଣ୍ଟ ଡାଟାବେସ୍ ଆପ୍ । ରୋଡ଼ ଇଞ୍ଜିନିୟରିଂରେ ଆସିବ ବ୍ୟାପକ ସୁଧାର । ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି ।

ବର୍ଷକୁ ପାଖାପାଖି ୫ ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି । ଦୈନିକ ୧୫ ଜଣଙ୍କ ମୁଣ୍ଡ ଗଡୁଛି । ଏଥିରେ ରୋକ ଲଗାଇବା ଓ ତତ୍କାଳ ଚିକିତ୍ସା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ରକ୍ଷକ । ସେପଟେ ଆହୁରି କ୍ରିୟାଶୀଳ କରିବା ପାଇଁ ସରକାର ଆଣିଛନ୍ତି କ୍ରାସ୍ ଇନଭେଷ୍ଟିଗେସନ ପଲିସି । ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହେଲେ ସ୍ପେଶାଲ ଟିମ୍ ତଦନ୍ତ କରିବ । ଟିମ୍ ରେ ଜଣେ ପୋଲିସ ଅଧିକାରୀ, ଇଞ୍ଜିନିୟର, RTO ଓ ଜଣେ ବୈଷୟିକ ଅଧିକାରୀ ସାମିଲ ହେବେ । ୮ ଟି ଦିଗକୁ ନେଇ ୧୦ ଦିନ ଭିତରେ ପୋଲିସ ଆଇଜିକୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯିବ । ପରିବହନ ବିଭାଗ ଓ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କିତ ତାଲିମ ପ୍ରଦାନ କରିଛନ୍ତି ବିଶେଷଜ୍ଞ ।

ଦୁର୍ଘଟଣା ସମ୍ପର୍କିତ ସମସ୍ତ ଡାଟା IRAD ଆପ୍ଲିକେସନରେ ରହିବ । ଯାହା ଫଳରେ ଦୁର୍ଘଟଣାର ପ୍ରକୃତ କାରଣ, ତଦନ୍ତର ଦିଗ, କ୍ଷତିଗସ୍ତଙ୍କୁ କ୍ଷତିପୂରଣ ଦିଗରେ ସହାୟକ ହେବ । ସେହିପରି ଶୃଙ୍ଖଳିତ ଗାଡି ଚଳାଚଳ ଦିଗରେ ଟ୍ରାଫିକ ଭାୟୋଲେସନ ଡିଟେକ୍ଟର ସିଷ୍ଟମ କାମ କରିବ । ସିସିଟିଭି ଆଧାରରେ ଇ-ଚାଲାଣକୁ ଫୋକସ କରାଯିବ । ବାରମ୍ବାର ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରୁଥିବାରୁ NHAI ସହଯୋଗରେ ବ୍ଲାକସ୍ପଟ୍ ସ୍ଥାନରେ କିଭଳି ଜୀବନ ରକ୍ଷା କରାଯାଇପାରିବ ସେ ନେଇ ଟ୍ରେନିଂ ସେସନରେ ଗୁରୁତ୍ୱାରୋପ କରାଯାଇଛି । ସାମାନ୍ୟ ଅସାବଧାନତା ଓ ଖରାପ ରୋଡ଼ ଇଞ୍ଜିନିୟରିଂ ପାଇଁ ପାଣି ଫୋଟକା ଭଳି ଝଡିପଡୁଛି ଜୀବନ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଦୁର୍ଘଟଣା ସଂଖ୍ୟା ରୋକାଯାଇପାରିବ ।

ସୁବର୍ଣ୍ଣପୁର ଜିଲ୍ଲାରେ ବିକାଶର ସୁନେଲି କିରଣ, ଉନ୍ନୟନ କାମର ସମୀକ୍ଷା ଓ ପ୍ରକଳ୍ପ ବୁଲି ଦେଖିଲେ 5T ସଚିବ

ସୋନପୁର: ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ୍ । ପାତାଳୀ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ଏହାପରେ ଉଲୁଣ୍ଡା ଯାଇ ଲୋକଙ୍କ ସମସ୍ୟା ଶୁଣିଥିଲେ । ଅପରାହ୍ନ ୨ଟା ୨୦ରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପଡ଼ିଆରେ ପହଁଞ୍ଚିଥିଲା 5T ସଚିବ ।

ସେଠୁ ସହଲା ପଡ଼ିଆରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଲୋକଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଚାଷୀଙ୍କ ସମସ୍ୟା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠା ଉପରେ ଥିବା ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି କହିଥିଲେ ଭିକେ ପାଣ୍ଡିଆନ୍ । ଆସନ୍ତା ୧୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ଶୁଣିବେ ବୋଲି କହିଥିଲେ ଫାଇବ-ଟି ସଚବି । ଡୁଙ୍ଗୁରିପାଲି ବ୍ଲକ ସହଲା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ।

ଲୋକସଭା ନିର୍ବାଚନ ପୂର୍ବରୁ ୪ ରାଜ୍ୟର ସଭାପତି ପରିବର୍ତ୍ତନ କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ସ୍ୱତନ୍ତ୍ର ରଣନୀତି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସଭାପତି ବଦଳାଇଛି ବିଜେପି । ବିଜେପି ଚାରୋଟି ରାଜ୍ୟରେ ନିଜର ସଭାପତି ବଦଳାଇଛି । କେନ୍ଦ୍ରୀୟ ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନାର ବିଜେପି ପ୍ରଦେଶ ସଭାପତି ରୂପରେ ନିଯୁକ୍ତି ଦିଆଯାଇଛି । ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ର ପ୍ରଦେଶ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଝାରଖଣ୍ଡ ଏବଂ ସୁନୀଲ ଝାଖଡଙ୍କୁ ପଞ୍ଜାବରେ ଦଳୀୟ ନେତୃତ୍ୱ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରନ କୁମାର ରେଡ୍ଡୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଛି ।

ସେ ଏପ୍ରିଲ ମାସରେ ବିଜେପିରେ ସାମିଲ ହୋଇଥିଲେ । ଏଟାଲା ରେଜେନ୍ଦ୍ରଙ୍କୁ ତେଲେଙ୍ଗାନାରେ ବିଜେପିର ନିର୍ବାଚନ ପ୍ରବନ୍ଧନ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବିଜେପି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତିଗୁଡ଼ିକୁ ଅନ୍ତିମ ରୂପ ଦେଇଛନ୍ତି ଏବଂ ଏହା ତତ୍କାଳ ପ୍ରଭାବରେ ଲାଗୁ ହେବ । ପଞ୍ଜାବ ବିଜେପି ସଭାପତି ଭାବେ ଅଶ୍ୱିନୀ ଶର୍ମାଙ୍କ ସ୍ଥାନରେ ସୁନୀଲ ଝାଖଡ଼ଙ୍କୁ ନିଯୁକ୍ତି ଦେଇ ବିଜେପି ରାଜ୍ୟରେ ତାଙ୍କୁ ହିନ୍ଦୁ ଚେହେରା ରୂପରେ ଲଞ୍ଚ୍ କରିଛି । ଅନୁମାନ କରାଯାଉଛି ଯେ ବିଜେପି ଅକାଳି ଦଳ ସହିତ ପୁଣିଥରେ ମେଣ୍ଟ କରିପାରେ ।

ଏପରି ସ୍ଥିତିରେ ହିନ୍ଦୁ-ସିଖ୍ ଭାଇଚାରାର ରାଜନୀତି କାର୍ଡ ଖେଳିବ ବିଜେପି । ଅନ୍ୟପକ୍ଷରେ ତେଲେଙ୍ଗାନାର ପ୍ରଦେଶ ସଭାପତି ଥିବା ସଞ୍ଜୟ ବନ୍ଦୀଙ୍କ ସ୍ଥାନରେ କେନ୍ଦ୍ରୀୟମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଝାରଖଣ୍ଡର ପ୍ରଦେଶ ସଭାପତି ଦୀପକ ପ୍ରକାଶଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ବାବୁଲାଲ ମାରାଣ୍ଡିଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶର ପ୍ରଦେଶ ସଭାପତି ସୋମୁ ବୀରରାଜୁଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନଙ୍କୁ ବିଜେପି ସଭାପତି ପଦରୁ ହଟାଇଛି ସେମାନଙ୍କୁ ଜାତୀୟ ସ୍ତରରେ ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି ।