ମହାରାଷ୍ଟ୍ର ରାଜନୀତି ନେବ ରୋଚକ ମୋଡ଼, ଆଜି ୪୦ ବିଧାୟକ ସମର୍ଥନ ସାବ୍ୟସ୍ତ କରିବେ ଅଜିତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ନେବାକୁ ଯାଉଛି ରୋଚକ ମୋଡ଼ । ଏନଡିଏରେ ଏନସିପି ନେତା ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ସାମିଲ ହେବା ପରେ ଆଜି ତାଙ୍କ ସମର୍ଥକ ବିଧାୟକ ଓ ସାଂସଦଙ୍କୁ ନେଇ ବୈଠକ କରିବେ । ଏଥିସହ ସେ ଦାବି କରୁଥିବା ୪୦ ବିଧାୟକଙ୍କ ସମର୍ଥନକୁ ସାବ୍ୟସ୍ତ କରିବେ । ସେପଟେ ଶରଦ ପାଓ୍ବାର ମଧ୍ୟ ଆଜି ଏକ ବୈଠକ କରିବେ । ସେ ମଧ୍ୟ ବିଧାୟକ ଓ ସାଂସଦମାନଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କହିଛନ୍ତି । ଅଜିତ ପାଓ୍ବାର ନିଜ ସମର୍ଥକଙ୍କୁ ନେଇ ଖେଳୁଥିବା ନମ୍ବର ଗେମକୁ ମିଛ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ଶରଦ ପାଓ୍ବାର ।

ସେପଟେ ଶରଦ ପାଓ୍ବାର ଯଦି ଆଜି ପରୀକ୍ଷାରେ ଫେଲ ହେଉଛନ୍ତି ତାହେଲେ ଆଗକୁ ତାଙ୍କର କଣ ଭୂମିକା ରହିବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଶରଦ ପାଓ୍ବାରଙ୍କ ଏନସିପି କଂଗ୍ରେସ ସହ ବିଲିନ ହୋଇପାରେ ବୋଲି ମହାରାଷ୍ଟ୍ର ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । କାରଣ ଅଜିତ ପାଓ୍ବାର ଏନଡିଏକୁ ସମର୍ଥନ କରିବା ସହ ନିଜ କାର୍ଯ୍ୟାଳୟ ମଧ୍ୟ ବଦଳାଇଛନ୍ତି । ଏବଂ ଦଳ ପାଇଁ ନୂଆ କାର୍ଯ୍ୟାଳୟ ଗତକାଲି ଉଦଘାଟନ କରିଛନ୍ତି । ଏଭଳି କ୍ଷେତ୍ରରେ ସେ ଆଉ ଶରଦ ପାଓ୍ବାରଙ୍କ ଗୋଷ୍ଠୀଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ ହୋଇଛି ।