ରୋଷେଇ ଘରୁ କଞ୍ଚାଲଙ୍କା-ଅଦା ଗାଏବ, ବଜାରରେ କେଜିପ୍ରତି ଅଦା ୩୦୦ ଓ କଞ୍ଚାଲଙ୍କା ୪୦୦ ଟଙ୍କା

ଭୁବନେଶ୍ୱର: ଖାଲି ଟମାଟୋ, ବାଇଗଣ କି କାକୁଡ଼ି ନୁହେଁ ପକେଟକୁ ବାଧୁଛି କଞ୍ଚାଲଙ୍କା ଆଉ ଅଦା ଦର । ରୋଷେଇ ଘରୁ ଉଭାନ ହୋଇଗଲାଣି ଲଙ୍କା । ଜଳଖିଆ ଦୋକାନରେ ବି କଞ୍ଚା ଲଙ୍କା ଦେଖିବା ସ୍ବପ୍ନ । ରାଜ୍ୟରେ ରେକର୍ଡ ଛୁଇଁଛି କଞ୍ଚାଲଙ୍କା ଦର । ବଜାରରେ କଞ୍ଚାଲଙ୍କା କେଜି ପିଛା ଦର ରହିଛି ୪୦୦ ଟଙ୍କା । ବର୍ଷାଦିନ ସମୟରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ବିପୁଳ ପରିମାଣର କଞ୍ଚାଲଙ୍କା ଓଡ଼ିଶା ବଜାରକୁ ଆସିଥାଏ  । ମାତ୍ର ଚଳିତବର୍ଷ କମ୍ ଚାଷ ଯୋଗୁ ଉତ୍ପାଦନ ହ୍ରାସ ପାଇଛି । ଫଳରେ ଲଙ୍କାଦର ସର୍ବୋଚ୍ଚ ସ୍ତରକୁ ଛୁଇଁଛି  । ଆବଶ୍ୟକ ପରିମାଣର ଲଙ୍କା ଆସୁନଥିବାରୁ ଦାମ ଉଚ୍ଚା ରହୁଛି ।

ସେପଟେ ଅଦାଦର ବି ଆକାଶ ଛୁଆଁ । ଅଦା କେଜି ରହିଛି ୩୦୦ ଟଙ୍କା । ସବୁ ସମୟରେ ଅଦାକେଜି ପ୍ରାୟ ୧୦୦ ଟଙ୍କା ରହିଥାଏ । କେତେକ ସମୟରେ ଏହା ସର୍ବାଧିକ ୧୫୦ ଟଙ୍କା ହୋଇଥାଏ । ହେଲେ ଏବେ ଦର ୩୦୦ ଟଙ୍କାକୁ ଉଠିବା ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଅନ୍ୟାନ୍ୟ ପରିବାର ଦର ବି ଲୋକଙ୍କୁ କଲବଲ କରୁଛି  ।