ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ଗ୍ରାଉଣ୍ଡରେ 5T ସଚିବଙ୍କ ସମୀକ୍ଷା, ଖୁବଶୀଘ୍ର ହେବ ୨ଟି ଇନଷ୍ଟ୍ରିମ ଷ୍ଟୋରେଜ

1 min read

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଲେଖାହେଉଛି ସୁବର୍ଣ୍ଣ ଅଧ୍ୟାୟ । ଜିଲ୍ଲାର ବିକାଶ ପାଇଁ ଗ୍ରାଉଣ୍ଡରେ ସମୀକ୍ଷା କରିଛନ୍ତି 5Tସଚିବ ଭିକେ ପାଣ୍ଡିଆନ । ଜିଲ୍ଲାରେ ଖୁବଶୀଘ୍ର ହେବ ୨ଟି ଇନଷ୍ଟ୍ରିମ ଷ୍ଟୋରେଜ । ସୋନପୁର ରାମେଶ୍ବର ଘାଟ ପରିଦର୍ଶନ କରି ସେଠାରେ ମହାନଦୀ ଉପରେ ହେବାକୁ ଥିବା ଇନଷ୍ଟ୍ରିମ ଷ୍ଟୋରେଜ ସମ୍ପର୍କରେ ଆଲୋଚନା କରିଛନ୍ତି । ଖଇରମାଳ ଓ ଗୋଧନେଶ୍ବରରେ ୧୯୫୦ କୋଟି ଟଙ୍କା ବ୍ୟୟରେ ଦୁଇିଟି ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ହେବ । ସେହିପରି ୨୭୦ କୋଟି ଟଙ୍କା ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାମ ଜାରି ରହିଛି ।

୨୭୦ କୋଟି ଟଙ୍କାରେ ପ୍ରକଳ୍ପ କାମ ଚାଲିଥିବାବେଳେ ସେପ୍ଟେମ୍ବର ସୁଦ୍ଧା ୧୦ ହଜାର ୨୨୧ ହେକ୍ଟର ଜମିକୁ ଜଳସେଚନ କରାଯିବ । ସେହିପରି ବିନିକା ବ୍ଲକ ଅଞ୍ଚଳରେ ୪୧୭ କୋଟି ଟଙ୍କା ବ୍ୟୟରେ ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ଏହାଦ୍ବାରା ୬୦ରୁ ଅଧିକ ପଞ୍ଚାୟତର ପ୍ରତି ଘରକୁ ପାନୀୟଜଳ ଯୋଗାଇ ଦିଆଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପରୁ ଡୁଙ୍ଗୁରୁପାଲି ବ୍ଲକର ୨୫ ପଞ୍ଚାୟତ ବାସିନ୍ଦା ସୁବିଧା ପାଇବେ ।

ସେହିପରି ଜିଲ୍ଲାର ୯ ଡିଗ୍ରୀ ଓ ୨୨ଟି ହାୟର ସେକେଣ୍ଡାରୀ ସ୍କୁଲର ରୂପାନ୍ତରଣ ପାଇ ମୁଖ୍ୟମନ୍ତ୍ରୀ ୧୩ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ କରିଥିବା ଫାଇଭ-ଟି ସଚିବ ସୂଚନା ଦେଇଛନ୍ତି । ରୂପାନ୍ତରିତ ହେବ ପାତାଳି ଶ୍ରୀକ୍ଷେତ୍ର । ପୀଠର ନବକଳେବର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ମାଆ ସୁରେଶ୍ବରୀ ଓ ସୁବର୍ଣ୍ଣମେରୁ ମନ୍ଦିରର ଉନ୍ନତିକରଣ ପାଇଁ ଆଲୋଚନା କରିଛନ୍ତି ।

ଖଲିଆପାଲିରେ ଭୀମ ଭୋଇ ସମାଧିପୀଠ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ଅନୁଧ୍ୟାନ କରାଯାଇଛି । ଗଙ୍ଗାଧର ମେହେର ଫାଇଭ-ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ଝିଇଙ୍କିରେ WODC ଅନୁଦାନରେ ନିର୍ମାଣାଧୀନ ଓ୍ବେଭିଂ ମଲର ଅନୁଧ୍ୟାନ କରିଛନ୍ତି 5T ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଜାରି ରହିଥିବା ବିକାଶ କାମର ଅନୁଧ୍ୟାନ କରିଥିଲେ । ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୧୧୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାପରେ ମୁଖ୍ୟ ଚିକିତ୍ସାଳୟର ହେଲ୍ଫ ଡେସ୍କ ପରିଦର୍ଶନ କରିଥିଲେ ପାଇଭ-ଟି ସଚିବ ।