spot_img
Home Blog Page 2908

ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର

ଭୁବନେଶ୍ୱର: ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର । ଠେଙ୍ଗାରେ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ପିଟିଲେ । ଜାମୁଝରି ମୁକ୍ତାକାଶ ଜେଲରେ ଘଟିଛି ଏଭଳି ଘଟଣା । ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବିତ କରିଛି ଜେଲ ବିଭାଗ । ନିଲମ୍ବନ ସହ ବଦଳି ନିର୍ଦ୍ଦେଶ ମଧ୍ୟ ଦେଇଛି ବିଭାଗ । ସୁପରିଟେଣ୍ଡେଣ୍ଟ ଅଶୋକ ବେହେରାଙ୍କୁ ଆକ୍ରମଣ କରିଥିଲେ କେଦାରନାଥ ।

ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁଇ ବସ୍ ମୁହାଁମୁହିଁ ଧକ୍କା, ୧୪ରୁ ଅଧିକ ଯାତ୍ରୀ ଆହତ

ବାଲେଶ୍ୱର: ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁର୍ଘଟଣା । ଦୁଇ ବସ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ, ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘରୋଇ ବସ୍ ମନିଷା ଓ ଅରବିନ୍ଦ ବସ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଛି । ମନିଷା ବସଟି ଭଦ୍ରକରୁ ବାଲେଶ୍ବର ଆସୁଥିବା ବେଳେ, ବାଲେଶ୍ବରରୁ ଭଦ୍ରକ ଆସୁଥିବା ଅରବିନ୍ଦ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ବସର ଡ୍ରାଇଭର ଗୁରୁତର ଥିବା ବେଳେ, ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ବ୍ରିଜର ଭୁଲ ଡିଜାଇନ୍ ପାଇଁ ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଭୀମସାରରେ ଡାକ୍ତରୀ ଛାତ୍ର ମାରପିଟ ଘଟଣା, ଭିଡିଓ ଭାଇରାଲ ପରେ ଗୁରୁତ୍ବପୂର୍ଣ୍ଣ ବୈଠକ

ବୁର୍ଲା: ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ମାରପିଟ ଭିଡିଓ ଭାଇରଲ ପରେ ସନ୍ଧ୍ୟାରୁ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା ଏକ ଗୁରୁତ୍ୱପୁର୍ଣ ବୈଠକ l ବୈଠକରେ ଭୀମସାର ନିର୍ଦ୍ଦେଶକଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ l ସେପଟେ ପୋଲିସ ପହଞ୍ଚି ପଚରାଉଚରା କରୁଛି । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବୈଠକ ପରେ ମୁହଁ ଖୋଲିଲେ ଭିମସାର ନିର୍ଦ୍ଦେଶକ l କ୍ୟାମ୍ପସ ବାହାରେ ରାସ୍ତାରେ ଏହି ଘଟଣା ଘଟିଥିବାରୁ ବାହାର ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି କହିଛନ୍ତି ନିର୍ଦ୍ଦେଶକ l ଯାହାକି ତଦନ୍ତ ସାପେକ୍ଷ l ଏନେଇ ଥାନାରେ ଏତଲା ହୋଇଛି । ୫ଜଣ ଆହତ ଅଛନ୍ତି, ବର୍ତମାନ ତାଙ୍କ ଅବସ୍ଥା ଭଲ ଅଛି l ଯେହେତୁ ଘଟଣା ପରେ ବ୍ରହ୍ମପୁର ମେଡିକାଲର ପିଲା ଭାୟଭିତ ଅଛନ୍ତି ସେମାନେ ଭିମସାରରେ ଚାଲିଥିବା ୟୁଫୋରିଆରେ ଆଉ ଭାଗ ନେବେ ନାହିଁ l

ତେବେ ବ୍ରହ୍ମପୁର MKCG ପ୍ରିନ୍ସିପାଲଙ୍କ ଅନୁରୋଧ ପରେ ବୈଠକରେ ନିଷ୍ପତି ଅନୁସାରେ ସମସ୍ତ ପିଲା ଗତକାଲି ରାତିରେ ହିଁ ବ୍ରହ୍ମପୁର ଫେରିଯାଇଛନ୍ତି । ଆଗକୁ ଯେମିତି ଏହି ଘଟଣାର ପୁନରାବୃତ୍ତି ନହେବ ସେ ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଭିମସାର ନିର୍ଦ୍ଦେଶକ l ଘଟଣାର ପ୍ରକୃତ କାରଣ ଏବଂ କିଏ କିଏ ଏଥିରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ l

ଲୁଟର ନୂଆ ତରିକା, ଅଳଙ୍କାର ସଫା କରିବା ଆଳରେ ୪ ଲକ୍ଷ ଟଙ୍କାର ଅଳଙ୍କାର ନେଇ ଛୁ

ବାଲିପାଟଣା: ଲୁଟର ନୂଆ ତରିକା । ଆଖି ସାମ୍ନାରୁ ଆଖି ପିଛୁଳାକେ ହେଉଛି ଲୁଟ୍ । ପିତଳ, ସୁନା, ରୂପା ଅଳଙ୍କାର ସଫା କରିବା ଆଳରେ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇ ଛୁ’ । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଗାଁରେ । ଲୁଟେରାଙ୍କର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି । ୨ ଜଣ ଦୁର୍ବୃତ୍ତ ଗାଁରେ ପଶି କଂସା, ପିତ୍ତଳ ସଫା କରାଇବାକୁ କହିଥିଲେ । ଦେବେନ୍ଦ୍ର ପଣ୍ଡାଙ୍କ ଘରେ କଂସା ପିତ୍ତଳ ମଧ୍ୟ ସଫା କରିଥିଲେ । ପରେ ରୂପା ପାଉଁଜି ମଧ୍ୟ ସଫା କରିଥିଲେ । ଏହା ସହ ଦେବେନ୍ଦ୍ର ପଣ୍ଡାଙ୍କର ତିନି ବୋହୂଙ୍କ ସୁନା ଅଳଙ୍କାର ସଫା ପାଇଁ ଦେଇଥିଲେ । ହେଲେ କୌଶଳ କରି ଅଳଙ୍କାର ନେଇ ଚମ୍ପଟ ମାରିଲେ ଲୁଟେରା । ଏନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ ହୋଇଛି । ୨ ବର୍ଷ ପୂର୍ବେ ବାଲିପାଟଣା ଥାନା ଦାମୋଦରପୁର ଏବଂ ବାରଙ୍ଗ ଥାନା ଅଂଚଳରେ ସମାନ ଢଙ୍ଗରେ ଲୁଟ୍ କରି ପୋଲିସ ହାତରେ ଧରା ପଡିଥିଲେ ଲୁଟେରା ।

ବାବା ଧବଳେଶ୍ବରଙ୍କ ପୀଠକୁ ଯିବାରେ ହେବନି ସମସ୍ୟା, ଏଣିକି କଂକ୍ରିଟ ବ୍ରିଜ ଦେଇ ହେବ ଯାତାୟାତ

କଟକ: ଆଉ ଧବଳେଶ୍ବରପୀଠକୁ ଯିବାରେ ହେବନି ସମସ୍ୟା । ଆଜିଠୁ ସହଜ ହେବ ବାବା ଧବଳେଶ୍ବରଙ୍କ ଦର୍ଶନ । କଂକ୍ରିଟ ବ୍ରିଜ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ । ବ୍ରିଜ କାର୍ଯ୍ୟ ପ୍ରାୟ ଶେଷ ହୋଇଥିଲେ ମଧ୍ୟ ଉଦଘାଟିତ ହୋଇନାହିଁ । ତଥାପି ଭକ୍ତଙ୍କୁ ଛଡ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଏବେ ଶ୍ରାବଣ ମାସ ଆରମ୍ଭ ହୋଇଛି । ଏହି ସମୟରେ ହଜାର ହଜାର କାଉଡ଼ିଆ ବାବାଙ୍କ ଉପରେ ପାଣି ଢାଳିବାକୁ ମାନସିକ ରଖିଥାନ୍ତି । ଏଣୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେତୁରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ଅନୁମତି ଦିଆଯାଇଛି । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତୀ ସମୟରେ ଏହାର ଲୋକାର୍ପଣ କରାଯିବ । ପୂର୍ବରୁ ଝୁଲାପୋଲରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ତାହା ଦୁର୍ବଳ ଥିବା ଜଣାପଡ଼ିବା ପରେ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା । ଜାନୁଆରୀ ୧୧ ତାରିଖରୁ ମହାନଦୀ ଭିତରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ଯାତାୟତ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ଗତ ୩୦ ତାରିଖରେ ମହାନଦୀରେ ପାଣିଆସିବାରୁ ତାହା ଭାସିଯାଇଥିଲା ।

ଶ୍ରାବଣରେ ବର୍ଷାର ନାହିଁ ଦେଖା, ସନ୍ତୁଳି ହେଉଛନ୍ତି ଲୋକେ

ଭୁବନେଶ୍ୱର: ଶ୍ରାବଣରେ ସିଝୁଛି ଓଡ଼ିଶା । ସନ୍ତୁଳି ହେଉଛନ୍ତି ଲୋକ । ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ହେଉଛି ଗରମ ପବନ । ସମୁଦ୍ରର ତାତି ସ୍ବାଭାବିକଠାରୁ ଅଧିକ ରହୁଥିବାରୁ ଏଭଳି ସ୍ଥିତି ଉପୁଜିଛି । ଆସନ୍ତାକାଲିଠୁ ରାଜ୍ୟରେ ପାଗ ବଦଳିପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ମୌସୁମୀର ନିମ୍ନ ଚାପରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି ବାଲେଶ୍ୱର ଦେଇ ଦକ୍ଷିଣ- ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ।

ଏହାସହ ଉତ୍ତର ଆନ୍ଧ୍ରପ୍ରଦେଶରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ମୌସୁମୀ ଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଅନୁମାନ କରିଛି । ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୪ ତାରିଖ ସୁଦ୍ଧା ୧୭୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଆକଳନ ୨୪୭.୪ ମିଲିମିଟର ତୁଳନାରେ ୩୧ ପ୍ରତିଶତ କମ୍ ।

ମହାରାଷ୍ଟ୍ର ରାଜନୀତି ନେବ ରୋଚକ ମୋଡ଼, ଆଜି ୪୦ ବିଧାୟକ ସମର୍ଥନ ସାବ୍ୟସ୍ତ କରିବେ ଅଜିତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ନେବାକୁ ଯାଉଛି ରୋଚକ ମୋଡ଼ । ଏନଡିଏରେ ଏନସିପି ନେତା ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ସାମିଲ ହେବା ପରେ ଆଜି ତାଙ୍କ ସମର୍ଥକ ବିଧାୟକ ଓ ସାଂସଦଙ୍କୁ ନେଇ ବୈଠକ କରିବେ । ଏଥିସହ ସେ ଦାବି କରୁଥିବା ୪୦ ବିଧାୟକଙ୍କ ସମର୍ଥନକୁ ସାବ୍ୟସ୍ତ କରିବେ । ସେପଟେ ଶରଦ ପାଓ୍ବାର ମଧ୍ୟ ଆଜି ଏକ ବୈଠକ କରିବେ । ସେ ମଧ୍ୟ ବିଧାୟକ ଓ ସାଂସଦମାନଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କହିଛନ୍ତି । ଅଜିତ ପାଓ୍ବାର ନିଜ ସମର୍ଥକଙ୍କୁ ନେଇ ଖେଳୁଥିବା ନମ୍ବର ଗେମକୁ ମିଛ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ଶରଦ ପାଓ୍ବାର ।

ସେପଟେ ଶରଦ ପାଓ୍ବାର ଯଦି ଆଜି ପରୀକ୍ଷାରେ ଫେଲ ହେଉଛନ୍ତି ତାହେଲେ ଆଗକୁ ତାଙ୍କର କଣ ଭୂମିକା ରହିବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଶରଦ ପାଓ୍ବାରଙ୍କ ଏନସିପି କଂଗ୍ରେସ ସହ ବିଲିନ ହୋଇପାରେ ବୋଲି ମହାରାଷ୍ଟ୍ର ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । କାରଣ ଅଜିତ ପାଓ୍ବାର ଏନଡିଏକୁ ସମର୍ଥନ କରିବା ସହ ନିଜ କାର୍ଯ୍ୟାଳୟ ମଧ୍ୟ ବଦଳାଇଛନ୍ତି । ଏବଂ ଦଳ ପାଇଁ ନୂଆ କାର୍ଯ୍ୟାଳୟ ଗତକାଲି ଉଦଘାଟନ କରିଛନ୍ତି । ଏଭଳି କ୍ଷେତ୍ରରେ ସେ ଆଉ ଶରଦ ପାଓ୍ବାରଙ୍କ ଗୋଷ୍ଠୀଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ ହୋଇଛି ।

ରୋଷେଇ ଘରୁ କଞ୍ଚାଲଙ୍କା-ଅଦା ଗାଏବ, ବଜାରରେ କେଜିପ୍ରତି ଅଦା ୩୦୦ ଓ କଞ୍ଚାଲଙ୍କା ୪୦୦ ଟଙ୍କା

ଭୁବନେଶ୍ୱର: ଖାଲି ଟମାଟୋ, ବାଇଗଣ କି କାକୁଡ଼ି ନୁହେଁ ପକେଟକୁ ବାଧୁଛି କଞ୍ଚାଲଙ୍କା ଆଉ ଅଦା ଦର । ରୋଷେଇ ଘରୁ ଉଭାନ ହୋଇଗଲାଣି ଲଙ୍କା । ଜଳଖିଆ ଦୋକାନରେ ବି କଞ୍ଚା ଲଙ୍କା ଦେଖିବା ସ୍ବପ୍ନ । ରାଜ୍ୟରେ ରେକର୍ଡ ଛୁଇଁଛି କଞ୍ଚାଲଙ୍କା ଦର । ବଜାରରେ କଞ୍ଚାଲଙ୍କା କେଜି ପିଛା ଦର ରହିଛି ୪୦୦ ଟଙ୍କା । ବର୍ଷାଦିନ ସମୟରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ବିପୁଳ ପରିମାଣର କଞ୍ଚାଲଙ୍କା ଓଡ଼ିଶା ବଜାରକୁ ଆସିଥାଏ  । ମାତ୍ର ଚଳିତବର୍ଷ କମ୍ ଚାଷ ଯୋଗୁ ଉତ୍ପାଦନ ହ୍ରାସ ପାଇଛି । ଫଳରେ ଲଙ୍କାଦର ସର୍ବୋଚ୍ଚ ସ୍ତରକୁ ଛୁଇଁଛି  । ଆବଶ୍ୟକ ପରିମାଣର ଲଙ୍କା ଆସୁନଥିବାରୁ ଦାମ ଉଚ୍ଚା ରହୁଛି ।

ସେପଟେ ଅଦାଦର ବି ଆକାଶ ଛୁଆଁ । ଅଦା କେଜି ରହିଛି ୩୦୦ ଟଙ୍କା । ସବୁ ସମୟରେ ଅଦାକେଜି ପ୍ରାୟ ୧୦୦ ଟଙ୍କା ରହିଥାଏ । କେତେକ ସମୟରେ ଏହା ସର୍ବାଧିକ ୧୫୦ ଟଙ୍କା ହୋଇଥାଏ । ହେଲେ ଏବେ ଦର ୩୦୦ ଟଙ୍କାକୁ ଉଠିବା ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଅନ୍ୟାନ୍ୟ ପରିବାର ଦର ବି ଲୋକଙ୍କୁ କଲବଲ କରୁଛି  ।

SAFF Championship 2023: ପେନାଲ୍ଟି ସୁଟଆଉଟରେ କୁୱେତକୁ ହରାଇ ଭାରତ ଚମ୍ପିଆନ

ବେଙ୍ଗାଲୁରୁ: ୯ମ ଥର ପାଇଁ ସାଉଥ୍ ଏସିଆନ ଫୁଟବଲ୍ ଫେଡେରେସନ୍ (SAFF) ଚାମ୍ପିଅନସିପ୍ ଟାଇଟଲ ଜିତିଲା ଭାରତ । କୁୱେତକୁ ପେନାଲ୍ଟି ସୁଟଆଉଟରେ ହରାଇ ୯ମ ଥର ପାଇଁ ଟାଇଟଲ୍ ଜିତିଛି ଭାରତୀୟ ଫୁଟବଲ୍ ଟିମ୍ । ବେଙ୍ଗାଲୁରୁରେ ଭାରତ ଏବଂ କୁୱେତ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯାଉଥିଲା ।  ଉଭୟ ଟିମ୍ ମଧ୍ୟରେ ଏହି ମୁକାବିଲାରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ହାଫ୍ ଟାଇମ ସୁଦ୍ଧା ମୁକାବିଲା ୧-୧ରେ ବରାବର ସ୍ଥିତିରେ ରହିଥିଲା । ଏହାପରେ ମ୍ୟାଚର ରେଜଲ୍ଟ ପେନାଲ୍ଟି ସୁଟ୍ ଆଉଟ ଦ୍ୱାରା ହୋଇଥିଲା ।

ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏହି ଟାଇଟଲକୁ ନିଜ ନାଁରେ କରିଛି ।  ପେନାଲ୍ଟି ସୁଟ ଆଉଟରରେ ଭାରତ ୫-୪ ରେ ବିଜୟ ହାସଲ କରିଛି । କୁୱେତ ପକ୍ଷରୁ ଶବିବ ଅଲ ଖଲିଦି ୧୪ତମ ମିନିଟରେ ଗୋଲ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଲାଲିୟାନଜୁଆଲା ଛାଙ୍ଗଟେ ୩୮ତମ ମିନିଟରେ କରିଥିଲେ । ଦ୍ୱିତୀୟ ହାଫରେ ଉଭୟ ଟିମ୍ ଗୋଲ୍ କରିବାରେ ବିଫଳ ହୋଇଥିଲେ ।  ଏହାପରେ ୧୫ ମିନିଟ୍ ଲେଖାଏଁ ଅତିରିକ୍ତ ସମୟ ଦିଆଯାଇଥିଲା, ହେଲେ କୌଣସି ବି ଦଳ ଗୋଲ୍ କରିବାରେ ସଫଳ ହୋଇନଥିଲେ ।

ଉଭୟ ଦଳର ଗୋଲ୍ ୧-୧ ବରାବର ରହିବାରୁ ଏହାପରେ ପେନାଲ୍ଟି ସୁଟଆଉଟ ଜରିଆରେ ବିଜେତା ଘୋଷଣା କରାଯାଇଥିଲା ।  ପେନାଲ୍ଟି ସୁଟଆଉଟର ୫ଟି ରାଉଣ୍ଡ ପରେ ମଧ୍ୟ ସ୍କୋର ୪-୪ ଥିଲା ଯାହା ପରେ ସଡନ ଡେଥରେ ଫୈସଲା ହୋଇଥିଲା । ଭାରତ ପକ୍ଷରୁ ମହେଶ ନୋରେମ ସ୍କୋର କରିଥିଲେ ଏବଂ ଭାରତର ଗୋଲ୍ ଗିପର ଗୁରପ୍ରୀତ ସନ୍ଧୁ ଡାଇଭ ଲଗାଇ କୁୱେତର ହାଜିୟାଙ୍କ ଶଟକୁ ଅଟକାଇ ଦଳକୁ ବିଜୟୀ କରାଇଥିଲେ । ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଭାରତ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫, ୨୦୨୧ରେ ସାଫ୍ ଚାମ୍ପିଅନସିପରେ ବିଜେତା ହୋଇସାରିଛି ।

ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ପୂର୍ବତନ କ୍ରିକେଟର ଅଜିତ ଅଗରକର ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି ପୂର୍ବତନ ବୋଲର ଅଜିତ ଅଗରକର । ଏନେଇ ବିସିସିଆଇ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ୪୫ ବର୍ଷିୟ ଅଗରକର ଚେତନ ଶର୍ମାଙ୍କ ସ୍ଥାନ ନେଇଛନ୍ତି । ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ ଦନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହାବାଦ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ ୬୨ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ୨୦୦୭ରେ ଟି-୨୦ ବିଶ୍ବକପ ବିଜୟୀ ଟିମ୍ ଇଣ୍ଡିଆରେ ସେ ସ୍ଥାନ ପାଇଥିଲେ ।

୨୦୦୦ ମସିହାରେ ସେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦ୍ରୁତତମ ଭାରତୀୟ ବୋଲର ଭାବେ ସେ ଦିନିକିଆରେ ୫୦ଟି ଓ୍ବିକେଟ ନେବାର ରେକର୍ଡ କରିଛନ୍ତି । ମାତ୍ର ୨୩ଟି ମ୍ୟାଚ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ ଅଗରକର । ଚୟନ କମିଟିରେ ଅଗରକରଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ରହିଛନ୍ତି । ଓଡ଼ିଆ ପୁଅ ଶିବସୁନ୍ଦର ଦାସ ଚୟନ କମିଟି ସଦସ୍ୟ ରହିଥିବାବେଳେ ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା, ଶ୍ରୀଧରନ ଶରତ ମଧ୍ୟ ସଦସ୍ୟ ରହିଛନ୍ତି । ଏକ ଷ୍ଟିଙ୍ଗ ଅପରେସନ ମାମଲାରେ ଚେତନ ଶର୍ମାଙ୍କୁ ବିସିସିଆଇ ତାଙ୍କ ପଦରୁ ହଟାଇ ଦେଇଥିଲା ।