ବାବା ଧବଳେଶ୍ବରଙ୍କ ପୀଠକୁ ଯିବାରେ ହେବନି ସମସ୍ୟା, ଏଣିକି କଂକ୍ରିଟ ବ୍ରିଜ ଦେଇ ହେବ ଯାତାୟାତ

କଟକ: ଆଉ ଧବଳେଶ୍ବରପୀଠକୁ ଯିବାରେ ହେବନି ସମସ୍ୟା । ଆଜିଠୁ ସହଜ ହେବ ବାବା ଧବଳେଶ୍ବରଙ୍କ ଦର୍ଶନ । କଂକ୍ରିଟ ବ୍ରିଜ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ । ବ୍ରିଜ କାର୍ଯ୍ୟ ପ୍ରାୟ ଶେଷ ହୋଇଥିଲେ ମଧ୍ୟ ଉଦଘାଟିତ ହୋଇନାହିଁ । ତଥାପି ଭକ୍ତଙ୍କୁ ଛଡ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଏବେ ଶ୍ରାବଣ ମାସ ଆରମ୍ଭ ହୋଇଛି । ଏହି ସମୟରେ ହଜାର ହଜାର କାଉଡ଼ିଆ ବାବାଙ୍କ ଉପରେ ପାଣି ଢାଳିବାକୁ ମାନସିକ ରଖିଥାନ୍ତି । ଏଣୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେତୁରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ଅନୁମତି ଦିଆଯାଇଛି । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତୀ ସମୟରେ ଏହାର ଲୋକାର୍ପଣ କରାଯିବ । ପୂର୍ବରୁ ଝୁଲାପୋଲରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ତାହା ଦୁର୍ବଳ ଥିବା ଜଣାପଡ଼ିବା ପରେ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା । ଜାନୁଆରୀ ୧୧ ତାରିଖରୁ ମହାନଦୀ ଭିତରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ଯାତାୟତ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ଗତ ୩୦ ତାରିଖରେ ମହାନଦୀରେ ପାଣିଆସିବାରୁ ତାହା ଭାସିଯାଇଥିଲା ।