ଭୁବନେଶ୍ବର: ଜେଡ୍ ଇଷ୍ଟେଟର ଜେଡ୍ ଓ୍ବାନ ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବେଆଇନ କାରନାମା । ଘର ମାଲିକଙ୍କ ବିନା ସମ୍ମତିରେ ଜେଡ୍ ଇଷ୍ଟେଟର ବାରମ୍ବାର ପ୍ଲାନ ପରିବର୍ତନ ହେଉ କି ବେଆଇନ ଭାବେ ପ୍ରକଳ୍ପ ପରିସରରେ ଥିବା କମନ ଆମେନିଟିଜକୁ ପ୍ରମୋଟର ଏରିଆ କହି କ୍ରେତାଙ୍କୁ ଠକିବା ଯାଏଁ । ସବୁଠି ଜେଡ୍ ଇଷ୍ଟେଟର ଦାଦାଗିରି ଦେଖିବାକୁ ମିଳିଛି । ନିଜ ଅଧିକାର ପାଇବାକୁ ୪୪୦ ଘର ମାଲିକ ଦୀର୍ଘ ୬ ବର୍ଷ ହେଲା ସଂଘର୍ଷ କରୁଛନ୍ତି । ମାନବ ଅଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନ ଗଢା ହୋଇଛି ସତ, ହେଲେ ଅଧିକାର ପାଇଁ ପ୍ରତି ମୁହୂର୍ତ୍ତରେ ଲଢ଼ିବାକୁ ପଡୁଛି । ଅର୍ଥବଳ, ବାହୁବଳ ସାଙ୍ଗକୁ ମିଡିଆ ପାୱାର ଦେଖାଇ ଜେଡ୍ ଇଷ୍ଟେଟ ମାଲିକ ମାନଙ୍କୁ ନାନା ପ୍ରକାର ହଇରାଣ କରୁଥିବାର ଅଭିଯୋଗ ଆସିଛି । ନନ୍ଦିଘୋଷ ଟିଭିରେ ସବୁ ଅଭିଯୋଗ ଓ ବେଆଇନ କାର୍ଯ୍ୟକଳାପର ଦସ୍ତାବିଜ ଲାଗିଛି । EOWରେ ଜେଡ୍ ଇଷ୍ଟେଟ ମାଲିକ ଓ ତାଙ୍କ ପୁଅ ହାଜର ହେବା ପରେ ଘର ମଳିକଙ୍କୁ ନ୍ୟାୟ ମିଳିବାର ଆଶା ବଢିଛି ।
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁରେ ଇଓଡବ୍ଲୁରେ ମାମଲା ରୁଜୁ
ଭୁବନେଶ୍ବର: ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ତଥା ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ରେ ମାମଲା ରୁଜୁ । ମାମଲାରେ ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଅଭିଯୁକ୍ତ କରାଯାଇଛି । ଏମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୫୦୬, ୪୬୭, ୪୬୮, ୪୭୧, ୪୨୦ ଏବଂ ୧୨୦ (ଖ) ଧାରାରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବେ ଅଭିଯୁକ୍ତଙ୍କୁ ଡାକି ଜେରା କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ସମ୍ବାଦର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଶୋଷଣ, ନିର୍ଯାତନା ଓ ବ୍ୟାଙ୍କ ଘୋଟାଲା ନେଇ ଅଭିଯୋଗ ଆଣିଥିଲେ । ସେହିଭଳି ଇଷ୍ଟର୍ଣ୍ଣ ମିଡିଆର ମାନବ ସମ୍ବଳ ଅଧିକାରୀଙ୍କ ବିରୋଧରେ ଚାକିରିରୁ ବହିଷ୍କାର କରିବା ଧମକ ଭଳି ବିଭିନ୍ନ ଅଭିଯୋଗ କରିଥିଲେ ।
ଅଭିଯୋଗକାରୀଙ୍କ ଅନୁସାରେ, ସୌମ୍ୟଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଓ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାଯାଇଥାଏ । ଏହି ଋଣ ଟଙ୍କା ସୌମ୍ୟ ହଡ଼ପ କରିନିଅନ୍ତି । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ । କର୍ମଚାରୀଙ୍କୁ ଲୋନ୍ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ସେ କରିଥିଲେ ।
‘ଆଦିବାସୀ କଳା ଓ ସଂସ୍କୃତିର ପ୍ରଶଂସକ ଥିଲେ ଗୀତା’
ଭୁବନେଶ୍ବର: ଆରପାରିରେ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା । ଗୀତାଙ୍କ ପରଲୋକ ଖବର ଶୁଣି ମର୍ମାହତ ହୋଇଯାଇଛନ୍ତି ପ୍ରଖ୍ୟାତ ସଂଗ୍ରାହକ ଓ ଐତିହ୍ୟ ଗବେଷକ ସୁଦର୍ଶନ ସାହୁ । ଗୀତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ କଳା ଓ ସଂସ୍କୃତିର ଗବେଷିକା ଥିବା କହିଛନ୍ତି ସୁଦର୍ଶନ ।
୨୦୧୮ ଏପ୍ରିଲ ୧୮ ତାରିଖ କଥା ମନେ ପକାଇ ସୁଦର୍ଶନ କହିଛନ୍ତି, ‘ଆଦିବାସୀମାନେ ପରିଧାନ କରୁଥିବା ଅଳଙ୍କାରକୁ ଭଲ ପାଉଥିଲେ ଗୀତା । ପଖାଳ କଂସା ଓ କିରୋସିନ ଡିବି ସମ୍ପର୍କରେ ସେ ଗବେଷଣା କରିବାକୁ ଭଲ ପାଉଥିଲେ । ଲୋକଲୋଚନରୁ ଦୂରେଇ ରହିବା ଲାଗି ସେ ଗୋପନୀୟ ଭାବେ ସଂଗ୍ରହାଳୟକୁ ଆସିଥିଲେ ।’
ଆଗକୁ ସେ କହିଛନ୍ତି, ‘ଆଦିବାସୀ ପିନ୍ଧୁଥିବା ହାର, ବାରୁଟି, ପାଉଁଜି, ଖଡୁ ଓ ଅନ୍ୟାନ୍ୟ କଳାଗୁଡିକୁ ଦେଖିଥିଲେ । ଏହାସହ ୩୦ ପ୍ରକାର ପଖାଳ କଂସାର ଉତ୍ପତ୍ତି, ଡିଜାଇନ, ସେଗୁଡିକର ସମୟ କାଳ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ । ୬ ଲିଟର କ୍ଷମତାର ଏକ କଂସାବେଲା ଟଭା ଫାଳିଆ ଦେଖି ସେ ଅଭିଭୁତ ହୋଇଯାଇଥିଲେ ।’
ପରିଦର୍ଶକ ନଥିରେ ମଧ୍ୟ ସେ ନିଜର ମତ ଉଲ୍ଲେଖ କରିଥିବା କହିଛନ୍ତି ସୁଦର୍ଶନ । ଆଦିବାସୀ ସଂସ୍କୃତିକୁ ଭଲ ପାଉଥିବା ଗୀତା ସେହିଦିନ ୮ଟି ଆଦିବାସୀ ଅଳଙ୍କାର ଓ କଳାକୃତି ବି କିଣିଥିଲେ ।
ନିମାପଡାରେ ୮୧ ତମ ସହିଦ ଦିବସ ପାଳିତ
ନିମାପଡ଼ା: ପୁରୀ ଜିଲ୍ଲା ନିମାପଡାରେ ୮୧ ତମ ସହିଦ ଦିବସ ପାଳିତ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ନିମାପଡାର ତତ୍କାଳୀନ ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ସାମନ୍ତସିଂହାର ଓ ମୋହନ ଦାଶଙ୍କ ନେତୃତ୍ୱରେ ସେହିବର୍ଷ ସେପ୍ଟେମ୍ବର ୧୬ରେ ଶତାଧିକ ସଂଗ୍ରାମୀ ନିମାପଡା ଥାନା ଘେରାଉ କରି ପୋଡାଜଳା କରିଥିଲେ । ଇଂରେଜ ପୋଲିସଙ୍କ ଗୁଳିରେ ସଂଗ୍ରାମୀ ଉଚ୍ଛବ ମଲ୍ଲିକ ସହିଦ ହୋଇଥିଲେ । ନିମାପଡା ଏନଏସି ପକ୍ଷରୁ ସହିଦ ଦିବସ ପାଳନ ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏକ ମଶାଲ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିଥିଲେ । ପରେ ସହୀଦ ସ୍ମୃତି ସ୍ତମ୍ବରେ ମାଲ୍ୟାର୍ପଣ କରାଯାଇଥିଲା ।
ପୁରୀ ପୋଲିସ ପକ୍ଷରୁ ସହୀଦ ସ୍ମୃତି ସ୍ତମ୍ବ ନିକଟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଓ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ଶହୀଦଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

