ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

1 min read

ଭୁବନେଶ୍ବର: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସୃଷ୍ଟ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୨ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୩ ଦିନ ଯାଏଁ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଏହା ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଅର୍ଥାତ ଦୁଇ ଦିନ ପରେ ରାଜ୍ୟରେ ବଦଳିବ ପାଗ ।

ଉପକୂଳ ଓଡ଼ିଶାରେ ବଡ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତିରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏଣୁ ଶନିବାରଠୁ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସିଷ୍ଟମ ଉପରେ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି। ଯଦି ଏହା ହୁଏ ୨୪ ତାରିଖରେ କଟକ ଏବଂ ଭୁବନେଶ୍ବର ସାଙ୍ଗକୁ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ । ୨୫ରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ଲଘୁଚାପ ଏବେ ଓଡ଼ିଶା ଠାରୁ ପାଖାପାଖି ଏକ ହଜାର କିଲୋମିଟର ଦୂରରେ ଥିବାରୁ ଓଡ଼ିଶାରେ ପାଗ ଶୁଖିଲା ରହିଛି ।