ଦୁଇ ସପ୍ତାହ ପରେ ଦୁଇ ଆମେରିକୀୟ ମା‘ ଝିଅଙ୍କୁ ଖଲାସ କଲା ହମାସ

ଗାଜା: ଦୁଇ ସପ୍ତାହ ପରେ ଦୁଇ ଜଣ ଆମେରିକୀୟଙ୍କୁ ଖଲାସ କରିଛି ହମାସ । ଖଲାସ ହେବା ପରେ ପରିବାର ସହ ଏକାଠି ହୋଇଛନ୍ତି ଦୁଇ ଆମେରିକୀୟ । ୫୯ ବର୍ଷ ବୟସ୍କା ଜୁଦିଥ ତାଇ ରାନାନ ଓ ତାଙ୍କ ଝିଅ ୧୭ ବର୍ଷ ବୟସ୍କା ନାତାଲି । ସେମାନେ ମା ଓ ଝିଅ । ଏହା ସହ ସେମାନେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।

ବାଇଡେନ କହିଛନ୍ତି ଆତଙ୍କବାଦୀଙ୍କ କବଳରୁ ମୁକ୍ତିଲାଭ ପରେ ସେମାନଙ୍କ ସହ କଥା ହୋଇଛନ୍ତି । ସେମାନଙ୍କ ସୁସ୍ଥତା ସେ କାମନା କରୁଛନ୍ତି । ହମାସ କବଳରୁ ମୁକ୍ତି ପରେ ସେମାନଙ୍କୁ ଜେରୁଜେଲମସ୍ଥିତ ଆମେରିକୀୟ ଦୂତାବାସକୁ ଅଣାଯାଇଥିଲା । ସେଠାରେ ସେମାନେ ବାଇଡେନଙ୍କ ସହ କଥା ହୋଇଥିଲେ । ମା ଓ ଝିଅଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ହମାସ ସଶସ୍ତ୍ରବାହିନୀ ଇଜ ଏଲ ଦିନ ଅଲ କାସମ ବ୍ରିଗେଡ ମୁଖପାତ୍ର ଆବୁ ଉବେଦା ।

ଗତ ଅକ୍ଟୋବର ୭ ତାରିଖରେ କିବୁଜ ନାହାଲରୁ ସେମାନଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ସେମାନେ ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କ ଗହଣରେ ଖୁସି ମନାଇବା ଲାଗି ଗାଜା ସୀମାନ୍ତକୁ ଯାଇଥିଲେ । ସେପଟେ ବିଜୟ ହେବା ଯାଏଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଏବେ ବି ଗାଜାରେ ରକେଟ ହମଲା ଜାରି ରହିଛି । ଉତ୍ତରାଞ୍ଚଳ ଗାଜା ଛାଡିବା ନିର୍ଦ୍ଦେଶ ବଳବତ୍ତର ରହିଛି । ବର୍ତ୍ତମାନ ସୁଦ୍ଧା ୪ ହଜାର ୧୩୭ ପାଲେଷ୍ଟିନୀୟ ଓ ୧୪୦୦ ଇସ୍ରାଏଲୀ ପ୍ରାଣ ହରାଇଛନ୍ତି ।