spot_img
Home Blog Page 2856

ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ସକାଳ ୬ଟା ସୁଦ୍ଧା ୬୧୩ ଫୁଟରେ ପହଞ୍ଚିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୫୭୫ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ ହଜାର ଘନଫୁଟ ବନ୍ୟାଜଳ । ସେପଟେ ଆଉ ଦିନକ ପରେ ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ଯ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢ଼େ ୬ଟାରେ ବସିବ ବୈଠକ । ୧୨ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର । କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୨ରୁ ଅଧିକ ପ୍ରସ୍ତାବ ଆସିପାରେ । ରାଜ୍ୟ ସରକାରଙ୍କ ଫୋକସରେ ରହିଛନ୍ତି ଚାଷୀକୂଳ ।

କୃଷକଙ୍କୁ କିଭଳି ଅଧିକ ସଶକ୍ତ କରାଯିବ ସେନେଇ ବିଭାଗ ପକ୍ଷରୁ ହେବାକୁ ଥିବା ମିଶନକୁ ପୂରଣ କରିବାକୁ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ । ଏହାସହ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଜଳସମ୍ପଦ ବିଭା ଗ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅଣାଯିବ । ଦକ୍ଷତା ବିକାଶ ବିଭାଗର କ୍ୟାଡର ପୁନର୍ଗଠନ ସମ୍ପର୍କିତ ପ୍ରସ୍ତାବ ସହ ବିଭାଗ ଅଧିନରେ ନୂବଆ ପଦ ସୃଷ୍ଟି ପ୍ରସ୍ତାବକୁ ମିଳିପାରେ କ୍ୟାବିନେଟ୍ ଅନୁମୋଦନ । ସେହିପରି, ଆଇଟି, ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତାବ ଆସିବା ନେଇ ସୂଚନା ମିଲିଛି ।

ବର୍ଷେ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

ସମ୍ୱଲପୁର: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରାକୁ ନା । ଗୋଟିଏ ବର୍ଷ ପାଇଁ ବଳବତ୍ତର ରହିବ କଣାକଣା । ମହରମ ପାଇଁ ଆଜି ଡିଆରଡିଏଙ୍କ ସମ୍ମିଳନୀ କକ୍ଷରେ ବସିଥିବା ଶାନ୍ତି କମିଟି ବୈଠକରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ସମ୍ବଲପୁରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତି ବର୍ଷ ମହରମ ଶୋଭାଯାତ୍ରା ବିଭିନ୍ନ ଅଞ୍ଚଳରୁ ଆସି ଗୋଲବଜାରରେ ସାମିଲ ହେଉଥିଲେ । ଚଳିତ ବର୍ଷ କିନ୍ତୁ ଶୋଭାଯାତ୍ରା ଆଉ ବାହାରିବ ନାହିଁ । ଯେଉଁ ଅଞ୍ଚଳର ଶୋଭାଯାତ୍ରା ସେହି ଅଞ୍ଚଳରେ ଆୟୋଜନ ହେବ । କିନ୍ତୁ ଶୋଭାଯାତ୍ରା ଆୟୋଜନ ପୂର୍ବରୁ ନିଜ ଅଞ୍ଚଳର ଥାନା ଠାରୁ ଅନୁମତି ନେବାକୁ ପଡିବ ବୋଲି ଏସପି କହିଛନ୍ତି ।

ସାଉଦି ଆରବରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାଉଦି ଆରବରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାରୁ ୩୩ ଜଣ ଶ୍ରମିକଙ୍କୁ ଗୋଟିଏ ଠିକା ସଂସ୍ଥା ଗତବର୍ଷ ସାଉଦି ଆରବ ପଠାଇଥିଲା । ସେମାନଙ୍କୁ ୬ ମାସର ଭିସା ଦେଇ ପଠାଇଥିଲା କମ୍ପାନୀ ।

ଭିସା ଅବଧି ସରିଯିବା ପରେ ସମ୍ପୃକ୍ତ କମ୍ପାନୀ ଆଉ ଧରାଛୁଆଁ ଦେଉନି । ଭିସା ନଥିବାରୁ ୩୩ ଜଣ ଶ୍ରମିକ ସାଉଦି ଆରବରେ ଭୋକ ଉପାସରେ ଅଛନ୍ତି । କମ୍ପାନୀ ଶ୍ରମିକଙ୍କ ଦରମା ବି ବକେୟା ରଖିଛି । ଏପରିକି ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ମଧ୍ୟ ଠିକା ସଂସ୍ଥା ପକ୍ଷରୁ କୌଣସି ଉଦ୍ୟମ କରାଯାଉନି । ଏ ନେଇ ଶ୍ରମିକମାନେ ଗୋଟିଏ ଭିଡିଓ ଜାରି କରି ଭାଇରାଲ୍‌ କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ ଗଲ୍‌ଫ ର ଓଡ଼ିଆ ସୋସାଇଟି ସହିତ ଯୋଗାଯୋଗ କରି ଶ୍ରମିକମାନଙ୍କ ଟେଲିଫୋନ୍‌ ନମ୍ବର ସଂଗ୍ରହ କରିଥିଲେ । ପରେ ଓଡ଼ିଆ ସୋସାଇଟିର କର୍ମକର୍ତ୍ତା ଶ୍ରମିକଙ୍କୁ ଭେଟି ସେମାନଙ୍କ ଉଦ୍ଧାର ତ୍ବାରାନ୍ବିତ କରିବାକୁ ନିର୍ଦ୍ଦେଶାଳୟକୁ ଜଣାଇଥିଲେ ।

ଓଡିଶା ଐତିହ୍ୟ ସୁରକ୍ଷା ପାଇଁ ଦିଲ୍ଲୀରେ ଉଠିଲା ସ୍ବର, ସଂସଦରେ କେନ୍ଦ୍ରକୁ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦ ।

ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର ୮୦ଟି ଐତିହ୍ୟସ୍ଥଳ ରହିଛି । ୨୦୨୧-୨୨ରେ ୩ କୋଟି ୩୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୧୧ କୋଟି ୫୬ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି । ସଂଗୃହୀତ ରାଜସ୍ବ କନସୋଲିଡେଟେଡ୍ ଫଣ୍ଡରେ ଜମା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ସେହିପରି ଦିଲ୍ଲୀରେ କେନ୍ଦ୍ରୀୟ ମ୍ୟୁଜିକ ଲାଇବ୍ରେରୀ ଖୋଲିବା ଯୋଜନା ଅଛି କି ବୋଲି ସଂସଦରେ ପ୍ରଶ୍ନ କରିଛନ୍ତି ବିଜେଡିର ଦୁଇ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି, ସଂଗୀତ ନାଟକ ଏକାଡେମୀ ଏକ ସ୍ବୟଂଶାସିତ ସଂସ୍ଥା । ଶାସ୍ତ୍ରୀୟ ସଂଗୀତ, କଳାର ସଂରକ୍ଷଣ ପାଇଁ ଏହା କାର୍ଯ୍ୟ କରୁଛି । ବହୁ ଲୋକ ଓ ଶାସ୍ତ୍ରୀୟ ସଂଗୀତ ସମ୍ପର୍କିତ ଲିଟରେଚର ଏକାଡେମୀରେ ସଂରକ୍ଷିତ ରହିଛି । ଏକାଡେମୀର ଅଡିଓ ଭିଜୁଆଲ ଲାଇବ୍ରେରୀରେ ବହୁ କୃତୀ ସଂରକ୍ଷିତ ରହିଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ: ବିଜେଡି

ଭୁବନେଶ୍ୱର: ଓଡ଼ିଶାର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ବିଜେପିର ଦରଦ ନାହିଁ । ସେମାନେ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରିବା ଜାଣନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବା ଲାଗି ରାଜ୍ୟ ବିଜେପି ନେତାମାନଙ୍କର ସତ୍‌ ସାହସ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରସଙ୍ଗରେ ବିଜେପି ନେତାଙ୍କ ବୟାନ ଉପରେ ବିଜେଡି ଏଭଳି ବର୍ଷିଛି ।

କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ତଥା ବିଜେଡି ନେତା ସଞ୍ଜିତ ମହାନ୍ତି କହିଛନ୍ତି, ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷ ପାଇଁ ତନିଟି ପର୍ଯ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ ଓ ପ୍ରୋତ୍ସାହନ ରାଶି ଦେଇସାରିଲାଣି । ଏଥିରୁ ୫୬ କୋଟି ଟଙ୍କା ଗତକାଲି ପ୍ରଦାନ କରାଯାଇଛି । କୌଣସି ରାଜ୍ୟ କେବେ ବି ଗୋଟିଏ ବର୍ଷରେ ଏତେ ଟଙ୍କା ଦେଇନାହାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ, ବିଜେପି ନେତା ଏନେଇ ମୁହଁ ଖୋଲିବେନି ।

କାରଣ ସତ କହିଲେ ସେମାନଙ୍କ ଛାତି ଫାଟିଯିବ । କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ପାଇଁ ରାଜ୍ୟ ସରକାର ଲଗାତାର ଦାବି କରିଆସୁଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତା କେବେବି କେନ୍ଦ୍ର ପାଖରେ ଏହି ଦାବି ଉଠାଇନାହାନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରନ୍ତି ବିଜେପି ନେତା । ସେଥିପାଇଁ ଅଧିକାଂଶ ତୋଳାଳି ଥିବା ପଦ୍ମପୁର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରତ୍ୟାଖ୍ୟାତ ହୋଇଛି ବୋଲି ବିଜେଡି ନେତା ତଥା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି କହିଛନ୍ତି ।

ଜୀବନ ମାଗୁଛି କୁନି ଝିଅ ଆରିଫା, ଦୁଇଟି ଯାକ କିଡନୀ ନଷ୍ଟ ହେବା ପରେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ସୁନ୍ଦରଗଡ଼: ଜୀବନ ମାଗୁଛି କୁନି ଝିଅ ଆରିଫା ଫାତିମା । କେତେବେଳେ ମ୍ୟୁଜିକର ତାଳେ ତାଳେ ନିର୍ଦ୍ଧୁମ ନାଚୁଥିଲା ପାଦ ତ କେତେବେଳେ ଅଭିନୟରେ ଜିଣୁଥିଲା ସଭିଙ୍କ ହୃଦୟ । ହେଲେ ଆଜି ମଉନ ପାଲଟିଛି ମତୁଆଲା ମନ । ଥକି ଯାଇଛି ଅଥୟ ପାଦ । ଅଭିନୟର ଆଖିରେ ବସା ବାନ୍ଧିଛି ଅଭିମାନର ଲୁହ । ଦିନେ ଷ୍ଟେଜରେ କରତାଳି ଶୁଣୁଥିବା କୁନି ଝିଅ ଏବେ କିଡନୀ ରୋଗରେ ଭାଙ୍ଗିପଡ଼ିଛି । ଖେଳନା ଭିତରେ ଖୁସି ଖୋଜୁଥିବା ଝିଅ ହେଲେ ସୁନ୍ଦରଗଡ଼ ସହରର ଆରିଫା ଫାତିମା । ବୟସ ମାତ୍ର ୧୦ ବର୍ଷ । ସ୍ବପ୍ନ ଅଛି ବଡ଼ ହୋଇ ଡାକ୍ତର ବନିବି । ଲୋକଙ୍କ ସେବା କରିବି । ହେଲେ ବୟସ ପୂର୍ବରୁ କଅଁଳ ଦେହକୁ ଛୁଇଁଥିବା ରୋଗ ଆରିଫାକୁ ନିରାଶ କରିଛି ।

ଦୁଇଟି କିଡନୀ ଖରାପ ହୋଇଥିବା ବେଳେ ଏବେ କେବଳ ପ୍ରତ୍ୟାରୋପଣ ହିଁ ଏକମାତ୍ର ବିକଳ୍ପ । ପାଦରେ ଘୁଙ୍ଗୁର ବାନ୍ଧି କଥକ ନାଚୁଥିବା ଆରିଫା ଏବେ କେବଳ ସ୍ବପ୍ନ ଦେଖୁଛି । ତିଆରି ହୋଇଥିବା ପୋଷାକକୁ ଦେଖି ଲୁହ ଗଡ଼ାଉଛି । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲେସିସ ଚାଲିଛି । କିଡନୀ ପ୍ରତ୍ୟାରୋପଣ କରିବାକୁ ହେଲେ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗୁଛନ୍ତି ବାପା ମାଆ । ଜୀବନର ବାସ୍ତବତାକୁ ବୁଝିନଥିବା ଝିଅ ଏବେ ଭରସା ରଖିଛି ପୁଣି ସେ ନାଚିବ ଆଉ ପାଠ ପଢ଼ିବ । କୁନି ଝିଅଟି ଛଳ ଛଳ ଆଖିରେ କହିଛି ମୋର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ।

କେତେ ଦିନ ଏମିତି ଡାୟାଲିସିସ ଚାଲିବ । ପ୍ରାଇଭେଟ୍‌ ହସ୍ପିଟାଲରେ ଡାୟାଲିସିସ ପାଇଁ ଆମ ପାଖରେ ଅର୍ଥ ନାହିଁ । ମୋତେ ପାଠ ପଢ଼ିବାକୁ ଭାରି ଭଲ ଲାଗେ ।  ମୁଁ ଡାକ୍ତର ହେଲେ ଲୋକଙ୍କୁ ଡାୟାଲିସିସରୁ ବଞ୍ଚେଇବି । ଯେମିତି କାହାକୁ କିଛି କଷ୍ଟ ହେବନି । ଏମିତି ଗେଲେଇ ଗେଲେଇ କଥା କହୁଛି ସୁନ୍ଦରଗଡ଼ର ଆରିଫା । ଯେତେ ଥର ତା କଥା ଶୁଣିଲେ ମଧ୍ୟ ବିରକ୍ତ ଲାଗୁନି । ମିଠା ମିଠା କଥାରେ ମନ କିଣି ନେଉଛି ଆରିଫା ? ହେଲେ ତା କଷ୍ଟ କଥା ଭାବିଲା ବେଳକୁ ଆଖି ଲୁହରେ ଭରି ଯାଉଛି । କାହିଁକି ନିର୍ଦ୍ଦୟ ସାଜିଲେ ଭଗବାନ ? ଆଗକୁ ସ୍କୁଲ ଛୁଟି ହେବ । ସବୁ ପିଲା ଆଇ ଘରକୁ ପିଉସୀ ଘରକୁ ଯିବେ ଛୁଟି ମନେଇବାକୁ । ହେଲେ ଯାଇ ପାରିବନି ଆରିଫା

। କେମିତି ଯିବ ? ଦଇବ ଦାଉ ସାଜିଛି ? ଅଢ଼େଇ ବର୍ଷ ହେଲା ଆରିଫାର ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି । ବାପା ମା’ ଆରିଫାକୁ ଭଲ କରିବା ପାଇଁ ଅହରହ ଲାଗି ପଡ଼ିଛନ୍ତି । ହେଲେ ଅର୍ଥ ସାଜିଛି ବାଧକ । ରାତି ଅଧରେ କେତେବେଳେ ଆରିଫା ଅଣନିଶ୍ୱାସୀ ହେଇ ଯାଉଛି ତ କେତେବେଳେ ନିସ୍ତେଜ । ଡାୟାଲିସିସ ପାଇଁ କେତେବେଳେ ଭୁବନେଶ୍ୱର ତ କେତେବେଳେ କଟକ ଯିବାକୁ ପଡ଼ୁଛି । ସପ୍ତାହରେ ଦୁଇରୁ ୩ ଥର ଆରିଫାକୁ ଡାୟାଲିସିସର ଆବଶ୍ୟକତା ପଡ଼ୁଛି । ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ଅହରହ ଜୀବନ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଫାତିମା । ଯଦି ସରକାରଙ୍କ କୌଣସି ସହାୟତା ଯୋଗାଇ ଦିଅନ୍ତି ତେବେ ଆରିଫା ଏବଂ ପରିବାର ଉପକୃତ ହେବେ ବୋଲି କହିଛନ୍ତି ।

ସୁଶାନ୍ତ ନାୟକ ହତ୍ୟାକାଣ୍ଡ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ୱର: ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼ । ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ପୋଲିସ ଦେଖାଇବ ତାର ଅସଲ ରୂପ । ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଆଜି ଦେଖାଇଛି ପୁରା ଫିଲ୍ମ । ଗତ ମେ’ ୨୫ ତାରିଖ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା କ୍ୟାପିଟାଲ ଥାନା ପୋଲିସ ।

ଏହି ଘଟଣା ରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ମାନେ ଥିଲେ ବିଶାଲ ନାୟକ, ଅଜିତ ନାୟକ, ସୁଜିତ ନାୟକ ଓ ଟିକିଲି ନାୟକ । ଏମାନେ ଦୀର୍ଘଦିନ ଧରି ସରକାରୀ ଜାଗାରେ ଘର କରି ନିଶା ବେପାର କରିବା ସହ ଅପରାଧ ଘଟଉଥିଲେ । ସେହିପରି ଗତ କିଛି ଦିନ ତଳେ ୟୁନିଟ ୬ ଅଞ୍ଚଳରେ ରହୁଥିବା ଜଣେ ବିଧାନସଭା ଏଏସଓ ଙ୍କ ଘରୁ ଚୋରି ଘଟଣାରେ ମଧ୍ୟ ଅଭିଯୁକ୍ତଙ୍କ ଘର ଭାଙ୍ଗି ଅପରାଧୀଙ୍କୁ କଡା ଚେତାବନୀ ଦେଇଛି ପୋଲିସ । ଅପରାଧ ଓ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି କମିଶନରେଟ ପୋଲିସ ଆପଣାଉଥିବା ସୂଚନା ଦେଇଛନ୍ତି ଏସିପି ।

ଆସନ୍ତା ୨୪ରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଜୁଲାଇ ଶେଷ ପର୍ଯ୍ୟନ୍ତ ନନଷ୍ଟପ୍ ବର୍ଷା ସମ୍ଭାବନା ରହିଛି । ତଳ ମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ସେଥିପାଇଁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଛାତ୍ରୀଙ୍କୁ ରସିକିଆ ଭୂଗୋଳ ମାଷ୍ଟରଙ୍କ ପ୍ରେମ ନିବେଦନ, ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ

ଭୁବନେଶ୍ୱର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାର ଦ୍ବାରସ୍ଥ ହେଲେ ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଘଟଣା । ଭରତପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ରୀ ଭୂଗୋଳ ଶିକ୍ଷକ କାଳୁ ବଡ଼ଜେନାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ପ୍ରଥମେ ପ୍ରେମ ନିବେଦନ ଓ ପରେ ପାର୍କ ଯିବାକୁ ବାଧ୍ୟ କରିବା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ।

ମାସେ ହେବ ହଇରାଣ କରୁଥିବା କହୁଛନ୍ତି ଛାତ୍ରୀ । ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ ଦେବା ସହ ପରୀକ୍ଷାରେ ଆଗୁଆ ନୋଟ୍ ବୁକ୍ ଦେଇ ପ୍ରେମ ଭିକ୍ଷା କରିଛନ୍ତି। ବାଟରେ ଅଟକାଇ ଘରେ କେହି ନଥିବା ବେଳେ ଘରକୁ ଯିବାକୁ ବାଧ୍ୟ କରିଥିଲେ ଭୂଗୋଳ ସାର୍। ସେପଟେ ଭୁଗୋଳ ଶିକ୍ଷକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଭରତପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଛାତ୍ରୀ ଓ ଛାତ୍ରୀଙ୍କ ପରିବାର ।