ଜୀବନ ମାଗୁଛି କୁନି ଝିଅ ଆରିଫା, ଦୁଇଟି ଯାକ କିଡନୀ ନଷ୍ଟ ହେବା ପରେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ସୁନ୍ଦରଗଡ଼: ଜୀବନ ମାଗୁଛି କୁନି ଝିଅ ଆରିଫା ଫାତିମା । କେତେବେଳେ ମ୍ୟୁଜିକର ତାଳେ ତାଳେ ନିର୍ଦ୍ଧୁମ ନାଚୁଥିଲା ପାଦ ତ କେତେବେଳେ ଅଭିନୟରେ ଜିଣୁଥିଲା ସଭିଙ୍କ ହୃଦୟ । ହେଲେ ଆଜି ମଉନ ପାଲଟିଛି ମତୁଆଲା ମନ । ଥକି ଯାଇଛି ଅଥୟ ପାଦ । ଅଭିନୟର ଆଖିରେ ବସା ବାନ୍ଧିଛି ଅଭିମାନର ଲୁହ । ଦିନେ ଷ୍ଟେଜରେ କରତାଳି ଶୁଣୁଥିବା କୁନି ଝିଅ ଏବେ କିଡନୀ ରୋଗରେ ଭାଙ୍ଗିପଡ଼ିଛି । ଖେଳନା ଭିତରେ ଖୁସି ଖୋଜୁଥିବା ଝିଅ ହେଲେ ସୁନ୍ଦରଗଡ଼ ସହରର ଆରିଫା ଫାତିମା । ବୟସ ମାତ୍ର ୧୦ ବର୍ଷ । ସ୍ବପ୍ନ ଅଛି ବଡ଼ ହୋଇ ଡାକ୍ତର ବନିବି । ଲୋକଙ୍କ ସେବା କରିବି । ହେଲେ ବୟସ ପୂର୍ବରୁ କଅଁଳ ଦେହକୁ ଛୁଇଁଥିବା ରୋଗ ଆରିଫାକୁ ନିରାଶ କରିଛି ।

ଦୁଇଟି କିଡନୀ ଖରାପ ହୋଇଥିବା ବେଳେ ଏବେ କେବଳ ପ୍ରତ୍ୟାରୋପଣ ହିଁ ଏକମାତ୍ର ବିକଳ୍ପ । ପାଦରେ ଘୁଙ୍ଗୁର ବାନ୍ଧି କଥକ ନାଚୁଥିବା ଆରିଫା ଏବେ କେବଳ ସ୍ବପ୍ନ ଦେଖୁଛି । ତିଆରି ହୋଇଥିବା ପୋଷାକକୁ ଦେଖି ଲୁହ ଗଡ଼ାଉଛି । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲେସିସ ଚାଲିଛି । କିଡନୀ ପ୍ରତ୍ୟାରୋପଣ କରିବାକୁ ହେଲେ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗୁଛନ୍ତି ବାପା ମାଆ । ଜୀବନର ବାସ୍ତବତାକୁ ବୁଝିନଥିବା ଝିଅ ଏବେ ଭରସା ରଖିଛି ପୁଣି ସେ ନାଚିବ ଆଉ ପାଠ ପଢ଼ିବ । କୁନି ଝିଅଟି ଛଳ ଛଳ ଆଖିରେ କହିଛି ମୋର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ।

କେତେ ଦିନ ଏମିତି ଡାୟାଲିସିସ ଚାଲିବ । ପ୍ରାଇଭେଟ୍‌ ହସ୍ପିଟାଲରେ ଡାୟାଲିସିସ ପାଇଁ ଆମ ପାଖରେ ଅର୍ଥ ନାହିଁ । ମୋତେ ପାଠ ପଢ଼ିବାକୁ ଭାରି ଭଲ ଲାଗେ ।  ମୁଁ ଡାକ୍ତର ହେଲେ ଲୋକଙ୍କୁ ଡାୟାଲିସିସରୁ ବଞ୍ଚେଇବି । ଯେମିତି କାହାକୁ କିଛି କଷ୍ଟ ହେବନି । ଏମିତି ଗେଲେଇ ଗେଲେଇ କଥା କହୁଛି ସୁନ୍ଦରଗଡ଼ର ଆରିଫା । ଯେତେ ଥର ତା କଥା ଶୁଣିଲେ ମଧ୍ୟ ବିରକ୍ତ ଲାଗୁନି । ମିଠା ମିଠା କଥାରେ ମନ କିଣି ନେଉଛି ଆରିଫା ? ହେଲେ ତା କଷ୍ଟ କଥା ଭାବିଲା ବେଳକୁ ଆଖି ଲୁହରେ ଭରି ଯାଉଛି । କାହିଁକି ନିର୍ଦ୍ଦୟ ସାଜିଲେ ଭଗବାନ ? ଆଗକୁ ସ୍କୁଲ ଛୁଟି ହେବ । ସବୁ ପିଲା ଆଇ ଘରକୁ ପିଉସୀ ଘରକୁ ଯିବେ ଛୁଟି ମନେଇବାକୁ । ହେଲେ ଯାଇ ପାରିବନି ଆରିଫା

। କେମିତି ଯିବ ? ଦଇବ ଦାଉ ସାଜିଛି ? ଅଢ଼େଇ ବର୍ଷ ହେଲା ଆରିଫାର ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି । ବାପା ମା’ ଆରିଫାକୁ ଭଲ କରିବା ପାଇଁ ଅହରହ ଲାଗି ପଡ଼ିଛନ୍ତି । ହେଲେ ଅର୍ଥ ସାଜିଛି ବାଧକ । ରାତି ଅଧରେ କେତେବେଳେ ଆରିଫା ଅଣନିଶ୍ୱାସୀ ହେଇ ଯାଉଛି ତ କେତେବେଳେ ନିସ୍ତେଜ । ଡାୟାଲିସିସ ପାଇଁ କେତେବେଳେ ଭୁବନେଶ୍ୱର ତ କେତେବେଳେ କଟକ ଯିବାକୁ ପଡ଼ୁଛି । ସପ୍ତାହରେ ଦୁଇରୁ ୩ ଥର ଆରିଫାକୁ ଡାୟାଲିସିସର ଆବଶ୍ୟକତା ପଡ଼ୁଛି । ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ଅହରହ ଜୀବନ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଫାତିମା । ଯଦି ସରକାରଙ୍କ କୌଣସି ସହାୟତା ଯୋଗାଇ ଦିଅନ୍ତି ତେବେ ଆରିଫା ଏବଂ ପରିବାର ଉପକୃତ ହେବେ ବୋଲି କହିଛନ୍ତି ।