କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ: ବିଜେଡି

ଭୁବନେଶ୍ୱର: ଓଡ଼ିଶାର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ବିଜେପିର ଦରଦ ନାହିଁ । ସେମାନେ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରିବା ଜାଣନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବା ଲାଗି ରାଜ୍ୟ ବିଜେପି ନେତାମାନଙ୍କର ସତ୍‌ ସାହସ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରସଙ୍ଗରେ ବିଜେପି ନେତାଙ୍କ ବୟାନ ଉପରେ ବିଜେଡି ଏଭଳି ବର୍ଷିଛି ।

କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ତଥା ବିଜେଡି ନେତା ସଞ୍ଜିତ ମହାନ୍ତି କହିଛନ୍ତି, ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷ ପାଇଁ ତନିଟି ପର୍ଯ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ ଓ ପ୍ରୋତ୍ସାହନ ରାଶି ଦେଇସାରିଲାଣି । ଏଥିରୁ ୫୬ କୋଟି ଟଙ୍କା ଗତକାଲି ପ୍ରଦାନ କରାଯାଇଛି । କୌଣସି ରାଜ୍ୟ କେବେ ବି ଗୋଟିଏ ବର୍ଷରେ ଏତେ ଟଙ୍କା ଦେଇନାହାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ, ବିଜେପି ନେତା ଏନେଇ ମୁହଁ ଖୋଲିବେନି ।

କାରଣ ସତ କହିଲେ ସେମାନଙ୍କ ଛାତି ଫାଟିଯିବ । କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ପାଇଁ ରାଜ୍ୟ ସରକାର ଲଗାତାର ଦାବି କରିଆସୁଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତା କେବେବି କେନ୍ଦ୍ର ପାଖରେ ଏହି ଦାବି ଉଠାଇନାହାନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରନ୍ତି ବିଜେପି ନେତା । ସେଥିପାଇଁ ଅଧିକାଂଶ ତୋଳାଳି ଥିବା ପଦ୍ମପୁର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରତ୍ୟାଖ୍ୟାତ ହୋଇଛି ବୋଲି ବିଜେଡି ନେତା ତଥା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି କହିଛନ୍ତି ।