ଛାତ୍ରୀଙ୍କୁ ରସିକିଆ ଭୂଗୋଳ ମାଷ୍ଟରଙ୍କ ପ୍ରେମ ନିବେଦନ, ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ

ଭୁବନେଶ୍ୱର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାର ଦ୍ବାରସ୍ଥ ହେଲେ ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଘଟଣା । ଭରତପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ରୀ ଭୂଗୋଳ ଶିକ୍ଷକ କାଳୁ ବଡ଼ଜେନାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ପ୍ରଥମେ ପ୍ରେମ ନିବେଦନ ଓ ପରେ ପାର୍କ ଯିବାକୁ ବାଧ୍ୟ କରିବା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ।

ମାସେ ହେବ ହଇରାଣ କରୁଥିବା କହୁଛନ୍ତି ଛାତ୍ରୀ । ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ ଦେବା ସହ ପରୀକ୍ଷାରେ ଆଗୁଆ ନୋଟ୍ ବୁକ୍ ଦେଇ ପ୍ରେମ ଭିକ୍ଷା କରିଛନ୍ତି। ବାଟରେ ଅଟକାଇ ଘରେ କେହି ନଥିବା ବେଳେ ଘରକୁ ଯିବାକୁ ବାଧ୍ୟ କରିଥିଲେ ଭୂଗୋଳ ସାର୍। ସେପଟେ ଭୁଗୋଳ ଶିକ୍ଷକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଭରତପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଛାତ୍ରୀ ଓ ଛାତ୍ରୀଙ୍କ ପରିବାର ।