spot_img
Home Blog Page 2844

ଖୋଲିଲା ହୀରାକୁଦର ଆଉ ୪ ଗେଟ୍ , ୧୨ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ

ସମ୍ୱଲପୁର :  ହୀରାକୁଦ ଖୋଲିଲା ଆଉ ୪ ଗେଟ୍ । ବାମପଟୁ ୮ଟି, ଡାହାଣ ପଟୁ ୪ଟି ଗେଟ୍ ଖୋଲିଛି । ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ଅଧିକ ଥିବାରୁ ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ । ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୧୪.୦୬ ଫୁଟ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୫୦ ହଜାର ଘନଫୁଟ ବନ୍ୟାଜଳ

ଗାନ୍ଧୀ ମୂର୍ତ୍ତି ତଳେ ନ୍ୟାୟ ପାଇଁ ଧାରଣା, ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦ

ନୂଆଦିଲ୍ଲୀ : ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗ । ରାତି ତମାମ ପାର୍ଲାମେଣ୍ଟ ପରିସରରେ ଧାରଣା । ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ ବିରୋଧୀ ସାଂସଦ । ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଗୃହରେ ଦାବି ଉଠାଇବାରୁ ସଞ୍ଜୟ ସିଂଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ବିରୋଧୀ ମହାମେଣ୍ଟରେ ଥିବା ସବୁ ଦଳର ସାଂସଦ । ମଣିପୁରରେ କାରଗିଲ ଯୋଦ୍ଧାଙ୍କ ପତ୍ନୀଙ୍କୁ ଉଲଗ୍ନ କରି ପରେଡ କରାଯାଇଥିବା ବେଳେ ସରକାର ଆଦୌ ସମ୍ବେଦନଶୀଳତା ଦେଖାଉନାହାନ୍ତି ।

ରୁଲ ୨୬୭ରେ ନୋଟିସ ଦେବା ସହ ଚର୍ଚ୍ଚା ପାଇଁ ଦାବି କରିବାରୁ ଆମ ଆଦମୀ ପାର୍ଟି ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାତି ତମାମ ଆପ୍ ସାଂସଦଙ୍କ ସହ କଂଗ୍ରେସ, ବିଆରଏସ୍, ଟିଏମସି, ସିପିଏମ, ସିପିଆଇ ଆଦି ଦଳର ସାଂସଦମାନେ ଧାରଣାରେ ବସିରହିଥିଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ସଞ୍ଜୟ ସିଂଙ୍କୁ ମୌସୁମୀ ଅଧିବେଶନର ସମସ୍ତ ଗୃହକାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

ମଣିପୁର ପ୍ରସଙ୍ଗରେ ଆଜି ବି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଗୃହକାର୍ଯ୍ୟ ଆରମ୍ଭରୁ ଇଣ୍ଡିଆ ମେଣ୍ଟ ଦଳର ସଦସ୍ୟଙ୍କ ବୈଠକରେ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଲୋକସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସାଂସଦ ମନିଷ ତିଓ୍ବାରୀ ଓ ଗୌରବ ଗୋଗୋଇ ମୁଲତବି ପ୍ରସ୍ତାବ ଦେଇଛନ୍ତି । ସେହିପରି ରାଜ୍ୟସଭାରେ ବି ରୁଲ ୨୬୭ ଅନୁସାରେ ଆଲୋଚନା ପାଇଁ ଆପ୍, ବିଆରଏସ୍, ଆରଜେଡି ଆଦି ଦଳର ସାଂସଦ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଛନ୍ତି ।

ରାଜ୍ୟରେ କମୁଛି ମୁଣ୍ଡପିଛା ଋଣବୋଝ; ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ : କମୁଛି ମୁଣ୍ଡପିଛା ଋଣବୋଝ । ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ସ୍ବୀକୃତି । ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡି଼ଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି। ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ବୀକାର କରିଛନ୍ତି ।

୫-ଟି ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା । ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇଚାଲିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖୁଥ‌ିବା ତଥ୍ୟ ଅନୁଯାୟୀ ୨୦୨୨- ୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶାର ଋଣଭାର କମିଛି ।

୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ ପ୍ରତିଶତ କମିଥିବା ବେଳେ ବାକି ଦେଶର ସମସ୍ତ ରାଜ୍ୟମାନଙ୍କର ଋଣଭାର ବଢ଼ିଛି । ୨୦୨୦- ୨୧ ଆର୍ଥିକ ବର୍ଷରେ ଓଡ଼ିଶା ଉପରେ ମୋଟ ରଣଭାର ୧୪୧୨୪୦ କୋଟି ଟଙ୍କା ଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧ ଦଶମିକ ୮ ପ୍ରତିଶତ ହ୍ରାସ ପାଇଥିଲା ।

ସେହିପରି ୨୦୨୧-୨୨ ବର୍ଷରେ ରଣଭାର ୧ ଲକ୍ଷ ୨୯ ହଜାର ୩୫୬ କୋଟିକୁ ହ୍ରାସ ପାଇଥିବା ବେଳେ ହ୍ରାସର ପ୍ରତିଶତ ୮୪ ପ୍ରତିଶତ ଥିଲା ଏହାପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣଭାର ୧୧୩୮୫୬ କୋଟିକୁ ହ୍ରାସ ପାଇବା ସହ ପୂର୍ବ ବର୍ଷ ତୁଳନାରେ ଋଣଭାର ୧୨ ପ୍ରତିଶତ କମିଥିବା ଅର୍ଥମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି । ରଣଭାର ହ୍ରାସ ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ।ବାକି ଅନ୍ୟ ସମସ୍ତ ରାଜ୍ୟର ରଣଭାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୧-୨୨ ତୁଳନାରେ ବୃଦ୍ଧି ପାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ତଥ୍ୟ ରଖିଛନ୍ତି ।

ଶୋଇଥିବା ବେଳେ ଚୋଟ ମାରିଲା ବିଷାକ୍ତ ଚିତି ସାପ ; ଗୋଟିଏ ପରିବାରର ଦୁଇ ଶିଶୁ ମୃତ

ଦେବଗଡ଼ : ଦେବଗଡ଼ରେ ଜାଙ୍ଗଲିକୁଦର ଗାଁରେ ଅଭାବନୀୟ ଘଟଣା । ଶୋଇଥିବା ବେଳେ ଚୋଟ ମାରିଲା ବିଷାକ୍ତ ଚିତି ସାପ । ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁ ଦ୍ବୟ ଦେବଗଡ଼ ଥାନା ଜାଙ୍ଗଲିକୁଦର ଗାଁର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ପୁତ୍ର ୧୪ ବର୍ଷୀୟ ଗୌରାଙ୍ଗ ଦେହୁରୀ ଓ ୮ ବର୍ଷୀୟ ସୌଭାଗ୍ୟ ଦେହୁରୀ ।

ଅନ୍ୟ ଦିନ ଭଳି ଗତକାଲି ରାତିରେ ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ଭୋରରେ ବିଷାକ୍ତ ଚିତି ସାପ ୨ପୁଅଙ୍କୁ ଦଂଶନ କରିଥିଲା । ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ, ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି  । ଏହି ଘଟଣାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଲିଫ୍ଟ ମାଗିଲେ, ପୋଲିସ ପରିଚୟ ଦେଇ ଲୁଟିଲେ

ଭୁବନେଶ୍ୱର : ଲିଫ୍ଟ ମାଗିଲେ, ପୋଲିସ ପରିଚୟ ଦେଇ ଲୁଟିଲେ । ଯାହାକୁ ଲୁଟିଲେ ସେହି ଲୋକ ହାତରେ ଧରା ପଡିଲେ । ଏମିତି ଏକ ଘଟଣା ଘଟିଛି ପାହାଳ ଜଗନ୍ନାଥ ମନ୍ଦିର ନିକଟରେ । ପଦିଆ ଦାସ ପେଷାରେ ଜଣେ ଟେକ୍ନିସିଆନ ଏବଂ ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଗତ ୩ ତାରିଖରେ କାମ ସାରି ଫରୁଥିବା ସମୟରେ ଜଣେ ମହିଳା ପାହାଳ ଜଗନ୍ନାଥ ମନ୍ଦିର ନିକଟରେ ତାଙ୍କୁ ଲିଫ୍ଟ ମାଗିଥିଲେ । କିଛିବାଟ ଆସିବା ପରେ ରାସ୍ତାରେ ଅଟକାଇ ନିଜକୁ ପୋଲିସ ବୋଲି ପରିଚୟ ଦେଇ ପଦିଆଙ୍କ ବ୍ୟାଙ୍ଗ ଚେକ୍ କରିଥିଲେ । ପରେ ୩୫ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ଗତକାଲି ପଦିଆ ଘରକୁ ଫେରୁଥିବାବେଳେ ଲକ୍ଷେଶ୍ବର ମନ୍ଦିରରେ ସଂପୃକ୍ତ ମହିଳାଙ୍କୁ ଦେଖି ତାଙ୍କ ପିଛା କରିଥିଲେ । ମହିଳାଜଣକ ତାଙ୍କୁ ଦେଖି ଦୌଡ଼ି ପଳାଉଥିବାବେଳେ ପିସିଆର ସହାୟତାରେ ତାଙ୍କୁ ଗିରଫ କରିଥିଲେ । ପୋଲିସ ଅଭିଯୁକ୍ତା ମହିଳା ଉର୍ମିଳା ବାରିକଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ୍ ।

ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୨ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରୀୟ ଲଘୁଚାପ କ୍ଷେତ୍ର । ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଗତ କାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି |
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର-ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଆଜିଠୁ ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଏଥିପାଇଁ ୨୨ଟି ଜିଲ୍ଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ସେପଟେ ୨୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ : ଆଜି ବସିବ କ୍ୟାବିନେଟ୍ ସବ୍-କମିଟି ବୈଠକ

ଭୁବନେଶ୍ୱର : ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଆଜି ବସିବ କ୍ୟାବିନେଟ୍ ସବ୍-କମିଟିର ପ୍ରଥମ ବୈଠକ । ଲୋକସେବା ଭବନରେ ଦିନ ୧୧ଟାରେ ବସିବ ବୈଠକ । ସବ କମିଟି ଅଧ୍ୟକ୍ଷ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ କକ୍ଷରେ ହେବ ବୈଠକ । ଦରମା ବୃଦ୍ଧି ନେଇ ଉପଦେଷ୍ଟା କମିଟିର ସୁପାରିଶକୁ କ୍ୟାବିନେଟ ସବ-କମିଟି ତର୍ଜମା କରିବ । ସୂଚନା ଅନୁସାରେ ଉପଦେଷ୍ଟା କମିଟିର ସୁପାରିଶ ପରେ ରାଜ୍ୟ ସରକାର ଗତ ମାର୍ଚ୍ଚ ୩୧ ତାରିଖରେ ଅଧିକ ଅନୁଧ୍ୟାନ ପାଇଁ କ୍ୟାବିନେଟ ସବ-କମିଟି ଗଠନ କରିଥିଲେ । କ୍ୟାବିନେଟ ସବ କମିଟିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ରାଜସ୍ବ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଆଇନମନ୍ତ୍ରୀ ସଦସ୍ୟ ଅଛନ୍ତି ।.

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସୁରକ୍ଷା ଦାୟିତ୍ବରେ ୩୬ ପ୍ଲାଟୁନ ପୋଲିସ

ଭୁବନେଶ୍ୱର :  ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ଓଡିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ପରେ ରାଜଭବନରେ ରାତ୍ରୀ ଯାପାନ କରିବେ ମହାମହିମ  । କଟକରେ ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।

କଟକ ଚଣ୍ଡୀ ମନ୍ଦିର, ଉତ୍କଳଗୌରବ ମଧୁସୁଦନ ଦାସଙ୍କ ବାସ ଭବନ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଉଚ୍ଚ ନ୍ୟାୟାଳୟର ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟ କଟକର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକୋତ୍ସବରେ ଯୋଗଦାନ କରିବେ  ।  ସେହିପରି ୨୭ତାରିଖରେ ଭୁବନେଶ୍ବର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି  । ପରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି  ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି  । ସିକ୍ୟୁରିଟି, ଟ୍ରାଫିକ, ରୁଟ ଲାଇନିଂ, ପାର୍କିଂକୁ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ସାଧାରଣ ଲୋକଙ୍କୁ କିଭଳି ଅଧିକ ଟ୍ରାଫିକ ସମସ୍ୟା ନହେବ ସେ ନେଇ ଅଧିକ ଧ୍ୟାନ ଦିଆଯାଇଛି । ପୁରା ସିକ୍ୟୁରିଟି ଆରେଞ୍ଜମେଣ୍ଟରେ ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର, ୧୨୦ ସବଇନ୍ସପେକ୍ଟର, ଏଏସଆଇ ରହିବେ । ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ବରେ ରହିବେ ୩୬ ପ୍ଲାଟୁନ ପୋଲିସ । ଏଥିସହ ୩ଟି କୁଇକ ରେସପନ୍ସ ଟିମ, ୨ ଟି ଟାକ୍ଟିକାଲ ୟୁନିଟ୍, ୧୬୦ ଟ୍ରାଫିକ କର୍ମଚାରୀ, ୧୫୦ ହୋମଗାର୍ଡ ମଧ୍ୟ ମୁତୟନ ହେବେ । ଏଥିସହ ଫାୟାର ବ୍ରିଗେଡ଼, ଆମ୍ବୁଲାନ୍ସ ଆଦି ବ୍ଲୁ ବୁକ ଗାଇଡଲାଇନ ଅନୁଯାୟୀ ରୁଟ ଲାଇନିଂ ହେବ । ସମସ୍ତ କାର୍ଯ୍ୟକ୍ରମ ସଡକ ପଥରେ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା ନେଇ ଅଧିକ ସଜାଗ ପୋଲିସ୍ ।

ସିଲିକନ ଭ୍ୟାଲିରେ ହେବ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରତିନିଧି ମଣ୍ଡଳୀ

କାର୍ଲିଫୋନିଆ: ଆମେରିକାରେ ଆହୁରି ପରିବ୍ୟାପ୍ତ ହେବ ଶ୍ରୀଜଗନ୍ନାଥ ସଂସ୍କୃତି । ବିଶ୍ବର ଆଇଟି ହବ ଭାବେ ପରିଚିତ ସପ୍ଟଓୟାର ସିଟି ସିଲିକନ ଭ୍ୟାଲିରେ ହେବ ବିଶାଳ ଓ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ । ଏହାସହ ସେଠାରେ ଏକ ସଂସ୍କୃତିକ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ । ୯ ଏକର ପରିମିତ ସ୍ଥାନରେ ହେବ ଭବ୍ୟ ନିର୍ମାଣ । ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଏହା ଆମେରିକା-ଓଡ଼ିଶା ମଧ୍ୟରେ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରତିନିଧିମଣ୍ଡଳୀ ଆଶାବ୍ୟକ୍ତ କରିଛନ୍ତି ।

ପ୍ରକଳ୍ପକୁ ସଫଳ କରିବାକୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଛି । ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ବରେ ଆମେରିକା ଯାଇଥିବା ଟିମରେ ଉନ୍ନୟନ କମିଶନର ଅନୁ ଗର୍ଗ, 5T ସଚିବ ଭି.କେ ପାଣ୍ଡିଆନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ସାମିଲ ଅଛନ୍ତି । ଆମେରିକାରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାବେଳେ ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଟିମର ସଦସ୍ୟମାନେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଓଡ଼ିଶା ଟିମର ସଦସ୍ୟମାନେ କମ୍ପ୍ଲେକ୍ସ ହେବାକୁ ଥିବା ସ୍ଥାନରେ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ ।

ରାଜ୍ୟରେ ୭ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ରହିବେନି ଡାକ୍ତର ଅଭାବ । ୭ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ OPSCକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ OPSC ପଦକ୍ଷେପ ନେବ । ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ୨ ହଜାର ୫୦୦ ପଦବୀ ରହିଥିବାବେଳେ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୨ ହଜାର ୪୬୫ ପଦବୀ ରହିଛି । ସେହିପରି ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ୧୫୯୭ ପଦବୀ ରହିଛି । SEBC ପ୍ରାର୍ଥୀଙ୍କ ପାଇଁ ୭୧୪ ପଦବୀ ସଂରକ୍ଷିତ ।