ଗାନ୍ଧୀ ମୂର୍ତ୍ତି ତଳେ ନ୍ୟାୟ ପାଇଁ ଧାରଣା, ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦ

ନୂଆଦିଲ୍ଲୀ : ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗ । ରାତି ତମାମ ପାର୍ଲାମେଣ୍ଟ ପରିସରରେ ଧାରଣା । ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ ବିରୋଧୀ ସାଂସଦ । ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଗୃହରେ ଦାବି ଉଠାଇବାରୁ ସଞ୍ଜୟ ସିଂଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ବିରୋଧୀ ମହାମେଣ୍ଟରେ ଥିବା ସବୁ ଦଳର ସାଂସଦ । ମଣିପୁରରେ କାରଗିଲ ଯୋଦ୍ଧାଙ୍କ ପତ୍ନୀଙ୍କୁ ଉଲଗ୍ନ କରି ପରେଡ କରାଯାଇଥିବା ବେଳେ ସରକାର ଆଦୌ ସମ୍ବେଦନଶୀଳତା ଦେଖାଉନାହାନ୍ତି ।

ରୁଲ ୨୬୭ରେ ନୋଟିସ ଦେବା ସହ ଚର୍ଚ୍ଚା ପାଇଁ ଦାବି କରିବାରୁ ଆମ ଆଦମୀ ପାର୍ଟି ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାତି ତମାମ ଆପ୍ ସାଂସଦଙ୍କ ସହ କଂଗ୍ରେସ, ବିଆରଏସ୍, ଟିଏମସି, ସିପିଏମ, ସିପିଆଇ ଆଦି ଦଳର ସାଂସଦମାନେ ଧାରଣାରେ ବସିରହିଥିଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ସଞ୍ଜୟ ସିଂଙ୍କୁ ମୌସୁମୀ ଅଧିବେଶନର ସମସ୍ତ ଗୃହକାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

ମଣିପୁର ପ୍ରସଙ୍ଗରେ ଆଜି ବି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଗୃହକାର୍ଯ୍ୟ ଆରମ୍ଭରୁ ଇଣ୍ଡିଆ ମେଣ୍ଟ ଦଳର ସଦସ୍ୟଙ୍କ ବୈଠକରେ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଲୋକସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସାଂସଦ ମନିଷ ତିଓ୍ବାରୀ ଓ ଗୌରବ ଗୋଗୋଇ ମୁଲତବି ପ୍ରସ୍ତାବ ଦେଇଛନ୍ତି । ସେହିପରି ରାଜ୍ୟସଭାରେ ବି ରୁଲ ୨୬୭ ଅନୁସାରେ ଆଲୋଚନା ପାଇଁ ଆପ୍, ବିଆରଏସ୍, ଆରଜେଡି ଆଦି ଦଳର ସାଂସଦ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଛନ୍ତି ।