ରାଜ୍ୟରେ କମୁଛି ମୁଣ୍ଡପିଛା ଋଣବୋଝ; ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ପ୍ରଶଂସା

1 min read

ନନ୍ଦିଘୋଷ ବ୍ୟୁରୋ : କମୁଛି ମୁଣ୍ଡପିଛା ଋଣବୋଝ । ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ସ୍ବୀକୃତି । ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡି଼ଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି। ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ବୀକାର କରିଛନ୍ତି ।

୫-ଟି ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା । ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇଚାଲିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖୁଥ‌ିବା ତଥ୍ୟ ଅନୁଯାୟୀ ୨୦୨୨- ୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶାର ଋଣଭାର କମିଛି ।

୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ ପ୍ରତିଶତ କମିଥିବା ବେଳେ ବାକି ଦେଶର ସମସ୍ତ ରାଜ୍ୟମାନଙ୍କର ଋଣଭାର ବଢ଼ିଛି । ୨୦୨୦- ୨୧ ଆର୍ଥିକ ବର୍ଷରେ ଓଡ଼ିଶା ଉପରେ ମୋଟ ରଣଭାର ୧୪୧୨୪୦ କୋଟି ଟଙ୍କା ଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧ ଦଶମିକ ୮ ପ୍ରତିଶତ ହ୍ରାସ ପାଇଥିଲା ।

ସେହିପରି ୨୦୨୧-୨୨ ବର୍ଷରେ ରଣଭାର ୧ ଲକ୍ଷ ୨୯ ହଜାର ୩୫୬ କୋଟିକୁ ହ୍ରାସ ପାଇଥିବା ବେଳେ ହ୍ରାସର ପ୍ରତିଶତ ୮୪ ପ୍ରତିଶତ ଥିଲା ଏହାପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣଭାର ୧୧୩୮୫୬ କୋଟିକୁ ହ୍ରାସ ପାଇବା ସହ ପୂର୍ବ ବର୍ଷ ତୁଳନାରେ ଋଣଭାର ୧୨ ପ୍ରତିଶତ କମିଥିବା ଅର୍ଥମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି । ରଣଭାର ହ୍ରାସ ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ।ବାକି ଅନ୍ୟ ସମସ୍ତ ରାଜ୍ୟର ରଣଭାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୧-୨୨ ତୁଳନାରେ ବୃଦ୍ଧି ପାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ତଥ୍ୟ ରଖିଛନ୍ତି ।