spot_img
Home Blog Page 2834

ବ୍ରିଜଟାଉନରେ କୁଲଦୀପ ଓ ଜାଡେଜା ଯାଦୁ, ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ବ୍ରିଜଟାଉନରେ କୁଲଦୀପ ଓ ଜାଡେଜା ଯାଦୁ । ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ । ମାତ୍ର ୨୩ ଓଭରରେ ଲକ୍ଷ୍ୟ ପୂରଣ ସହିତ ମ୍ୟାଚ ଜିତିଲା ଭାରତ । ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ୫ ଓ୍ବିକେଟରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଟସ୍ ଜିତି ବୋଲିଂ କରିଥିଲା ଭାରତ । ଭାରତୀୟ ବୋଲରଙ୍କ ଆଗରେ ମାତ୍ର ୨୩ ଓଭର ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ୨୩ ଓଭରରେ ଦଳ ମାତ୍ର ୧୧୪ ରନ କରି ଅଲଆଉଟ ହୋଇଯାଇଥିଲା । କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩ଟି ଓ୍ବେକେଟ ନେଇଥିଲେ । ସେହିପରି ଡେବ୍ୟୁ କରିଥିବା ମୁକେଶ କୁମାରଙ୍କ ସମେତ ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ ।

ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ସର୍ବାଧିକ ୪୩ ରନ କରିଥିଲେ । ଜବାବରେ ୨୩ ଓଭରରେ ଲକ୍ଷ୍ୟ ପୂରଣ କରି ମ୍ୟାଚ ଜିତିନେଇଥିଲା ଭାରତ । ଟିମ୍ ଇଣ୍ଡିଆର ଇଷାନ କିଶାନ ସର୍ବାଧିକ ୫୨ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୯ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଅପରାଜିତ ୧୬ ରନ କରିଥିବାବେଳେ କ୍ୟାପନେଟ ରୋହିତ ଶର୍ମା ୧୨ ରନ କରି ଅପରାଜିତ ରହିଥିଲେ ।

ପଟ୍ଟାମୁଣ୍ଡାଇରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ହେବାକୁ ଯାଉଥିବାବେଳେ କୁମ୍ଭୀର ଟାଣିନେଇଥିବା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପୁଣି କୁମ୍ଭୀର ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣିନେଇଥିବା ସନ୍ଦେହ । ପଟ୍ଟାମୁଣ୍ଡାଇ କୁଳସାହି ଗାଁ ବ୍ରାହ୍ମଣୀ ନଦୀ ନିକଟରେ ଘଟିଛି ଅଘଟଣ । ଗତକାଲିଠୁ ନିଖୋଜ ଅଛନ୍ତି ଅମୁଲ୍ୟ ଦାସ । ଗତକାଲି ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ନଦୀ ନିକଟରେ ତାଙ୍କର ବାଡି, ଚପଲ ମିଳିଛି । ଅମୁଲ୍ୟଙ୍କୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତି ଯାଏ ଗ୍ରାମବାସୀଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା, ଆଜି ସୁପ୍ରିମକୋର୍ଟରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ୧୫ ତାରିଖରେ ମାମଲାର ଶୁଣାଣି କରି ଇଡି ଓ ସିବିଆଇକୁ ନୋଟିସ କରିଥିଲେ । ୧୪ ଦିନ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇ ଓ ଇଡିର ଜବାବ ମିଳିବା ପରେ ଆଜି ଶୁଣାଣି କରିବାକୁ ଧାର୍ଯ୍ୟ କରିଥିଲେ ତିନି ଜଣିଆ ଖଣ୍ଡପୀଠ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଫେବ୍ରୁଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା । ଜୁଲାଇ ୩ରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଦେଇଥିଲେ  । ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କା ସମ୍ପତ୍ତି ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବନକଲାଗି ନୀତିକୁ ନେଇ ଥମୁନି ବିବାଦ, ଆଜି ବସିବ ନୀତି ସବ୍-କମିଟି ବୈଠକ

ପୁରୀ: ବନକ ଲାଗି ନୀତିକୁ ନେଇ ବଢୁଛି ବିବାଦ । ଆଜି ବସିବ ନୀତି ସବ୍-କମିଟି ବୈଠକ । ବୈଠକରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କେବେ ଓ କେଉଁଦିନ ହେବ, ସେନେଇ ନିଷ୍ପତ୍ତି ହେବ । ବୈଠକର ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ବନକଲାଗି ନୀତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ମୁଖ୍ୟ ପ୍ରଶାସକ । ଗତ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ନୀତି କରିବା ପାଇଁ ଦତ୍ତମହାପାତ୍ର ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗୁରୁବାର ବନକଲାଗି କରିବାକୁ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଆସିଥିଲେ ଦତ୍ତ ମହାପାତ୍ର ସେବାୟତ । ବନକ ଘରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନୀତି ନ କରିବାକୁ କହିଥିଲେ ଶ୍ରୀମନ୍ଦିର କମାଣ୍ଡର । ତେଣୁ ସେବକମାନେ ମୁଖ୍ୟ ପ୍ରଶାସକଙ୍କୁ ଭେଟି ବନକଲାଗି ନୀତି କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ପୂର୍ବରୁ ଉଭୟ ବୁଧବାର ଓ ଗୁରୁବାର ବନକଲାଗି ନୀତି ହୋଇଆସୁଥିବା ବେଳେ ପ୍ରଶାସନ ବୁଧବାର କରିବା ପାଇଁ କାହିଁକି ବାଧ୍ୟ କରୁଛି ସେନେଇ ପ୍ରଶ୍ନ କରିଛନ୍ତି ଦତ୍ତମହାପାତ୍ର ସେବାୟତ ।

ସମ୍ବଲପୁରରେ ଚାଞ୍ଚଲ୍ୟ, ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ

ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ । ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ । ଘରେ ଛାଡ଼ିଦେବାକୁ କହି ବାମରା ଅଞ୍ଚଳର ଜଣେ ଯୁବତୀଙ୍କୁ ଗୋବିନ୍ଦପୁର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବୋଲେରୋ ଗାଡିରେ ଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ୩ ଜଣ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ବୋଲେରୋ ଜବତ କରିବା ସହିତ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ଛାନବିନ୍ ଚଳାଇଛି ପୋଲିସ ।

ଆମେରିକାରୁ ଆସିବ ବଡ଼ ନିବେଶ, ସିଲିକନ ଭ୍ୟାଲିରେ ଆୟୋଜିତ ହେଲା ଇନଭେଷ୍ଟର୍ସ ମିଟ୍

କାଲିଫର୍ଣ୍ଣିଆ: ବିଦେଶ ମାଟିରେ ଓଡ଼ିଶା ଲେଖିଲା `ନବୀନ’ ଇତିହାସ। ଆମେରିକାରୁ ଆସୁଛି ବଡ଼ ନିବେଶ । ସେମିକଣ୍ଡକ୍ଟର ଶିଳ୍ପରେ ସଫଳତାର ନୂଆ ଅଧ୍ୟାୟ । ସିଲିକନ ଭ୍ୟାଲିରେ ଆୟୋଜିତ ହେଲା ଇନଭେଷ୍ଟର୍ସ ମିଟ୍ । ପୁଞ୍ଜି ନିବେଶ ନେଇ ବିଭିନ୍ନ କମ୍ପାନୀର CEOଙ୍କ ସହ ଆଲୋଚନା କରିଛନ୍ତି ପ୍ରତିନିଧି ଦଳ । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ସେମି କଣ୍ଡକ୍ଟର ଇଞ୍ଜିନିୟରିଂ କମ୍ପାନୀ ସହ ଆଲୋଚନା ହୋଇଛି ।

ଖୁବଶୀଘ୍ର ଆମେରିକାର ସିଲିକନ ଭାଲିରେ ଥିବା ସିଲିକନ୍ ପାଓ୍ବାର ଗ୍ରୁପ ଓଡିଶାରେ ନିବେଶ କରିବ। ରାଜ୍ୟରେ ପ୍ରତିଷ୍ଠା ହେବ ୧୫୦MM ସିଲିକନ କାର୍ବାଇଡ ପ୍ଲାଣ୍ଟ। ଏନେଇ ସିଲିକନ ପାୱାର ଗ୍ରୁପର ପ୍ରମୋଟର ଡକ୍ଟର ହର୍ଷଦ ମେହଟ୍ଟା ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସେମିକଣ୍ଡକ୍ଟର ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦୃଢ ଇଚ୍ଛାଶକ୍ତିକୁ ପ୍ରତିଫଳିତ କରୁଛି। ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପରେ ଡକ୍ଟର ମେହେଟ୍ଟାଙ୍କର ୪ଦଶନ୍ଧୀର ଅଭିଜ୍ଞତା ରହିଛି । ୧୯୯୪ ମସିହାରୁ ଆମେରିକାରେ ଆରମ୍ଭ ହୋଇଥିବା ସିଲିକନ ପାଓ୍ବାର ସେମିକଣ୍ଡକ୍ଚର ଡିଭାଇସର ଡିଜାଇନ୍, ବିକାଶ, ଉତ୍ପାଦନ ଓ ପରୀକ୍ଷଣ କ୍ଷେତ୍ରରେ ଟେକ୍ନୋଲୋଜି ବିକାଶ ଓ ସଲ୍ୟୁସନ ପ୍ରୋଭାଇଡର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।

ସେହିପରି ଆଡଭାନ୍ସଡ ସେମିକଣ୍ଡକ୍ଟର ଇଞ୍ଜିନିୟରିଂ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ବିଦେଶରେ ଏହି କମ୍ପାନୀ ବେଶ ପରିଚିତ ଥିବା ବେଳେ ଏବେ ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଏଏସଇ । ଏହାସହ ବିଭିନ୍ନ କମ୍ପାନୀର ସିଇଓଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ପ୍ରତିନିଧି ଦଳ।

ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭର୍ତ୍ସନା କଲେ, କାର୍ଯ୍ୟକାଳ ବଢ଼ାଇଲେ । ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରି କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ସେପ୍ଟେମ୍ବର ୧୫ ତାରିଖ ଯାଏ ରହିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ଭାବେ ରହିବେ ସଞ୍ଜୟ କୁମାର ମିଶ୍ର । କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ଦେଶ ହିତରେ କରାଯାଇଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ଅକ୍ଟୋବର ୧୫ ଯାଏ ସମ୍ପ୍ରସାରଣ କରିବାକୁ ଅନୁରୋଧ କରିଥିଲେ ସରକାର । ହେଲେ ଏଥିରେ ରାଜି ହୋଇନଥିଲେ ସୁପ୍ରିମକୋର୍ଟ । କୋର୍ଟ ସଫା ସଫା କହିଛନ୍ତି, ଏହା ଶେଷ କାର୍ଯ୍ୟକାଳ ଅବଧି ବୃଦ୍ଧି । ଆଗକୁ କୌଣସି ସମ୍ପ୍ରସାରଣ କରାଯିବ ନାହିଁ । କାର୍ଯ୍ୟକାଳ ବଢ଼ାଇବା ସହ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କହିଛନ୍ତି, ସମସ୍ତ ଦାୟିତ୍ୱ କାହିଁକି କେବଳ ଏସ.କେ ମିଶ୍ରଙ୍କୁ ଦିଆଯାଉଛି । ଏସ.କେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କାର୍ଯ୍ୟକାଳ ଅବଧି ବଢ଼ାଇବା ଲାଗି ସରକାର ଏଫଏଟିଏଫ୍ ଦସ୍ତାବିଜ୍ ଦେଇଥିଲେ । ତେବେ ଏସକେ ମିଶ୍ରଙ୍କୁ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ରାଜନୈତିକ ଦଳ ।

ପିଲାଦିନରୁ ଅଞ୍ଜୁକୁ ନେଇ ପରିବାରରେ ନଥିଲା ଖୁସି : ସୀତାରାମ

ନନ୍ଦିଘୋଷ ବ୍ୟୁରୋ: ଏହା କେମିତିକା ପ୍ରେମ । ପରିବାର, ସ୍ବାମୀ ସମସ୍ତଙ୍କୁ ଛାଡି ସୀମା ପାର ହୋଇଥିଲେ ସୀମା ହାଇଦର ।  ସଚ୍ଚିନକୁ ପାଇବା ପାଇଁ ପାକିସ୍ତାନରୁ ଭାରତକୁ ପ୍ରବେଶ କଲେ । ପାକିସ୍ତାନୀ ସୀମାଙ୍କୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଅଞ୍ଜୁଙ୍କୁ ନେଇ ଉଠିଲା ଆଉ ଏକ ଝଡ। ଉତ୍ତରପ୍ରଦେଶର ଝିଅ ଅଞ୍ଜୁକୁ ନେଇ ଏବେ ସବୁଠି ଆଲୋଚନା। ଅଞ୍ଜୁ ପାକିସ୍ତାନର ଯୁବକ ନାସରୁଲ୍ଲାକୁ ପାଇବା ପାଇଁ ପାକିସ୍ତାନରେ ପହଞ୍ଚିଥିଲା । ତା ପରେ ଅଞ୍ଜୁ ବନିଯାଇଥିଲା ଫାତିମା । କେବଳ ସେତିକି ନୁହେଁ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହା ପରେ ଅଞ୍ଜୁର ଏଭଳି କାର୍ଯ୍ୟକୁ ନେଇ ପରିବାରରେ ଝଡ଼ ଉଠିଥିଲା।

ଅଞ୍ଜୁର ଜେଜେ ମାଙ୍କ କହିବା ମୁତାବକ ପିଲାଟି ଦିନରୁ ଅଞ୍ଜୁ ପରିବାରର ସମସ୍ତଙ୍କୁ ଅନେକ ହଇରାଣ ହରକତ୍ କରୁଥିଲେ । ଜେଜେ ମା ଏହା ଦେଖି କେବେ ଖୁସିନଥିଲେ । ଅଞ୍ଜୁର ପିତାମାତା ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାର ରହୁଥିଲେ । ଯେତେବେଳେ ଅଞ୍ଜୁଙ୍କ ପିତା ଖ୍ରୀଷ୍ଟିୟାନ ହୋଇଥିଲେ ସେତେବେଳେ ଅଞ୍ଜୁଙ୍କ ଜେଜେ ମା ଏହାକୁ ପସନ୍ଦ କରିନଥିଲେ ।

ଅଞ୍ଜୁ ତାର ପ୍ରେମିକ ନାସରୁଲ୍ଲାକୁ ଭେଟିବାକୁ ପାକିସ୍ତାନ ଗଲା ତାପରେ ଗଣମାଧ୍ୟମରେ ଏହି ଖବର ଖୁବ ଜୋରରେ ପ୍ରଘଟ ହେଲା। ସେତେବେଳେ ଦାଦା ସୀତାରାମ ଏହି ଘଟଣା ଜାଣିବାପରେ  ଭାଙ୍ଗିପଡିଥିଲେ । ସେ ଏହା ମଧ୍ୟ କହିଛନ୍ତି ସୀତାରାମ ମଧ୍ୟ ତାଙ୍କ ପୁତୁରା ଏବଂ ଅଞ୍ଜୁଙ୍କ ପିତା ଗୟାପ୍ରସାଦଙ୍କୁ ନେଇ ଖୁସି ନଥିଲେ। କାରଣ ଗୟା ପ୍ରସାଦ ତାଙ୍କ ପରିବାର ସହ ଖ୍ରୀଷ୍ଟିୟାନ ହୋଇଯାଇଥିଲେ । ଦାଦା ସୀତାରାମ ଜାଲୁନ ଜିଲ୍ଲାର କଲୋର ଗାଁରେ ରୁହନ୍ତି ଯେଉଁଠି ଅଞ୍ଜୁ ଜନ୍ମ ଗ୍ରହଣ କରିଥିଲେ । ସୀତାରାମ କୁରୁଟିର ଏକ ଜୁନିୟର ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ । ଅଞ୍ଜୁଙ୍କ ମାତା ଏବଂ ମାମୁଁ ରୋଶନଲାଲ କହିଛନ୍ତି ଯେ ଅଞ୍ଜୁର ପିଲାଦିନ ଦୀର୍ଘ ଦିନ ଧରି ଏଠାରେ କଟିଛି । ସେ ସାଇକେଲରେ ନିଜ ପିତା ମାତାଙ୍କ ସହ କୁରୁଟି ଯାଉଥିଲେ । ସେତବେଳେ ଅଞ୍ଜୁର ପିତା ଗୋୱାଲିୟରରେ ଟେଲରିଂ କାମ କରୁଥିଲେ । କିଛିଦିନ ପରେ ଯେତବେଳେ ଗୟା ପ୍ରସାଦ ଏବଂ ପତ୍ନୀ ସୁଲୋଚନା ସହ ଅଞ୍ଜୁର ଚାରି ଭଉଣି ଗୋଟିଏ ଭାଇ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ଅଞ୍ଜୁଙ୍କ ଜେଜେ ମା ଏବଂ ଜେଜେ ବାପା ଖୁବ୍ ରାଗି ଯାଇଥିଲେ ।

୨୦୦୭ ମସିହାରେ ଅଞ୍ଜୁ ଅରବିନ୍ଦ ରାଫେଲଙ୍କୁ ବିବାହ କରିଥିଲେ, ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ଅଛି । ଉଭୟ ରାଜସ୍ଥାନର ଭବାଡିରେ ରହୁଥିଲେ । ଏହି ସ୍ଥାନରୁ ଅଞ୍ଜୁ କାହାକୁ ନକହି ପାକିସ୍ଥାନ ଯାଇଥିଲେ । ଏହା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଲା ଅଞ୍ଜୁ ଧର୍ମ ପରିବର୍ତନ କରି ଅଞ୍ଜୁରୁ ବନିଯାଇଥିଲେ ଫାତିମା ।  ସେ ତାଙ୍କ ପ୍ରେମିକା ନାସରୁଲ୍ଲାଙ୍କୁ ବିବାହ କରିଥିବା ଚର୍ଚ୍ଚା ହେଉଛି । ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ମଧ୍ୟରେ ୨୦୨୦ରେ ଫେସବୁକରେ ସାକ୍ଷାତ ହୋଇଥିଲା । ପରେ ପରେ ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଲୋକକଳା କଳାକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଲୋକକଳା କଳାକାର। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି। ଲୋକକଳା କଳାକାରମାନଙ୍କ ପାରିଶ୍ରମିକରେ ଉଲ୍ଲେଖନୀୟ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ କଳାକାରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି।

ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି। ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାରମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ। ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ ବର୍ତ୍ତମାନ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ।

ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ। ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ। ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୪୦୦ ଟଙ୍କା ଦିଆଯାଉଥିଲା। ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ। ୨୦୦୯ ମସିହାରୁ ବ୍ଲକରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି।

ଜାତୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ନାହିଁ

ଭୁବନେଶ୍ୱର: ଜାତୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ନାହିଁ । ହେଲେ କେନ୍ଦ୍ର ସରକାର ଉତ୍ତର ପ୍ରଦେଶର ନୋଇଡାରେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ହେରିଟେଜ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ସଂସଦରେ ସାଂସଦ ମାନସ ମଙ୍ଗରାଜ, ନିରଂଜନ ବିଶି ଓ ସୁଲତା ଦେଓଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଜି. କ୍ରିଷ୍ଣାରେଡ୍ଡୀ ଏହି ସୂଚନା ଦେଇଛନ୍ତି ।

ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ହେରିଟେଜକୁ ଡିମଡ୍ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଜାତୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ସ୍ଥାପନା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ । ଦେଶର ଅନ୍ୟ କେଉଁ ରାଜ୍ୟରେ ଏହାର ଶାଖା ଖୋଲିବ ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ । ଗତ ଜୁଲାଇ ୭ତାରିଖରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହେରିଟେଜର ବୋର୍ଡ ଅଫ ମ୍ୟାନେଜମେଣ୍ଟ ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏ ଭିତରେ ଗତ ଜୁଲାଇ ୧୨ ତାରିଖରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହେରିଟେଜର ପାଠ୍ୟକ୍ରମ ନିର୍ଦ୍ଧାରଣ କରିବାକୁ ଏକ କମିଟି ଗଠନ କରାଯାଇଛି ।