ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭର୍ତ୍ସନା କଲେ, କାର୍ଯ୍ୟକାଳ ବଢ଼ାଇଲେ । ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରି କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ସେପ୍ଟେମ୍ବର ୧୫ ତାରିଖ ଯାଏ ରହିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ଭାବେ ରହିବେ ସଞ୍ଜୟ କୁମାର ମିଶ୍ର । କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ଦେଶ ହିତରେ କରାଯାଇଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ଅକ୍ଟୋବର ୧୫ ଯାଏ ସମ୍ପ୍ରସାରଣ କରିବାକୁ ଅନୁରୋଧ କରିଥିଲେ ସରକାର । ହେଲେ ଏଥିରେ ରାଜି ହୋଇନଥିଲେ ସୁପ୍ରିମକୋର୍ଟ । କୋର୍ଟ ସଫା ସଫା କହିଛନ୍ତି, ଏହା ଶେଷ କାର୍ଯ୍ୟକାଳ ଅବଧି ବୃଦ୍ଧି । ଆଗକୁ କୌଣସି ସମ୍ପ୍ରସାରଣ କରାଯିବ ନାହିଁ । କାର୍ଯ୍ୟକାଳ ବଢ଼ାଇବା ସହ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କହିଛନ୍ତି, ସମସ୍ତ ଦାୟିତ୍ୱ କାହିଁକି କେବଳ ଏସ.କେ ମିଶ୍ରଙ୍କୁ ଦିଆଯାଉଛି । ଏସ.କେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କାର୍ଯ୍ୟକାଳ ଅବଧି ବଢ଼ାଇବା ଲାଗି ସରକାର ଏଫଏଟିଏଫ୍ ଦସ୍ତାବିଜ୍ ଦେଇଥିଲେ । ତେବେ ଏସକେ ମିଶ୍ରଙ୍କୁ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ରାଜନୈତିକ ଦଳ ।