ଜାତୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ନାହିଁ

ଭୁବନେଶ୍ୱର: ଜାତୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ନାହିଁ । ହେଲେ କେନ୍ଦ୍ର ସରକାର ଉତ୍ତର ପ୍ରଦେଶର ନୋଇଡାରେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ହେରିଟେଜ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ସଂସଦରେ ସାଂସଦ ମାନସ ମଙ୍ଗରାଜ, ନିରଂଜନ ବିଶି ଓ ସୁଲତା ଦେଓଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଜି. କ୍ରିଷ୍ଣାରେଡ୍ଡୀ ଏହି ସୂଚନା ଦେଇଛନ୍ତି ।

ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ହେରିଟେଜକୁ ଡିମଡ୍ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଜାତୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ସ୍ଥାପନା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ । ଦେଶର ଅନ୍ୟ କେଉଁ ରାଜ୍ୟରେ ଏହାର ଶାଖା ଖୋଲିବ ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ । ଗତ ଜୁଲାଇ ୭ତାରିଖରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହେରିଟେଜର ବୋର୍ଡ ଅଫ ମ୍ୟାନେଜମେଣ୍ଟ ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏ ଭିତରେ ଗତ ଜୁଲାଇ ୧୨ ତାରିଖରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହେରିଟେଜର ପାଠ୍ୟକ୍ରମ ନିର୍ଦ୍ଧାରଣ କରିବାକୁ ଏକ କମିଟି ଗଠନ କରାଯାଇଛି ।