spot_img
Home Blog Page 282

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ; ୨୨ରେ ଲଘୁଚାପ, ୨୪ରେ ଅବପାତ

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୧ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୨ ତାରିଖ ବେଳକୁ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସହ ପଶ୍ଚିମ ଉତ୍ତର ଦିଗରେ ଗତି କରି ତାହା ଅଧିକ ଘନୀଭୂତ ହେବ । ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ରୂପ ନେବ  । ପରବର୍ତ୍ତୀ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ । ସେପଟେ ରାଜଧାନୀ ଭୁବନେଶ୍ୱରରେ ବଢିଲା ରାତ୍ରି ତାପମାତ୍ରା । ୧୮ ଏବଂ ୧୯ ତାରିଖରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ବେଳେ ବାଦଲ ଆଛାଦାନ ହେତୁ ତାପମାତ୍ରା ଵୃଦ୍ଧି ଘଟିଛି । ଆଜି ସକାଳ ସୁଦ୍ଧା ୨୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଝଟକା ; ଲୋନ ଠକେଇ ଓ ମନି ଲଣ୍ଡରିଂ ମାମଲାରେ EDର ରେଡ୍

ନନ୍ଦିଘୋଷ ବ୍ୟୁରୋ : ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଝଟକା। ଲୋନ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଅମ୍ବାନୀଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭୁବନେଶ୍ବର, ନଭି ମୁମ୍ବାଇ, ଚେନ୍ନାଇ ଓ ପୁଣେରେ ରେଡ କରି ସମ୍ପତ୍ତି ଆଟାଚ କରିଛି ଇଡି। ୧୪ ଶହ ୫୨ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ବର୍ତ୍ତମାନ ସୁଦ୍ଧା ଅମ୍ବାନୀ ଗ୍ରୁପର ପ୍ରାୟ ୯ ହଜାର କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲାଣି ଇଡି। ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଜ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲମିଟେଡ ଜରିଆରେ ହୋଇଥିଲା ଅନିୟମିତତା।

ବାପଙ୍କ ଦଶ କ୍ରିୟା ଦିନ ଚାଲିଗଲା ପୁଅର ଜୀବନ

ନନ୍ଦିଘୋଷ ବ୍ୟୁରୋ : ବାପଙ୍କ ଦଶକ୍ରିୟା ଦିନ ଚାଲିଗଲା ପୁଅର ଜୀବନ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଆସିକା ବ୍ଲକ ଅତରଙ୍ଗ ଗାଁରେ । ଅତରଙ୍ଗ ଗ୍ରାମର ୭୦ ବର୍ଷୀୟ ଉଦୟ ଗୌଡଙ୍କ ଗତ ୧୧ ତାରିଖ ଦିନ ମୃତ୍ୟୁ ହୋଇଥିଲା । ପୁଅ ରାଜେନ୍ଦ୍ର ବାପାକୁ ଝୁରିଝୁରି ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗ୍ରାମରେ ରାଜେନ୍ଦ୍ରଙ୍କ ଶବ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜେନ୍ଦ୍ର ପରିବାରର ଏକ ମାତ୍ର ରୋଜଗାରିଆ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ପରିବାର ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ଗ୍ରାମବାସୀ ।

ସ୍କୁଲରୁ ଚାଉଳ ଚୋରି ଅଭିଯୋଗରେ ପ୍ରଧାନ ଶିକ୍ଷକ ଅଟକ

ନନ୍ଦିଘୋଷ ବ୍ୟୁରୋ : ସରକାରୀ ସ୍କୁଲରୁ ଚାଉଳ ଚୋରି ଅଭିଯୋଗରେ ପ୍ରଧାନ ଶିକ୍ଷକ ଅଟକ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାତି ଅଧିଆ ମୁଣ୍ଡିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଗୌତମ ବଡ଼ସେଠ ୬ ବସ୍ତା ଚାଉଳ ଚୋରି କରୁଥିଲେ । ଚାଉଳ ବୋଝେଇ ଅଟୋ ସହ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ତୁମୁଡ଼ିବନ୍ଧ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସେପଟେ ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।

ଦିଲ୍ଲୀରେ ବିଗିଡ଼ିଲା ବାୟୁ ଗୁଣବତ୍ତା, ସକାଳେ ଏକ୍ୟୁଆଇ ୪୦୦ ରହିବା ଯୋଗୁ ସ୍ଥିତି ସଂଗୀନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବିଗିଡ଼ିଲା ବାୟୁ ଗୁଣବତ୍ତା। ଅତି ଖରାପ ସ୍ତରରେ ରହିଛି ଏକ୍ୟୁଆଇ। ଆଜି ସକାଳେ ଏକ୍ୟୁଆଇ ୪୦୦ ରହିବା ଯୋଗୁ ସ୍ଥିତି ସଂଗୀନ ହୋଇଛି। ଏହାକୁ ସିଭିୟର କାଟେଗୋରୀ ସ୍ତରକୁ ନିଆଯାଇଛି। ଦିଲ୍ଲୀର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ ପାଇଥିବାରୁ ସବୁଠି ସମସ୍ୟା ଦେଖାଦେଇଛି। ତାପମାତ୍ରା କମିବା ସହ ପବନର ବେଗ କମିବା ଯୋଗୁ ସ୍ଥିତି ଅଧିକ ଖରାପ ହୋଇଛି। ବିଶେଷ କରି ଦୀପାବଳି ପରଠାରୁ ଦିଲ୍ଲୀରେ ବାୟୁ ଗୁଣବତ୍ତା କ୍ରମାଗତ ଭାବେ ଖରାପ ସ୍ଥିତିରେ ରହିଛି। କିଛି ଦିନ ଧରି ଏହି ଅବସ୍ଥା ଲାଗି ରହିବା ଆଶଙ୍କା ପ୍ରକାଶ ପାଇଛି।

ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂଆଁ ବୁଲାଇଲେ ମହିଳା

ନନ୍ଦିଘୋଷ ବ୍ୟୁରୋ : ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂଆଁ ବୁଲାଇଲେ ମହିଳା । ପୁରୀ ମାଟିଆପଡ଼ାର ଅରୁଣ କୁମାର ସାହୁ ନାମକ ଜଣେ ଦୋକାନୀଙ୍କ ଠାରୁ ଆଇସକ୍ରିମ କିଣିଥିଲେ ଉକ୍ତ ମହିଳା । ତେବେ ୪୦ ଟଙ୍କାର ଆଇସକ୍ରିମ ଖାଇ ୨୦୦ ଟଙ୍କାର ନୋଟ ଦେଇଥିଲେ ।ବାକି ୧୬୦ ଟଙ୍କା ଫେରାଇ ଥିଲେ ଦୋକାନୀ । ପରେ ସନ୍ଦେହ ହେବାରୁ ମହିଳାଙ୍କୁ ଧରିଥିଲେ । ସ୍ଥାନୀୟ ଲୋକ ପୋଲିସର ଜିମା ଦେବା ପରେ ଏହି ଟଙ୍କା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମହିଳା ଜଣଙ୍କ ସଫେଇ ଦେଇଛନ୍ତି । ମହିଳା ଜଣଙ୍କ ଏଭଳି ବାରମ୍ବାର ଚଞ୍ଚକତା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରତିରକ୍ଷା କ୍ଷେତ୍ରରେ ବଳୀୟାନ ହେବ ଭାରତ

ନନ୍ଦିଘୋଷ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ବଳୀୟାନ ହେବ ଭାରତ। ଆମେରିକାଠାରୁ ଭାରତ ପାଇବ ଜାଭେଲିନ ଆଣ୍ଟି ଟ୍ୟାଙ୍କ ମିସାଇଲ ଓ ଏକ୍ସକାଲିବର ଲକ୍ଷ୍ୟଭେଦୀ କମାଣ। ଏହି ପ୍ଯାକେଜରେ ରହିଛି ୧୦୦ଟି ଏଫଜିଏମ-୧୪୮ ଜାଭେଲିନ ମିସାଇଲ , ୨୫ଟି ହାଲୁକା କମାଣ୍ଡ ଲଞ୍ଚ ୟୁନିଟ, ୨୧୬ଟି ଏକ୍ସକାଲିବର ଆର୍ଟିଲେରୀ ରାଉଣ୍ଡ। ଏନେଇ ସୂଚନା ଦେଇଛି ଆମେରିକା ପ୍ରତିରକ୍ଷା ନିରାପତ୍ତା ସହଯୋଗୀ ସଂସ୍ଥା ବି ଡିଏସସିଏ। ଏହି ଅସ୍ତ୍ରଶସ୍ତ୍ର ଭାରତ ପାଇବା ପରେ ଏହାର ତଦାରଖ, ପ୍ରଶିକ୍ଷଣ ଆଦି କ୍ଷେତ୍ରରେ ଆମେରିକା ସହଯୋଗ କରିବ। ଏହି ସମସ୍ତ ଅସ୍ତ୍ରଶସ୍ତ୍ର ବାବଦରେ ୯୩ ନିୟୁତ ଡଲାର ଦେବ ଭାରତ। ବିଭିନ୍ନ ସାଞ୍ଜୁଆ ଟାର୍ଗେଟକୁ ହମଲା କରିବାରେ ସକ୍ଷମ ହୋଇଥାଏ ଜାଭେଲିନ ସିଷ୍ଟମ।

ସୋର କୋର୍ଟ ମାଲଖାନାର ଲୁଟ ଘଟଣାର ପର୍ଦ୍ଦାଫାଶ : ୫ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସୋର କୋର୍ଟ ମାଲଖାନାର ଲୁଟ ଘଟଣାର ପର୍ଦାଫାଶ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ପିସ୍ତଲ ସହିତ ୨୫ ରାଉଣ୍ଡ ଗୁଳି, ସୁନା ରୂପା ଅଳଙ୍କାର ଜବତ କରିଛି  । ସୋର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ ଏନେଇ ସୂଚନା ଦେଇଛନ୍ତି  । ଗତ ଦୁଇ ତାରିଖରେ ବିଳମ୍ବିତ ରାତିରେ ଡକାୟତ ମାନେ ପାଚେରୀ ଡେଇଁ କୋର୍ଟ ପରିସରରେ ଥିବା ମାଲଖାନାର ଚାବି ଭାଙ୍ଗି ଲୁଟ କରି ଫେରାର ହୋଇଯାଇଥିଲେ  । ଲୁଟ ହୋଇଥିବା ନେଇ ସୋର ସିଭିଲ କୋର୍ଟ କମ୍ପ୍ଲେକ୍ସ ଷ୍ଟୋର ରୁମ ଡେପୁଟି ପ୍ରଶାସକ କମ-କ୍ଲାର୍କ-ଇନ୍ ଚାର୍ଜ ମାନସ ରଞ୍ଜନ ବେହେରା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ  ।

ବାଲେଶ୍ୱର ଏସପି ଏକ ଟିମ ଗଠନ କରି ସଦର ଏସ୍ଡ଼ିପିଓଙ୍କ ନେତୃତ୍ୱରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ । ନୀଳଗିରି କାହାଳିଆ ଅଞ୍ଚଳର ଭବାନୀ ଶଙ୍କର ମହଲା ଓ ତାର ସହଯୋଗୀ ସିଭିଲ କୋର୍ଟ ଷ୍ଟୋର ରୁମ ଚାବି ଭାଙ୍ଗି ଲୁଟ କରି ଫେରାର ଥିବା ଜଣାପଡିଥିଲା  । ପରଦିନ ଭବାନୀ ଶଙ୍କର ମହଲାକୁ ଗିରଫ କରିଥିଲା ପୋଲିସ । ଏହାସହ ତାକୁ ସହଯୋଗ କରିଥିବା ତାର ଭଉଣୀ ହରପ୍ରିୟା ମହଲା ସମେତ ସୁନା ରୂପା ଅଳଙ୍କାର କିଣିଥିବା ବାଗୁଡ଼ି ଅଞ୍ଚଳର ସୁନା ଦୋକାନୀ ନିରଞ୍ଜନ ରଣା, ରୁଷୋ ଅଞ୍ଚର କମଳାକାନ୍ତ ରଣା ଓ ଖଇରା ଥାନା ତୁଡିଗଡ଼ିଆ ଦାମୋଦର ବେଜକୁ ଗିରଫ କରିଥିଲା  । ଅଭିଯୁକ୍ତଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା, ଗୋଟିଏ ପିସ୍ତଲ, ୨୫ ରାଉଣ୍ଡ ଗୁଳି, ଗୋଟିଏ ମଟର ସାଇକେଲ ଧରିବାରେ ସଫଳତା ପାଇଛି  ।

୨୫୦ କୋଟି ଡ୍ରଗ୍ସ କାରବାର ମାମଲା : ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓରିକୁ ସମନ

ନନ୍ଦିଘୋଷ ବ୍ୟୁରୋ : ୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓରିଙ୍କୁ ପୋଲିସର ସମନ। ପଚରାଉଚରା ଲାଗି ନୋଟିସ କରିଛି ମୁମ୍ବାଇ ପୋଲିସ। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓରିଙ୍କୁ ମୁମ୍ବାଇ ପୋଲିସ ନିକରେ ଆଜି ହାଜର ହେବାକୁ ସମନ କରିଛି। ୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ଆଣ୍ଟି-ନାର୍କୋଟିକ୍ସ ସେଲ୍ ତାଙ୍କୁ ପଚରାଉଚରା ପାଇଁ ସମନ କରିଛି।ସକାଳ ୧୦ଟାରେ ନାର୍କୋଟିକ୍ସ ସେଲର ଘାଟକୋପର ୟୁନିଟ୍‌ରେ ହାଜର ହେବାକୁ କହିଛି ପୋଲିସ।

ପୂର୍ବରୁ ମୁମ୍ବାଇ ପୋଲିସ ୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ମହମ୍ମଦ ସଲିମ ମହମ୍ମଦ ସୁହେଲ ଶେଖକୁ ଗିରଫ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ଭାରତ ଏବଂ ବିଦେଶରେ ଡ୍ରଗ୍ସ ପାର୍ଟି ଆୟୋଜନ କରିବା ଏବଂ ସେହି ପାର୍ଟିଗୁଡ଼ିକୁ ଡ୍ରଗ୍ସ ଯୋଗାଣ କରିବା ସ୍ୱୀକାର କରିଥିଲା। ଅଭିଯୁକ୍ତ ଦାବି କରିଛି ଯେ ସେ ପୂର୍ବରୁ ନୋରା ଫତେହୀ, ଶ୍ରଦ୍ଧା କପୁର ଏବଂ ତାଙ୍କ ଭାଇ ସିଦ୍ଧାର୍ଥ କପୁର, ଜୀଶାନ ସିଦ୍ଦିକି, ଓରି ଓରଫ ଓରହାନ, ଆବାସ ମସ୍ତାନ, ଲୋକା ଏବଂ ଅନ୍ୟ କେତେ ଜଣଙ୍କ ସହିତ ଭାରତ ଏବଂ ବିଦେଶରେ ଡ୍ରଗ୍ସ ପାର୍ଟି ଆୟୋଜନ କରିଥିଲେ। ଅଭିଯୁକ୍ତ ଏହି ପାର୍ଟିଗୁଡ଼ିକରେ ଯୋଗଦେବା ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ଡ୍ରଗ୍ସ ଯୋଗାଣ କରିବା ସ୍ୱୀକାର ମଧ୍ୟ କରିଛି। ପୋଲିସ ବର୍ତ୍ତମାନ ଏହି ତଥ୍ୟ ଗୁଡିକର ତଦନ୍ତ କରୁଛି। ଏହି ମାମଲା ସହିତ ଜଡିତ ଓରିଙ୍କୁ ସମନ ଜାରି କରିଛି।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା : ଫରିଦାବାଦ ଅଲଫଲାହ ବିଶ୍ଵବିଦ୍ୟାଳୟର ୧୦ କର୍ମଚାରୀ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା। ଫରିଦାବାଦ ଅଲଫଲାହ ବିଶ୍ଵବିଦ୍ୟାଳୟର ୧୦ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି। ତନାଘନା ପରେ ତଦନ୍ତକାରୀ ସଂସ୍ଥା ଉଠାଇଥିବା ସନ୍ଦେହ କରାଯାଉଛି। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ଜାମ୍ମୁ କାଶ୍ମୀର ଓ ହରିୟାଣା ପୋଲିସର ମିଳିତ ଅପରସେନ ପରେ ୧୦ ନିଖୋଜ ଥିବା ଜଣାପଡିଛି। ତିନି ଜଣ କାଶ୍ମୀରୀଙ୍କ ସମେତ ୧୦ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ କରିଦିଆଯାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ନିଖୋଜ ବ୍ୟକ୍ତି ହ୍ଵାଇଟ କଲାର ଟେରର ମଡ୍ୟୁଲର ଅଂଶ ହୋଇପାରନ୍ତି। ଯେଉଁମାନେ ଲାଲକିଲ୍ଲା ବାହାରେ କାର ବିସ୍ଫୋରଣ କରିଥିଲେ।

ଲାଲକିଲ୍ଲା ବିସ୍ଫୋରଣ ପଛରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ଅଧିକ ଆତ୍ମଘାତୀ ଆକ୍ରମଣ ପାଇଁ ପାଣ୍ଠି ଯୋଗାଇବା ପାଇଁ ଅର୍ଥ ସଂଗ୍ରହ କରୁଥିବା ଜଣାପଡିଛି। ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ସମୟରେ ମିଳିଥିବା ସୁରାକରୁ ଜଣାପଡିଛି ଯେ ଜୈଶ ଆତଙ୍କୀ ଅନଲାଇନରେ ପାଣ୍ଠି ସଂଗ୍ରହ ପାଇଁ ଆହ୍ଵାନ କରିଥିଲେ। ଯେଉଁଥିରେ ସାଡା ପେ ନାମକ ଏକ ପାକ୍ ଆପ୍ ମଧ୍ୟ ସାମିଲ ଥିଲା। ସେମାନେ ମହିଳା ନେତୃତ୍ୱାଧୀନ ଆକ୍ରମଣର ଷଡଯନ୍ତ୍ର ମଧ୍ୟ କରିପାରନ୍ତି। ଜୈଶର ପୂର୍ବରୁ ଏକ ମହିଳା ଶାଖା ମଧ୍ୟ ଅଛି। ଆତଙ୍କୀ ମୁଖ୍ୟ ମାସୁଦ ଆଝାରର ଭଉଣୀ ସାଦିୟାକୁ ସେହି ୟୁନିଟର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯାଇଥିଲା। ଲାଲକିଲ୍ଲା ବିସ୍ଫୋରଣର ଜଣେ ପ୍ରମୁଖ ସନ୍ଦିଗ୍ଧ ଡକ୍ଟର ଶାହିନା ସଇଦ। ଯାହାଙ୍କର କୋଡନାମ ମାଡାମ୍ ସର୍ଜନ ବୋଲି ଶୁଣିବାକୁ ମିଳୁଛି।